ଚନ୍ଦ୍ରଶେଖରପୁର: ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ କାମ ଚାଲିଛି। ରାସ୍ତା ସର୍ଭେ ଶେଷ ହୋଇଥିବା ବେଳେ ଏବେ ମାଟି ପରୀକ୍ଷା କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ରାସ୍ତା ମଝିରେ ଖୋଳା ଯାଇ ମାଟି ପରୀକ୍ଷା ହେଉଛି। ବିଜୁ ପଟ୍ଟନାୟକ ବିମାନବନ୍ଦର ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ, ଶିଶୁ ଭବନ ଛକ, ବାପୁଜୀନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟବିହାର ଛକ, ଜୟଦେବବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍‌ ଛକ, ନନ୍ଦନବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଦେଇ କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍‌ ଚଳାଚଳ କରିବ। ପ୍ରାୟ ୨୬ କିମିର ଏହି ପ୍ରକଳ୍ପ ମଧ୍ୟରେ ରାଜଧାନୀର ଜନଗହଳିପୂର୍ଣ୍ଣ ଜୟଦେବବିହାର-ନନ୍ଦନକାନନ ରାସ୍ତା ରହିଛି। ଯେଉଁଠାରେ କାମ କରିବା ଏବେ ବଡ଼ ଆହ୍ବାନ ସୃଷ୍ଟି କରିଛି। ତିନି ଲେନ୍‌ ବିଶିଷ୍ଟ ଏହି ରାସ୍ତାରେ ପ୍ରତିଦିନ ଭିଡ଼ ହେଉଥିବାରୁ ଉଭୟ ପାର୍ଶ୍ବରେ ଥିବା ଫୁଟ୍‌ପାଥକୁ ହଟାଯିବା ସହ ରାସ୍ତା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଫୁଟ୍‌ପାଥ ହଟାଇବାକୁ ନେଇ ଏବେ ବିବାଦ ଦେଖାଦେଇଛି। ପୂର୍ତ୍ତ ବିଭାଗ, ୱାଟ୍‌କୋ ଓ ମେଟ୍ରୋ ପ୍ରକଳ୍ପ କାମ କରୁଥିବା ସଂସ୍ଥା ମଧ୍ୟରେ ସମନ୍ବୟ ଅଭାବରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ସରକାରଙ୍କ ଗୋଟିଏ ସଂସ୍ଥା କ’ଣ କରୁଛି ଆଉ ଗୋଟିଏ ସଂସ୍ଥା ପାଖରେ ଖବର ରହୁନାହିଁ। ଏମିତିକି ଗୋଟିଏ ସଂସ୍ଥା ୨୫ ଦିନ ତଳେ ଫୁଟ୍‌ପାଥ ମରାମତି କରିଥିବା ବେଳେ ଏବେ ଆଉ ଗୋଟିଏ ସଂସ୍ଥା ତାହାକୁ ପୁଣି ଖୋଳୁଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

Advertisment

ୱାଟ୍‌କୋ ଖୋଳିଥିଲା, ବିବାଦ ପରେ ବୁଜିଲା
୨୫ ଦିନ ତଳେ ମରାମତି ହୋଇଥିଲା ଦୁଇ କିମି
କିଏ କ’ଣ କରୁଛି ପୂର୍ତ୍ତ ବିଭାଗ ପାଖରେ ଖବର ନାହିଁ

ପ୍ରଥମ ପର୍ଯ୍ୟାୟରେ ପଟିଆ ଛକରୁ କିଟ୍‌ ଛକ ମଧ୍ୟରେ ପ୍ରାୟ ଦେଢ଼ କିମି ଫୁଟ୍‌ପାଥକୁ ତାଡ଼ି ଦିଆଯାଇଛି। ସପ୍ତାହେ ହେଲା ତଡ଼ା ଯାଇଥିଲେ ମଧ୍ୟ ଢଳେଇଗୁଡ଼ିକୁ ଉଠାଯାଉ ନଥିବାରୁ ଲୋ‌କେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଟ୍‌ପାଥ ନଥିବାର ଦୁର୍ଘଟଣା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଟ୍ରୋ ପ୍ରକଳ୍ପ କାମ କରୁଥିବା ସଂସ୍ଥା ଯେଉଁ ଫୁଟ୍‌ପାଥକୁ ଏବେ ଖୋଳୁଛି ତାହାକୁ ୱାଟ୍‌କୋ ପକ୍ଷରୁ ୧୫ ଦିନ ତଳେ ମରାମତି କରାଯାଇଥିଲା। ପ୍ରତି ଘରକୁ ୨୪ ଘଣ୍ଟିଆ ପାଣି ଯୋଗାଣ କରିବାକୁ ୱାଟ୍‌କୋ ପକ୍ଷରୁ ଜୁନ୍‌ ମାସରେ ପାଣି ପାଇପ୍‌ ବିଛାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପୂର୍ତ୍ତ ବିଭାଗର ବିନା ଅନୁମତିରେ ଫୁଟ୍‌ପାଥକୁ ଖୋଳାଯିବା ସହ ପାଣି ପାଇପ୍‌ ପକାଯାଇଥିବାରୁ ବିଭାଗୀୟ ଅଧିକାରୀମାନେ ଥାନାରେ ଏତଲା ଦେଇଥିଲେ। ଏହାପରେ ୱାଟ୍‌କୋ କର୍ତ୍ତୃପକ୍ଷ ନିଷ୍ପତ୍ତିରୁ ଓହରିବା ସହ ପାଣି ପାଇପ୍‌ ଉଠାଇ ନେଇଥିଲେ। ଖୋଳିଥିବା ଫୁଟ୍‌ପାଥକୁ ମଧ୍ୟ ମରାମତି କରିଥିଲେ।

ଏ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ରାସ୍ତା ଉପରେ ବାରିକେଡ୍‌ କରି ଫୁଟ୍‌ପାଥ ଖୋଳାଯାଉଥିବାରୁ ତିନି ଥାକିଆ ଏହି ରାସ୍ତାର ଓସାର ମଧ୍ୟ କମିଯାଇଛି, ଯାହାକି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି। ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଜୟଦେବବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ୧୨ କିମି ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ ପାଇଁ ତିନି ଲେନ୍‌ ଲେଖାଏଁ ରାସ୍ତା ରହିଛି। ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ କରାଯିବା ସମୟରେ ଗୋଟିଏ ଲେନ୍‌ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ। ପରିଣାମ ସ୍ବରୂପ ଦୁଇ ଲେନ୍‌ରେ ଗାଡ଼ି ଚଳାଚଳ ପ୍ରଭାବିତ ହେବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇପାରେ। ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ। ଏବେ ଯେଉଁ ଭିଡ଼ ହେଉଛି ତାହା ଆଗକୁ ଆହୁରି ବଢ଼ିଯିବ। ତାହାକୁ ନଜରରେ ରଖି ରାସ୍ତା ସମ୍ପ୍ରସାରଣ କରିବାର ଆବଶ୍ୟକତା ରହିଛି। ମେଟ୍ରୋ ପ୍ରକଳ୍ପ କରୁଥିବା ସଂସ୍ଥା ଏହି ସମ୍ପ୍ରସାରଣ କରିବ। ତେବେ ସେମାନେ ଏପର୍ଯ୍ୟନ୍ତ ଆମଠାରୁ ଅନୁମତି ନେଇନାହାନ୍ତି। ଅନୁମତି ନେବା ପରେ କାମ କରିବା କଥା। ସେମାନେ କିଭଳି ଭାବେ ‌ଫୁଟ୍‌ପାଥକୁ ଖୋଳିଛନ୍ତି ତାହାର ଅନୁଧ୍ୟାନ କରାଯିବ। କାରଣ ପୂର୍ବରୁ ୱାଟ୍‌କୋକୁ ସମାନ କାରଣ ପାଇଁ ତାଗିଦ୍‌ କରାଯାଇଥିଲା।

ଲୋକଙ୍କ ଅଭିଯୋଗ ହେଉଛି ଯେ ଫୁଟ୍‌ପାଥ ତଡ଼ା ଯାଇଥିବାରୁ ଏହା ନିକଟରେ ଥିବା ଗଛଗୁଡ଼ିକ ଉପୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ୱାଟ୍‌କୋ ମଧ୍ୟ ସମାନ ଭୁଲ୍‌ କରିଥିଲା। ଫୁଟ୍‌ପାଥ ଖୋଳିଥିବାରୁ ଲୋକଙ୍କ ଯିବା ଆସିବାରେ ଅସୁବିଧା ହେଉଥିଲା। ୨୫ ଦିନ ମଧ୍ୟରେ ୱାଟ୍‌କୋ ପାଣି ପାଇପ୍‌ ହଟାଇବା ସହ ଫୁଟ୍‌ପାଥ ମରାମତି କରିଛି। ତାହାକୁ ପୁଣିଥରେ ଖୋଳିବା ଦ୍ବାରା ରାଜ୍ୟ ରାଜକୋଷ ସିନା ଖାଲି ହେଲା ଲାଭ କାହାର ହେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।