ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ସାଂଘାତିକ ରୂପ ନେଲାଣି। ବିଭିନ୍ନ ସ୍ଥାନରୁ ଦୈନିକ ପୁଳାପୁଳା ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଏପରି ସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ଶଯ୍ୟା ସଂକଟ ଦେଖାଦେଇଛି। ଚଳିତ ବର୍ଷ ହସ୍ପିଟାଲର ଡେଙ୍ଗୁ ୱାର୍ଡରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଥିଲେ ହେଁ ତାହା ପୂର୍ଣ୍ଣ ହୋଇ ଅନ୍ୟ ୱାର୍ଡରେ ରୋଗୀ ଚିକିତ୍ସିତ ହେଉଛନ୍ତି। ଏପରିକି କିଛି ଡେଙ୍ଗୁ ରୋଗୀଙ୍କୁ ପ୍ରତୀକ୍ଷାଳୟରେ ଚିକିତ୍ସା କରାଯାଉଛି। ଏମିତି ଲାଗି ରହିଲେ, ଆଗକୁ ପରିସ୍ଥିତି ଆହୁରି ଅଧିକ ଜଟିଳ ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ମିଳିଥିବା ସୂଚନାନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ୬୦ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିଲେ। ସେଥିମଧ୍ୟରୁ ଡେଙ୍ଗୁ ୱାର୍ଡରେ ୩୨ଜଣ ଚିକିତ୍ସିତ ହେଉଥିବା ବେଳେ ୮ଜଣଙ୍କୁ ଜେରିଆଟିକ୍ ୱାର୍ଡରେ ଚିକିତ୍ସିତ କରାଯାଉଥିଲା। ସେହିପରି ବାକି ୨୦ ରୋଗୀ ରୋଗୀମାନେ ପୁରୁଷ ମେଡିସିନ୍ ବିଭାଗ ଓ ପ୍ରତୀକ୍ଷାଳୟରେ ଶଯ୍ୟା ପକାଇ ଚିକିତ୍ସିତ ହେଉଥିବା ସୂଚନା ମିିଳିଛି। ଆଜି ୧୫ଜଣ ଡେଙ୍ଗୁ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ସଂଧ୍ୟା ସୁଦ୍ଧା ଆଉ ୭ଜଣ ଆଡମିଟ୍ ହୋଇଥିବା ଜଣାଯାଇଛି। ଏ ସଂପର୍କରେ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ ହଠାତ୍ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଯିବାରୁ ଶଯ୍ୟା ନିଅଣ୍ଟ ପଡୁଛି। କରୋନା ପାଇଁ ଅନ୍ୟ ୱାର୍ଡରେ ରୋଗୀ ସଂଖ୍ୟା କମ୍ ରହିଛି। ତେଣୁ ଡେଙ୍ଗୁ ରୋଗୀମାନଙ୍କୁ ସେହି ୱାର୍ଡରେ ବ୍ୟବସ୍ଥିତ କରାଯାଇ ଚିକିତ୍ସା ଯୋଗାଇ ଦିଆଯାଇ ପାରୁଛି। କିନ୍ତୁ କୌଣସି ରୋଗୀଙ୍କୁ ଏପର୍ଯ୍ୟନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇନାହିଁ।
ରାଜଧାନୀରେ ୫୯୮ ଡେଙ୍ଗୁ ଆକ୍ରାନ୍ତ
ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୯୮ରେ ପହଞ୍ଚିଛି। ଗତକାଲି ଏହି ସଂଖ୍ୟା ୫୬୩ ରହିଥିଲା। ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ପଟେ ବିଏମ୍ସି ଡେଙ୍ଗୁକୁ ନେଇ ସଚେତନତା ଅଭିଯାନ ଜୋରଦାର କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଜି ପର୍ଯ୍ୟନ୍ତ ୫ ହଜାର ୭୨୫ଲୋକଙ୍କ ଘରେ ବିଏମ୍ସିର ସଚେତନତା ଟିମ୍ ପହଞ୍ଚି ୨୩ ହଜାର ୬୮୮ ଜଣଙ୍କୁ ସଚେତନତା ଅଭିଯାନରେ ସାମିଲ କରାଯାଇ ପାରିଛି। ୨୨୩୯ ମଶାଙ୍କ ଉତ୍ପତ୍ତି ସ୍ଥଳ ନଷ୍ଟ କରାଯାଇ ୬୭୫ ଜାଗାରୁ ଡେଙ୍ଗୁ ମଶାଙ୍କ ଲାର୍ଭା ଚିହ୍ନଟ ହୋଇଥିବା ସୂଚନା ମିଳିଛି।