କ୍ୟାପିଟାଲ ହସ୍ପିଟାଲ୍‌ରେ ଶଯ୍ୟାଭାବ: ପୁରୁଷ ବିଭାଗ ଶଯ୍ୟାରେ ମହିଳାଙ୍କୁ ଚିକିତ୍ସା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ୍‌ର ଶଯ୍ୟାଭାବ ସମସ୍ୟା ସୁଧୁରିବା ନାଁ ଧରୁ ନାହିଁ। ରାଜଧାନୀର ସବୁଠୁ ବଡ଼ ଏହି ସରକାରୀ ହସ୍ପିଟାଲ୍‌ରେ ଶଯ୍ୟା ଅଭାବ ଏବେ ସବୁ ମହଲରେ ଅସନ୍ତୋଷର କାରଣ ପାଲଟିଛି। ବିଶେଷକରି ଜରୁରୀକାଳୀନ ବିଭାଗରେ ଶଯ୍ୟା ଅଭାବ ଯୋଗୁଁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ବହୁ ସମୟରେ ରୋଗୀମାନଙ୍କୁ ଏଠାରୁ ଫେରାଇ ଦିଆଯାଉଥିବା ଅଭିଯୋଗ ହେଉଛି। ସେହିଭଳି ଶଯ୍ୟାଭାବ ଯୋଗୁଁ ମହିଳାମାନଙ୍କୁ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଶଯ୍ୟାରେ ରଖି ଚିକିତ୍ସା କରାଯାଉଥିବାରୁ ଲୋକଙ୍କ ଭତିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ଏଭଳି ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ବାରମ୍ବାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ଗତ ୬ ତାରିଖ ଅପରାହ୍‌ଣରେ ସନ୍ତୋଷ ବୈଠାରୁ ତାଙ୍କ ସମ୍ପର୍କୀୟ ଜଣେ ମହିଳାଙ୍କୁ ନେଇ ଆସିଥିଲେ। ମହିଳାଜଣକ ଭଲରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନଥିଲେ। ଡାକ୍ତର ତାଙ୍କୁ ଦେଖିବା ପରେ ତୁରନ୍ତ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଇଥିଲେ। ମହିଳା ଶଯ୍ୟା ନଥିବାରୁ ଡାକ୍ତର ତାଙ୍କୁ ପୁରୁଷ ବିଭାଗରେ ଅର୍ଥାତ ୬ ନଂ କକ୍ଷରେ ଭର୍ତ୍ତି କରାଇଥିଲେ। ଏହାକୁ ନେଇ ସନ୍ତୋଷ ଆପତ୍ତି ଉଠାଇଥିଲେ। ମାତ୍ର ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ଡାକ୍ତର। ମହିଳା ବିଭାଗରେ ଶଯ୍ୟା ନାହିଁ।

ଯଦି ଅସୁବିଧା ହେଉଛି, ରୋଗୀଙ୍କୁ ନେଇ ଯାଆନ୍ତୁ ବୋଲି ଡାକ୍ତର ରୋକ୍‌ଠୋକ ଶୁଣାଇଥିଲେ। କିନ୍ତୁ ସେତେବେଳକୁ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ଓ ଘରୋଇ ହସ୍ପିଟାଲରେ ଅର୍ଥ ବ୍ୟୟ କଲା ଭଳି ସାମର୍ଥ୍ୟ ନଥିବାରୁ ସନ୍ତୋଷ ବାଧ୍ୟ ହୋଇ ସେଠାରେ ରହିଥିଲେ। ଏ ବାବଦରେ ହସ୍ପିଟାଲ୍‌ର ଜନୈକ ଉପରିସ୍ଥ ଅଧିକାରୀଙ୍କୁ ପଚରାଯିବାରୁ ସେ ଘଟଣା ବାବଦରେ ଜାଣି ନଥିବା କହିଥିଲେ। ତାଙ୍କ ପାଖକୁ ଏଭଳି ଅଭିଯୋଗ ଆସି ନାହିଁ ବୋଲି କହିଥିଲେ। ତେବେ ଓପିଡି ବନ୍ଦ ଥିବା ସମୟରେ ହସ୍ପିଟାଲ୍‌ର ଜରୁରୀକାଳୀନ ବିଭାଗରେ ଅଧିକ ଗୁରୁତର ରୋଗୀ ଆସିଲେ, ଏଭଳି ପରିସ୍ଥିତି ଉପୁଜି ଥାଇପାରେ ବୋଲି ସେ ସଫେଇ ଦେଇଥିଲେ। କିନ୍ତୁ ଶଯ୍ୟା ବଢ଼ାଇବା ନେଇ ସେ କିଛି କହି ନଥିଲେ।

ସମ୍ବନ୍ଧିତ ଖବର