ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣାରେ ଶ୍ରମିକ ମୃତ୍ୟୁ ଘଟଣା ; ବିଭାଗୀୟ ଯନ୍ତ୍ରୀଙ୍କୁ ଗିରଫ କରାଯାଉ: ଠିକାଦାର ମହାସଂଘ

ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ସମୟରେ ଗତ ତିନି ତାରିଖରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ପଣ୍ଡା ଇନଫ୍ରାର ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛି। ପୂର୍ତ ବିଭାଗର ତିନି ଜଣ ମୁଖ୍ୟ ଯନ୍ତ୍ରୀଙ୍କ ଦ୍ୱାରା ଏହାର ତଦନ୍ତ ଚାଲିଥିବାବେଳେ ଅନ୍ୟ ସଂସ୍ଥାକୁ ବଳକା କାର୍ଯ୍ୟ ଦେବାକୁ ନିଷ୍ପତ୍ତି ହୋଇଛି। ହେଲେ କାହିଁକି ବିଭାଗୀୟ ଯନ୍ତ୍ରୀମାନଙ୍କୁ ଗିରଫ କରାଯାଇନି ବୋଲି ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପ୍ରଶ୍ନ ଉଠାଇଛି।

ଆଜି ହୋଟେଲ କେଶରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ପ୍ରଭାତ ଦାଶ କହିଲେ ଯେ, ଗତ ତିନି ତାରିଖରେ ଯେଉଁ ଦୁର୍ଘଟଣା ହେଲା ସେଥିରେ ପଣ୍ଡା ଇନଫ୍ରାକୁ ଦାୟୀ କରାଯାଇଥିବାବେଳେ ପ୍ରକୃତରେ ଏଥିପାଇଁ ଏହି ସଂସ୍ଥା ଦାୟୀ ନୁହେଁ। କାରଣ ରିଟେନିଂ ଓ୍ଵାଲ୍‌ ପାଇଁ ରଡ୍‌ ବାନ୍ଧିବା କାର୍ଯ୍ୟ ଅନ୍ୟ ଏକ ସଂସ୍ଥାକୁ ଠିକାରେ କାର୍ଯ୍ୟ ଦିଆଯାଇଥିଲା। ଉକ୍ତ ସଂସ୍ଥାର ଅସାବଧନତା ଯୋଗୁଁ ଦୁର୍ଘଟଣା ଘଟିଲା। ତେଣୁ ପଣ୍ଡା ଇନଫ୍ରାର ମାଲିକଙ୍କୁ ଗିରଫ କରିବାର କୌଣସି ଯୁକ୍ତି ନାହିଁ। ଯଦି ଅନ୍ୟ ଏକ ସଂସ୍ଥାର ଭୁଲ୍‌ ପାଇଁ ପଣ୍ଡା ଇନଫ୍ରାର ମାଲିକଙ୍କୁ ଗିରଫ କରାଗଲା ତେବେ ସେହି ନ୍ୟାୟରେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ବି ଗିରଫ କରାଯିବା ଦରକାର। ଯଦି ବିଭାଗୀୟ ଯନ୍ତ୍ରୀଙ୍କୁ ଗିରଫ କରାଯାଉନି ତେବେ ପଣ୍ଡା ଇନଫ୍ରାର ମାଲିକଙ୍କୁ ସସମ୍ମାନେ ଖଲାସ କରାଯାଉ। ସଂସ୍ଥାର ବ୍ୟବସାୟିକ କ୍ଷତି ହୋଇଥିବାରୁ ଏବଂ ମାଲିକଙ୍କର ସମ୍ମାନ ହାନି ହୋଇଥିବାରୁ ରାଜ୍ୟ ସରକାର ୫କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି ମହାସଂଘ ଦାବି କରିଛି।

ମହାସଂଘ ଆହୁରି ଅଭିଯୋଗ ଆଣିଛି ଯେ, ରାଜ୍ୟ ସରକାରଙ୍କ ଓଡ଼ିଆ ଠିକାଦାର ମାରଣ ନୀତି ଯୋଗୁଁ ଏବେ ପଣ୍ଡା ଇନଫ୍ରାର ମାଲିକ ବିନା ଦୋଷରେ ଗିରଫ ହୋଇଛନ୍ତି। ପୂର୍ବରୁ ଜାତୀୟ ରାଜପଥ ଉପରେ ରସୁଲଗଡ଼ ଓଭରବ୍ରିଜ୍‌, ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ ନିର୍ମାଣ ସମୟରେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲେ ହେଁ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା କି ଠିକା ସଂସ୍ଥାର ମାଲିକଙ୍କୁ ଗିରଫ କରାଯାଇନି। କାରଣ ଏହି ତିନିଟି ଓଭରବ୍ରିଜ୍‌ ଅଣ ଓଡ଼ିଆ ଠିକାଦାର ନିର୍ମାଣ କରୁଥିଲେ। ଭୁବନେଶ୍ୱର ପୁଲିସ ଉକ୍ତ ଅଣ ଓଡ଼ିଆ ଠିକାଦାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା।

ତେଣୁ ରାଜ୍ୟ ସରକାର ଏବେ ପଣ୍ଡା ଇନଫ୍ରା ମାଲିକଙ୍କୁ ସସମ୍ମାନେ ଛାଡ଼ନ୍ତୁ। ଯଦି ସରକାର ଆମ ଦାବି ପୂରଣ ନ କରନ୍ତି ତେବେ ସାରା ରାଜ୍ୟରେ ଓଡ଼ିଆ ଠିକାଦାରମାନେ କାର୍ଯ୍ୟ ବନ୍ଦ କରିବା ସହ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର