ବିଦ୍ୟୁତ୍ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

ଖଣ୍ଡଗିରି : ଆଜି ଅପରାହ୍‌ଣ ପ୍ରାୟ ୫ଟା ସମୟରେ ସ୍ଥାନୀୟ ଶ୍ୟାମପୁରରେ ଟ୍ରାନ୍ସଫର୍ମର ମରାମତି ଚାଲିଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ୟାମପୁରରେ ଦୀର୍ଘ ବର୍ଷ ହେବ ଭଡ଼ାରେ ରହୁଥିବା କଟକ ଆଠଗଡ଼ ଅଞ୍ଚଳର ରୁଦ୍ର ନାରାୟଣ ସିଠ(୪୦)। ମୃତକଙ୍କ ପରିବାରକୁ ସେସୁ ଓ ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଆନ୍ଦୋଳନ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉଭୟ ସେସୁ କର୍ମଚାରୀମାନେ ଓ ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଉତ୍ତେଜନା ଥମିଥିଲା। ସୂଚନାନୁସାରେ ଶ୍ୟାମପୁର ଦଳିତ ସାହି ନିକଟରେ ଏକ ଟ୍ରାନ୍‌ସଫର୍ମର ପୋଡ଼ି ଯାଇଥିଲା ଓ ଆଜି ତାହାକୁ ବଦଳାଇ ଏକ ନୂଆ ଟ୍ରାନ୍‌ସଫର୍ମର ବସା ଯାଉଥିଲା। ଦୀର୍ଘ ୧୫ ବର୍ଷ ଧରି ରୁଦ୍ର ଚାକିରି କରୁଥିବା ଠିକା ସଂସ୍ଥା ଏହି କ‌ାମଟି କରୁଥିଲା। ଭରତପୁର ସେକ୍ସନରୁ ବିଦ୍ୟୁତ୍ ଲାଇନ୍ ବିଚ୍ଛିନ୍ନ କରାଯାଇଥିଲା। ପ୍ରାୟ ସବୁ କାମ ସରି ଯାଇଥିଲା ଓ ରୁଦ୍ର ଡିପି ଉପରେ ରହି ଶେଷ ଆଡ଼କୁ ଥିବା କିଛି ଛୋଟମୋଟ କାମ କରୁଥିଲେ। ମାତ୍ର ହଠାତ୍ ରୁଦ୍ରଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା ଓ ସେ ପ୍ରାୟ ୧୫ ଫୁଟ୍‌ ଉପରୁ ତଳକୁ ଖସି ପଡ଼ିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ସମ୍ ହସ୍ପିଟାଲ‌ରେ ଭର୍ତି କରାଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ି ସାରିଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଅଞ୍ଚଳରେ ରୁଦ୍ର ଜଣେ ଭଲ ଲାଇନ୍‌ମ୍ୟାନ୍‌ ଭାବେ ସମସ୍ତଙ୍କ ପ୍ରିୟପାତ୍ର ଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ଲୋକେ ପାଟିତୁଣ୍ଡ କରିଥିଲେ। ଲାଇନ୍ ବିଚ୍ଛିନ୍ନ ହୋଇଥିବା ସତ୍ବେ କିଭଳି ବିଦ୍ୟୁତ୍ ଆଘାତ ହେଲା ବୋଲି ଲୋକେ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ବହୀନତାକୁ ଦୋଷ ଦେଇଥିଲେ। ତେଣୁ ସମ୍ପୃକ୍ତ ଠିକା ସଂସ୍ଥାର ମାଲିକ ଓ ସେସୁର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଆସିବାକୁ ଭୟ କରିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। ରୁଦ୍ର ଜଣେ ଠିକା ଶ୍ରମିକ ହୋଇଥିବାରୁ ସରକାରୀ ସହାୟତା ମିଳିବା ବ୍ୟବସ୍ଥ‌ା ନାହିଁ। ମାତ୍ର ଭୁବନେଶ୍ବର ସେସୁ ଉପଖଣ୍ଡ-୨ର କର୍ମଚାରୀମାନେ କିଛି ସହାୟତା ଦେବାକୁ ପ୍ରସ୍ତାବ ଦେଇଥିଲେ। ସେହିଭଳି ଠିକାସଂସ୍ଥା ମଧ୍ୟ ସହାୟତା ଯୋଗାଇବା ସହ ବୀମା କମ୍ପାନି ଜରିଆରେ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲା।

ସମ୍ବନ୍ଧିତ ଖବର