ଚନ୍ଦ୍ରଶେଖରପୁର : ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଏସି ସେକ୍ସନ୍ରେ କାର୍ଯ୍ୟ କରୁଥିବା ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ଅନ୍ୟ ଶ୍ରମିକମାନେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଠିକାଦର ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ନଦେଇ କାମ କରାଉଥିବା ଅଭିଯୋଗ ହୋଇଛି। ଫଳରେ ଦିବ୍ୟରଂଜନ ପ୍ରଧାନ ନାମକ ଜଣେ ଶ୍ରମିକଙ୍କ ଶନିବାର ମୃତ୍ୟୁ ହୋଇଥିଲା। ମୃତ ଶ୍ରମିକଙ୍କୁ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ପକ୍ଷରୁ କିମ୍ବା ଠିକାଦାରୀ ସଂସ୍ଥା ତରଫରୁ କୌଣସି ସାହାଯ୍ୟ ମିଳି ନଥିବା ଶ୍ରମିକମାନେ କହିଛନ୍ତି। ଏନେଇ ସେମାନେ କାରଖାନା ଆଗରେ ଧାରଣା ଦେଇଥିବା କହିଛନ୍ତି। ମୃତ ଦିବ୍ୟରଂଜନଙ୍କ ପରିବାର ଲୋକଙ୍କ ମଧ୍ୟରୁ ଜଣଙ୍କୁ ଚାକିରି ଓ କ୍ଷତିପୂରଣ ବାବଦକୁ ୧୫ଲକ୍ଷ ଟଙ୍କା ଦେବାକୁ ଶ୍ରମିକମାନେ ଦାବି କରିଛନ୍ତି। ଏନେଇ ଶ୍ରମିକ ତପନ ନାୟକ, ଲକ୍ଷ୍ମୀଧର ମହାପାତ୍ର ଓ ସୌମ୍ୟରଂଜନ ପ୍ରଧାନଙ୍କ ନେତୃତ୍ୱରେ ୨୦ ଜଣିଆ ଦଳ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଡିସିପି ଏହାର ତଦନ୍ତ ଦାୟିତ୍ୱ ମଞ୍ଚେଶ୍ୱର ଥାନା ପୁଲିସ୍କୁ ଦେଇଛନ୍ତି। ଅପରପକ୍ଷରେ କାରଖାନାରେ କାମ କରିବା ବେଳେ ନିଜର ସୁରକ୍ଷା ନେଇ ଧାରଣାରେ ବସିଥିବା ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଠିକାଦାର ସଂସ୍ଥା ଶ୍ରମିକମାନଙ୍କ ସୁରକ୍ଷା ଦାୟିତ୍ୱ ନେବା ସହିତ ବୀମା ଓ ଚିକିତ୍ସା ବ୍ୟବସ୍ଥା କରାଇବା ନେଇ ଶ୍ରମିକମାନେ ଦାବି କରିଛନ୍ତି। ଅନ୍ୟ ସଂସ୍ଥାଗୁଡ଼ିକରେ ଶ୍ରମିକଙ୍କ ପାଇଁ ବୀମା ଓ ସେମାନଙ୍କ ପରିବାରକୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର ଠିକା ଶ୍ରମିକ ଓ ଭେଣ୍ଡର ଶ୍ରମିକମାନଙ୍କ ସୁରକ୍ଷା ନେଇ କିଛି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭଯୋଗ ହୋଇଛି। ଏହାକୁ ନେଇ ଆଜି ଠିକା ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିବା ସହ କାରଖାନା ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସି ରହିଥିଲେ। ପରେ କାରାଖାନାର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତୁରନ୍ତ ସେମାନଙ୍କ ଦାବି ପୂରଣ କରାଯାଉ ବୋଲି ଶ୍ରମିକମାନେ ନିବେଦନ କରିଛନ୍ତି। ସୂଚନା ଥାଉକି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ ନିର୍ଦିଷ୍ଟ କିଛି ଠିକାଦାର ବରିଷ୍ଠ ଅଧିକରୀଙ୍କୁ ହାତେଇ ସେମାନଙ୍କୁ ଶୋଷଣ କରୁଥିବା କରୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ରେଳଡବା କାରଖାନା ଆଗରେ ଶ୍ରମିକଙ୍କ ଧାରଣା
ବିଦ୍ୟୁତ ଆଘାତରେ ଠିକା ଶ୍ରମିକଙ୍କ ମୃତ୍ୟୁ