ମାଟି ଅତଡ଼ା ଧସି ଶ୍ରମିକ ମୃତ, ୩ ଅଟକ, ୧୦ ଲକ୍ଷ କ୍ଷତିପୂରଣ ଦାବିରେ ଉତ୍ତେଜନା

ଧଉଳି : ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଜୟକୃଷ୍ଣନଗର ଫେଜ-୨ରେ ଆଜି ମଧ୍ୟାହ୍ନରେ ଅଘଟଣ ଘଟିଛି। ପିଏଚଡି ପାଣି ଯୋଗାଣ କାର୍ଯ୍ୟ ପାଇଁ ଜେସିବି ଦ୍ବାରା ମାଟି ତଡ଼ା ଚାଲିଥିବା ବେଳେ ଅତଡ଼ା ଧସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଭଞ୍ଜନଗର ଗ୍ରାମର ନରହରି ପଲେଇ (୫୫)। ନରହରି ମାଟି ତଳେ ଚାପି ହୋଇ ରହିବା ପରେ ଜେସିବି ଦ୍ବାରା ଚାଳକ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଜେସିବି ଲକ୍ଷ୍ୟଭ୍ରଷ୍ଟ ହୋଇ ନରହରିଙ୍କ ପେଟରେ ଭୁଷି ହୋଇ ଯିବାରୁ ତାଙ୍କର ଅନ୍ତବୁଜୁଳା ବାହାରି ଯାଇଥିଲା। ପାଖରେ କାମ କରୁଥିବା ଅନ୍ୟ ଶ୍ରମିକ ଓ କର୍ମଚାରୀମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନରହରିଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧଉଳି ଥାନା ପୁଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଜେସିବି ଚାଳକ, ଠିକାଦାର ଓ ସୁପରଭାଇଜରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପରାହ୍‌ଣରେ ପରିବାର ଲୋକେ ଓ ସଂପର୍କୀୟମାନେ ଲିଙ୍ଗିପୁର ପିଏଚଡି କାର୍ଯ୍ୟାଳୟ ଓ ଥାନାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ‌ନରହରିଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଠିକାଦାର ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରି ଉତ୍ତ୍ୟକ୍ତ ଲୋକେ ହୋହଲ୍ଲା କରିଥିଲେ। ଭଙ୍ଗାରୁଜା ଆଶଙ୍କାରେ ଲିଙ୍ଗିପୁର ପିଏଚଡି କାର୍ଯ୍ୟାଳୟରେ ଭିତରପଟୁ ତାଲା ପକାଇ ଦିଆଯାଇଥିଲା। ଘଟଣା ସଂପର୍କରେ ଖବର ଦିଆଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ନପହଞ୍ଚିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ନରହରି ବରଗଡ଼ ମା’ ତାରିଣୀ ବସ୍ତିରେ ରହି ଏହି ଠିକାସଂସ୍ଥାରେ କାମ କରୁଥିଲେ।

ସମ୍ବନ୍ଧିତ ଖବର