ପେଟ ଚିନ୍ତା, ଛୋଟ‌ମୋଟ କାମ ଅନ୍ବେଷଣରେ ଶ୍ରମିକ

ପରିବା ବେପାର ନୂଆ ରୋଜଗାର ମାଧ୍ୟମ

ଭୁବନେଶ୍ବର: କ‌ରୋନା ସଂକ୍ରମଣ ଭୟ ଘାରୁଥିଲେ ବି ପେଟ ଚିନ୍ତା ଅଧିକ କଷ୍ଟଦାୟକ ହୋଇ ପଡ଼ୁଛି। କାମ ନ କଲେ ଘରେ ଚୁଲି ଜଳିବ ନାହିଁ। ପିଲାଛୁଆ ଭୋକରେ ଆଉଟୁପାଉଟୁ ହେବେ। ପର ହାତ ଟେକାକୁ ଚାହିଁ ଘରେ ବସି ରହି ହେଉନାହିଁ। ତେଣୁ ବଡ଼ କାମ ନ ହେଲେ ନାହିଁ, ପର ଘରେ ଛୋଟ ମୋଟ କାମ କରି କିଛି ତ ରୋଜଗାର କରିହେବ। କାହା ବାଡ଼ି ବଗିଚାରେ ସଫେଇ କରିବା, ବଗିଚାରେ ପରିବା ଚାଷ କରିବାକୁ ମାଟି ଖୋଳାଖୋଳି କରିବା, ଗଛ ଡାଳ କଟାକଟି କରିବା ଭଳି କାମ ମିଳୁଛି। ଏମିତି କାମ ଖୋଜୁଥିବା ବହୁ ଶ୍ରମିକମାନଙ୍କୁ ଏବେ ରାଜଧାନୀର ମଣିଷ ହାଟ ଭାବେ ଜଣାଶୁଣା କେତେକ ଛକରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ଏହି ଶ୍ରମିକମାନେ ଛକମାନଙ୍କରେ ଏକାଠି ହୋଇ ବସୁନଥିବା ଦେଖିବାକୁ ମିଳୁଛି। କରୋନା କଟକଣାକୁ ମାନି ସେମାନେ ସାମାଜିକ ଦୂରତା ବଜାୟ ରଖୁଛନ୍ତି। ସକାଳୁ କେହି ନା କେହି ସେମାନଙ୍କୁ କାମ ପାଇଁ ଲୋଡ଼ୁଛି ଓ ସେମାନେ କାମ ପାଇ ପାରୁଛନ୍ତି।

ଶିରିପୁର ଫାର୍ମ ଗେଟ୍‌ ବସ୍ତିରେ ରହୁଥିବା ଗଞ୍ଜାମ ଆସିକା ଅଞ୍ଚଳ‌ର ଅମ୍ବିକା ପ୍ରଧାନଙ୍କ କହିବା କଥା ସେ ପୂର୍ବରୁ ରାଜମିସ୍ତ୍ରୀ କାମ କରୁଥିଲେ ଓ ଦୈନିକ ୪ ଶହ ଟଙ୍କା ମଜୁରି ପାଉଥିଲେ। କିନ୍ତୁ ଏବେ ସେଭଳି କାମ ବନ୍ଦ। ତେଣୁ ଏବେ ଛୋଟମୋଟ କାମ ଖୋଜିବାକୁ ପଡ଼ୁଛି। ଏବେ ବାବୁମାନେ ଘରେ ବସିଛନ୍ତି। ତେଣୁ ସେମାନେ ବାଡ଼ିରେ ପରିବା ଚାଷ ଓ ଫୁଲ ଚାଷ ପାଇଁ ମାଟି ଖୋଳାଖୋଳି କରିବାକୁ ଲୋକ ଦରକାର କରୁଛନ୍ତି। ସେହିଭଳି କିଏ ବାଡ଼ି ସଫା କରିବାକୁ ଶ୍ରମିକ ଖୋଜୁଛନ୍ତି। ଏଭଳି କାମ ପାଇଁ ସେମାନେ ଦୈନିକ ମଜୁରି ଦେବାକୁ ପ୍ରସ୍ତୁତ ନୁହନ୍ତି। କେଇ ଘଣ୍ଟାର କାମ ବୋଲି କମ୍ ମଜୁରି ଦେଉଛନ୍ତି। କେତେବେଳେ ୨/୩ ଶହ ତ କେତେବେଳ ୧୫୦ ଟଙ୍କା ବି ମିଳୁଛି। ତେବେ ସେତିକି ହେଲେ ବି ଘର ଖର୍ଚ୍ଚ ଚଳି ଯାଉଛି। ଡୁମୁଡୁମା ରଘୁନାଥନଗରର କାଳିଆ ସ୍ବାଇଁଙ୍କ କହିବା କଥା ‌ଦିନେ ଦିନେ କାମ ମିଳୁନାହିଁ। ହତାଶ ହୋଇ ଫେରିବାକୁ ପଡ଼ୁଛି। ତେଣୁ ଖୁବ୍‌ ଶୀଘ୍ର ଏହି ମହାମାରୀ ଚାଲିଯାଉ ବୋଲି ସେ ଭଗବାନଙ୍କୁ ସବୁଦିନ ଡାକୁଥିବା କହିଛନ୍ତି।

ପରିବା ବେପାର ନୂଆ ରୋଜଗାର ମାଧ୍ୟମ
ଭୁବନେଶ୍ବର: ମହାମାରୀ କରୋନା ପାଇଁ ତାଲାବନ୍ଦ ଲାଗୁ ହେବା ପରଠାରୁ ପରିବା ବେପାର ରୋଜଗାରର ନୂଆ ମାଧ୍ୟମ ପାଲଟିଛି। ପୂର୍ବରୁ ଅନ୍ୟାନ୍ୟ ବେପାର କରୁଥିବା ବହୁ ଲୋକ ଏବେ ପରିବା ବେପାର ଆଡ଼କୁ ମୁହାଁଇଥିବା ଦେଖିବାକୁ ମିଳୁଛି। ରାସ୍ତାକଡ଼ରେ ଉଠା ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା କିଛି ଲୋକ ଏବେ ଆଳୁ, ପିଆଜ ଓ ପରିବା ଧରି ବସୁଛନ୍ତି। ତାଲାବନ୍ଦ ପରଠାରୁ ରାସ୍ତା କଡ଼ରେ ଥିବା ଗୁପୁଚୁପ୍, ଚାର୍ଟ, ଜଳଖିଆ, ଫାଷ୍ଟଫୁଡ୍‌ ଦୋକାନ ସବୁ ବନ୍ଦ ହୋଇଯାଇଛି। ସେହିଭଳି ଦହିବରା, ଆଇସ୍‌କ୍ରିମ୍ ଧରି ବୁଲୁଥିବା ବୁଲା ବିକାଳିମାନେ ମଧ୍ୟ ରୋଜଗାର ହରାଇଛନ୍ତି। କିନ୍ତୁ ସେମା‌ନଙ୍କ ମଧ୍ୟରୁ ଅନେକ ଘରେ ବସି ପଡ଼ି ନାହାନ୍ତି। ଗୁଜୁରାଣ ମେଣ୍ଟାଇବାକୁ ସେମାନେ ନୂଆ ବାଟ ବାହାର କରିଛନ୍ତି। ପରିବା ବେପାର ପାଇଁ କଟକଣା ନଥିବାରୁ ସେମାନେ ରାସ୍ତାକଡ଼ରେ ପରିବା ଧରି ବସୁଛନ୍ତି। ସେହିଭଳି ଦହିବରା ଓ ଆଇସ୍‌କ୍ରିମ୍ ବିକୁଥିବା ବୁଲା ବିକାଳିମାନେ ଏବେ ସାଇକେଲ୍‌ରେ ପରିବା ଧରି ଗଳିକନ୍ଦିରେ ବୁଲୁଛନ୍ତି। ଖଣ୍ଡଗିରି ବରବାରିରେ ରହୁଥିବା ବିନୋଦ ସାହୁଙ୍କ କହିବା କଥା, ସେ ପୂର୍ବରୁ ଦହିବରା ବେପାର କରୁଥିଲେ। ଦୈନିକ ୪ଶହରୁ ୫ ଶହ ଟଙ୍କା ରୋଜଗାର କରିପାରୁଥିଲେ। ଏବେ ସେ ସାଇକେଲ୍‌ରେ ଆଳୁ ଓ ପିଆଜ ଧରି ବୁଲି ବୁଲି ବେପାର କରୁଛନ୍ତି। ସେଥିରୁ ସେ ଦୈନିକ ୨ଶହରୁ ୩ଶହ ଟଙ୍କା ରୋଜଗାର କରିପାରୁଛନ୍ତି ବୋଲି କହିଛନ୍ତି। ଅବଶ୍ୟ ଦିନେଦିନେ ୪/୫ଶହ ଟଙ୍କା ମୁନାଫା ହୋଇଥିବା ସେ କହିଥିଲେ। ତେବେ ଏବେ ଏହି ବେପାରରେ ବହୁ ଲୋକ ନୂଆ କରି ପଶି ଯାଇଥିବାରୁ ବିକ୍ରି କମି ଯାଉଛି ଓ କମ୍ ଫାଇଦା ହେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର