ଯୁବବର୍ଗଙ୍କ ପାଇଁ ଟିକା ଅଭାବ

ରାଜ୍ୟ ସରକାରଙ୍କର ୨୧,୪୧୦, କେନ୍ଦ୍ର ସରକାରଙ୍କ ୧,୪୪,୪୯୦ ଡୋଜ୍ ବଳିଛି

୪୫ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମିଳିଗଲା ପ୍ରଥମ ଡୋଜ୍
ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମୀ ଓ ବରିଷ୍ଠ ନାଗରିକ ଟାର୍ଗେଟ୍ ପୂରିଲା
ଦ୍ବିତୀୟ ଡୋଜ୍‌ରେ କାହାର ବି ଶତପ୍ରତିଶତ ହେଲାନି
ସ୍ବାସ୍ଥ୍ୟ କର୍ମୀ ନେଲେଣି ୧୦୩%
ଟାର୍ଗେଟରୁ ଅଧିକ ୩୦% ଆଗଧାଡ଼ିର କର୍ମୀ
ଏବେବି ୬୯% ୧୮ରୁ ୪୪ବର୍ଷ ବୟସ୍କ ଟିକା ଅପେକ୍ଷାରେ

ଭୁବନେଶ୍ବର, (ବିଶ୍ବଜିତ ଦାଶ) : ରାଜଧାନୀରେ ଏବେ ସୁଦ୍ଧା ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମୀ ଓ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ ହୋଇସାରିଲାଣି। ବିଏମ୍‌ସି କର୍ତ୍ତୃପକ୍ଷ ଯେତିକି ଟାର୍ଗେଟ୍ ରଖିଥିଲେ ତାହା ପୂରଣ ହୋଇଗଲାଣି। ଏପରିକି ତିନିଟି ଯାକ ବର୍ଗରେ ଦ୍ବିତୀୟ ଡୋଜ୍‌ ୬୦%ରୁ ଅଧିକ ଲୋକଙ୍କୁ ଦିଆସରିଲାଣି। କିନ୍ତୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଟିକା ସଙ୍କଟ ଦେଖାଦେଇଛି। ନା ପ୍ରଥମ ଡୋଜ୍‌ ପାଇଁ ବ୍ୟାପକ ଟିକାକରଣ ହୋଇପାରୁଛି ନା ଯେଉଁମାନଙ୍କର ଦ୍ବିତୀୟ ଡୋଜ୍‌ ନେବାକୁ ସମୟ ହୋଇଗଲାଣି ସେମାନଙ୍କ ପାଇଁ କିଛି ଯୋଜନା ହୋଇପାରୁଛି।

ରାଜ୍ୟ ସରକାର ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନ୍ ଟିକା କିଣିକି ଦେଉଥିବାବେଳେ ଏବେ ସର୍ବାଧିକ ଦୁଇରୁ ତିନି ଦିନର ଟିକା ବାକି ଅଛି। ଯେଉଁଥିପାଇଁ ଏବେ ଦ୍ବିତୀୟ ଡୋଜ୍‌ ନେବାକୁ ଅପେକ୍ଷାରେ ଥିବା ଲୋକଙ୍କ ଭାଳେଣି ପଡ଼ିଗଲାଣି। ବିଏମ୍‌ସି ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ କରୁଥିବାବେଳେ ମାତ୍ର କେଇ ସେକେଣ୍ଡରେ ସବୁ ସ୍ଲଟ୍ ବୁକ୍ ହୋଇଯାଉଛି। ଏଥିରୁ ଜଣାପଡ଼ୁଛି ଯୁବବର୍ଗ ଟିକା ପାଇଁ କେତେ ବ୍ୟାକୁଳ। ପ୍ରଥମ ଡୋଜ୍‌ ଟିକା ପର୍ଯ୍ୟାପ୍ତ ଦିଆଯାଇପାରୁନଥିବାବେଳେ ଦ୍ବିତୀୟ ଡୋଜ୍‌ କଥା କେହି ଚିନ୍ତା କରୁନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି ପାଖରେ ୨୯ତାରିଖ ସଂଧ୍ୟା ସୁଦ୍ଧା ୧୮ରୁ ୪୪ବର୍ଷର ବୟସ୍କଙ୍କ ପାଇଁ ମାତ୍ର ୨୧୪୧୦ ଡୋଜ୍‌ ଥିଲା। ଯାହାକୁ ରାଜ୍ୟ ସରକାର ଯୋଗାଉଛନ୍ତି। ୪୫ବର୍ଷରୁ ଊର୍ଦ୍ଧ୍ବ ଓ ଅନ୍ୟମାନଙ୍କ ପାଇଁ କେନ୍ଦ୍ର ସରକାର ଟିକା ଯୋଗାଉଥିବାବେଳେ ବିଏମ୍‌ସି ପାଖ‌ରେ ୧ଲକ୍ଷ ୪୪ହଜାର ୪୯୦ ଡୋଜ୍ ଟିକା ବାକି ଅଛି। ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଟିକା ଅଭାବ ଦେଖାଦେବାରୁ ନିକଟରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ କୋଟାର ଟିକା ଧାର ମାଗିଥିଲେ। କେନ୍ଦ୍ର ସରକାର ତାଙ୍କ କୋଟାର ଟିକା ଏବେ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଦେଲେ ରାଜ୍ୟ ସରକାର ପରେ ଏହାକୁ ସୁଝିଦେବେ ବୋଲି କହିଥିଲେ। ହେଲେ ଏବେ ସୁଦ୍ଧା ଏହି ଚିଠିର ଉତ୍ତର ମିଳିନି କି ଟିକା ବି ଆସିନି। ତେଣୁ ଆଗକୁ ସ୍ଥିତି କ’ଣ ହେବ ତାହା କେହି ଠଉରାଇପାରୁନାହାନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ୯ଲକ୍ଷ ୪୯ହଜାର ୪୫୦ଡୋଜ୍ କୋଭାକ୍ସିନ୍ ଟିକା ମିଳିଥିବାବେଳେ ଏଥିରୁ ୭ଲକ୍ଷ ୮୩ହଜାର ୫୫୦ ଡୋଜ୍‌ ଟିକା ବ୍ୟବହାର ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ରାଜ୍ୟ ସରକାର ‌ଯେତିକି ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଟାର୍ଗେଟ୍ ରଖିଥିଲେ ସେଥିରୁ ଅଧିକ ୩% ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ଟିକା ନେଇସାରିଲେଣି। ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ ୧୦୩% ଥିବାବେଳେ ଟାର୍ଗେଟ୍‌ର ୭୭% ଦ୍ବିତୀୟ ଡୋଜ୍ ଟିକା ନେଇସାରିଲେଣି। ସେହିପରି ଯେତିକି ଆଗଧାଡ଼ିର କର୍ମୀଙ୍କୁ ଟିକା ଦେବାକୁ ଟାର୍ଗେଟ୍ ରଖାଯାଇଥିଲା ତା’ଠାରୁ ଅଧିକ ୩୦% ଲୋକ ଟିକା ନେଇସାରିଲେଣି। ଟାର୍ଗେଟର ୭୧% ଦ୍ବିତୀୟ ଡୋଜ୍ ‌ଟିକା ନେଇସାରିଲେଣି। ୧୮ରୁ ୪୪ବର୍ଷ ମଧ୍ୟରେ ଟାର୍ଗେଟର ମାତ୍ର ୩୧% ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। ଏବେ ସୁଦ୍ଧା କାହାକୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇନି। ଏହାବାଦ୍ ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ରାଜ୍ୟ ସରକାର ଯେତିକି ଟାର୍ଗେଟ୍ କରିଥିଲେ ସେତିକି ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। ୬୦% ଦ୍ବିତୀୟ ଡୋଜ୍‌ ଟିକା ନେଇଥିବାବେଳେ ୪୦% ଏବେ ବାକି ଅଛନ୍ତି। ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମୀଙ୍କ ଭଳି ଏବେ ଏହି ବର୍ଗରେ ପ୍ରଥମ ଡୋଜ୍‌ ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି।

ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ, ୨୦୨୧, ଜୁନ୍‌ ସୁଦ୍ଧା ଭୁବନେଶ୍ବରର କେତେ ଜନସଂଖ୍ୟା ହେବ ତାହାକୁ ଆକଳନ କରି ଟିକା ଟାର୍ଗେଟ୍ ରଖାଯାଇଥିଲା। ଏଥିରେ ମୋଟ୍ ୧୦ଲକ୍ଷ ୯୭ହଜାର ଲୋକଙ୍କୁ ଟିକା ଦେବାକୁ ଟାର୍ଗେଟ୍ ରଖାଯାଇଛି। କିନ୍ତୁ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମୀଙ୍କ ତାଲିକା ବଢ଼ିଯିବାରୁ ଆମକୁ ଅଧିକ ଟିକା ଆବଶ୍ୟକ ପଡ଼ିପାରେ। ଏବେ ବିଭିନ୍ନ ଜିଲ୍ଲାରେ କୋଭିସିଲ୍‌ଡ ଟିକାର ଅଭାବ ଥିବାରୁ ବାହାର ଜିଲ୍ଲା ଲୋକ ଭୁବନେଶ୍ବର ଆସି କୋଭାକ୍ସିନ୍ ଟିକା ନେଉଛନ୍ତି। ଯେଉଁଥିପାଇଁ ଆମର ଟାର୍ଗେଟ୍ ଠାରୁ ଅଧିକ ଟିକାକରଣ ହେଉଛି।

ସମ୍ବନ୍ଧିତ ଖବର