ବାଲିପାଟଣା: ବାପା ଛେଉଣ୍ଡ ଝିଅ ମଧୁସ୍ମିତା। ମାଆ ଏକ ସ୍କୁଲ୍‌ରେ ପାଚିକା ଭାବେ କାମ କରନ୍ତି। ରୋଜଗାର ହିଁ ସେତିକି। ଏତେ ଅଭାବ ଭିତରେ ବି ମଧୁସ୍ମିତା ପାଠପଢ଼ା ଜାରି ରଖି ଯୁକ୍ତ ୨ କଳାରେ ବ୍ଲକ୍‌ ଟପର୍‌ ହୋଇପାରିଛନ୍ତି। ସେହିଭଳି ରୋଗଶଯ୍ୟାରେ ବାପା। ତେଣୁ ପୁଅ ଆଦିତ୍ୟ ମୂଲ ନ ଲାଗିଲେ, ଘରେ ଚୁଲି ଜଳିବନି। ଏମିତି ସ୍ଥିତିରେ ବି ଆଦିତ୍ୟ ମୂଲ ଲାଗିବା ସହ ସମାନ୍ତରାଳ ଭାବେ ପାଠପଢ଼ା ଜାରି ରଖିଥିଲେ। ଏବେ ସେ ଯୁକ୍ତ ୨ କଳାରେ ବ୍ଲକ୍‌ରେ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ନିଷ୍ଠାର ସହ କଠିନ ପରିଶ୍ରମ କଲେ ଯେ ନିଶ୍ଚୟ ସଫଳତା ମିଳେ, ତାହା ପୁଣି ପ୍ରମାଣ କରିଛନ୍ତି ମଧୁସ୍ମିତା ଓ ଆଦିତ୍ୟ। ସଂଘର୍ଷ କରି ସଫଳତା ସାଉଁଟିଥିବା ସ୍ଥାନୀୟ ଚଣାହଟ୍ଟା ଗାଁର ଏହି ଦୁଇ ମେଧାବୀ ଛାତ୍ରଙ୍କୁ ନେଇ ଏବେ ବାଲିପାଟଣାରେ ସବୁଠି ଚର୍ଚ୍ଚା। 

Advertisment

ଚଳିତ ବର୍ଷ ଯୁକ୍ତ ୨ କଳାରେ ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର ଛାତ୍ରୀ ମଧୁସ୍ମିତା ଦାସ ୫୨୩ ନମ୍ବର ରଖି ବ୍ଲକ୍‌ ଟପର୍‌ ହୋଇଛନ୍ତି। ପମ୍ପାଲୋ ପଞ୍ଚାୟତ ଚଣାହଟ୍ଟା ଗାଁର ମଧୁସ୍ମିତା ପିଲାବେଳୁ ମେଧାବୀ। କୌଣସି ରୋଗରେ ବାପା ଦୀପକ ଦାସଙ୍କ ମୃତ୍ୟୁ ହେବା ପରେ ମାଆ ଝୁନାରାଣୀ ଦାସ ବହୁ ଦୁଃଖକଷ୍ଟ କରି ମଧୁସ୍ମିତାଙ୍କ ପାଠପଢ଼ା ଜାରି ରଖିଥିଲେ। ସ୍ଥାନୀୟ ପିପୁଲ୍‌ସ ସରକାରୀ ହାଇସ୍କୁଲରେ ପାଚିକା ଭାବେ କାମ କରୁଛନ୍ତି ଝୁନାରାଣୀ। ସେତିକି ମାତ୍ର ରୋଜଗାରରେ ବି ଭାଙ୍ଗି ପଡ଼ି ନଥିଲେ ଝୁନାରାଣୀ। ମଧୁସ୍ମିତାଙ୍କ ପାଠପଢ଼ା ପାଇଁ ମରିପଡ଼ି ଯତ୍‌କିଞ୍ଚିତ ଅର୍ଥ ଯୋଗାଉଥିଲେ। ମାଟ୍ରିକ୍‌ ପରୀକ୍ଷାରେ ମଧୁସ୍ମିତା ୪୮୨ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ। ବିଜ୍ଞାନ ପଢ଼ିବାକୁ ଇଛା ଥିଲେ ହେଁ ଅର୍ଥ ଅଭାବରୁ କଳାରେ ନାମ ଲେଖାଇଥିଲେ। ଅଭାବ ଅନଟନ ଭିତରେ ନିଷ୍ଠାର ସହ ପରିଶ୍ରମ କରି ସେ ଆଜି ସଫଳ ହୋଇଛନ୍ତି। ଭବିଷ୍ୟତରେ ଉଚ୍ଚ ଶିକ୍ଷା ସମାପ୍ତ କରି ଶିକ୍ଷା ବିଭାଗରେ କାମ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।  

ସେହିପରି ଶିଶୁ ଅନନ୍ତ ମହାବିଦ୍ୟାଳୟର ଯୁକ୍ତ ୨ କଳାର ଛାତ୍ର ଆଦିତ୍ୟ ଭୋଇ ଓ଼ରଫ ବବୁଲଙ୍କ ସଂଘର୍ଷକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ୫୧୫ ନମ୍ବର ରଖି ସେ ବ୍ଲକ୍‌ରେ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ବାପା ଅମୂଲ୍ୟ ଭୋଇ ରୋଗଶଯ୍ୟାରେ। ତେଣୁ ଘରେ ଚୁଲି ଜଳିବା ପାଇଁ ଆଦିତ୍ୟଙ୍କୁ ମୂଲ ଲାଗିବାକୁ ପଡ଼ିଲା। ଏଣେ ସାନ ଭଉଣୀ ସୋନିକୁ ବି ପଢ଼ାଇବାକୁ ଇଛା। ଆଦିତ୍ୟ ପଛଘୁଞ୍ଚା ଦେଲେ ନାହିଁ। ମଜୁରି ଖଟିଲେ। ରାଜମିସ୍ତ୍ରିଙ୍କ ସହ କାମ କଲେ। କଲେଜ ଯିବା ଓ ମଜୁରି ଖଟିବା, ଦୁଇଟିଯାକ କାମକୁ ସମାନ ଦୃଷ୍ଟିରେ ଦେଖିଲେ। ନିଜର ଓ ସାନ ଭଉଣୀର ପଢ଼ା ଖର୍ଚ୍ଚ ଉଠାଇବା ସହ ଘରର ଦୈନନ୍ଦିନ ଖର୍ଚ୍ଚ ଯୋଗାଡ଼ କଲେ। ପରୀକ୍ଷା ପୂର୍ବରୁ ଶେଷ ୨ମାସ ମଜୁରି ନ ଖଟି ପଢ଼ାରେ ଧ୍ୟାନ ଦେଲେ। ଆଦିତ୍ୟଙ୍କ ପରିଶ୍ରମ ବୃଥା ଯାଇନି। ନିଜେ ଭଲ ନମ୍ବର ରଖି ପାସ୍‌ କରିଛନ୍ତି। ସେହିଭଳି ଭଉଣୀ ସୋନି ମଧ୍ୟ ମାଟ୍ରିକ୍‌ ପରୀକ୍ଷାରେ ୩୭୨ ନମ୍ବର ରଖିଛନ୍ତି। ଏହି ଦୁଇ ମେଧାବୀଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ବାଧକ। ସଫଳତାରେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। କିନ୍ତୁ ଅର୍ଥାଭାବଜନିତ କଷ୍ଟ ଲାଘବ ପାଇଁ ସେଭଳି କିଛି ସହାୟତା ମିଳିପାରିନାହିଁ। ଉଭୟଙ୍କୁ ଆର୍ଥିକ ସହଯୋଗ ମିଳିଲେ, ସେମାନେ ଆହୁରି ଭଲ କରିପାରନ୍ତେ ବୋଲି ଆଲୋଚନା ହେଉଛି।