ଭୁବନେଶ୍ବର: ବିଏମ୍ସିର ୧୧ନମ୍ବର ୱାର୍ଡ ଅନ୍ତର୍ଗତ ତ୍ରିନାଥ ବସ୍ତି, ଜି.ଏଲ୍ କଲୋନି, ଗୋଜବାୟାଣୀ ବସ୍ତି, ବେହେରା ସାହି ଆଦି ଅଞ୍ଚଳରେ ଉତ୍କଟ ପାଣି ସମସ୍ୟା ସୃଷ୍ଟି ହୋଇଛି। ୱାଟ୍କୋ ପକ୍ଷରୁ ଅମୃତ ଯୋଜନାରେ ପ୍ରତି ଘରକୁ ଜଳଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଠିକ୍ ଭାବେ ପାଣି ଆସୁ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦିନକୁ ଦୁଇ ଓଳି ୨ଘଣ୍ଟା ଲେଖାଁଏ ଜଳଯୋଗାଣ ବ୍ୟବସ୍ଥା ଥିବା ବେଳେ ସଂପୃକ୍ତ ଅଞ୍ଚଳକୁ ଠିକ୍ ଭାବେ ପାଣି ମିଳି ପାରୁନାହିଁ। ଏମିତିକି ଯେତେବେଳେ ବି ପାଣି ଆସୁଛି, ଖୁବ୍ ଧିମା ଗତିରେ ଆସୁଥିବା ଜଣାପଡ଼ିଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପିଇବା ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ସେମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଭିଏସ୍ଏସ୍ ନଗର ଜଳଯୋଗାଣ ପ୍ରକଳ୍ପ ଅଧୀନରେ ଏହି ଅଞ୍ଚଳଗୁଡ଼ିକ ଆସୁଥିବା ବେଳେ କିଛି ଦିନ ହେବ ପାଣିକୁ ନେଇ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଲୋକମାନେ ଠିକ୍ରେ ପାଣି ପାଉନଥିବା ଯୋଗୁଁ ଦୂରରେ ଥିବା ବୋର୍ୱେଲ୍ରୁ ଆଣି କଷ୍ଟେମଷ୍ଟେ ଚଳୁଛନ୍ତି। ଏମିତିକି ଅମୃତ ଯୋଜନାରେ ସବୁ ଘରକୁ ପାଣି ସଂଯୋଗ ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଥିବା ଓଭର୍ହେଡ଼୍ ଟାଙ୍କି, ନଳକୂପ ଆଦି ବ୍ୟବହାର ହେଉ ନଥିବାରୁ ତାହା ଅଚଳ ହୋଇପଡ଼ିଛି। ତେଣୁ ପାଣି ପାଇଁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି।
ଏହି ଅଞ୍ଚଳର ପ୍ରାୟ ଦେଢ଼ ହଜାରରୁ ଊର୍ଧ୍ବ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ନିଦାବିଷ୍ଣୁ ସାଜିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଏ ସମସ୍ୟା ପ୍ରତି ବର୍ଷ ଉପୁଜୁଛି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଛି। ହେଲେ ସେ କର୍ଣ୍ଣପାତ କରୁନାହାନ୍ତି। ଅଭିଯୋଗ କଲେ ଦିନେ କି ଦୁଇ ଦିନ ଠିକ୍ ଭାବେ ପାଣି ଆସୁଛି। ଦୁଇ ଦିନ ପରେ ପୁଣି ପୂର୍ବ ଭଳି ନାନା ସମସ୍ୟା ଭୋଗିବାକୁ ପଡ଼ୁଛି। ପାଣି ଏତେ ଧିମା ଗତିରେ ଆସୁଛି ଯେ ଗୋଟିଏ ବାଲ୍ତି ପୂରଣ ହେବା ପାଇଁ ୧୦ ମିନିଟ୍ରୁ ଊର୍ଧ୍ବ ସମୟ ଲାଗୁଛି। ଚାରି ବାଲ୍ତି ପୂରଣ ହେଲା ବେଳକୁ ପାଣି ବନ୍ଦ ହୋଇଯାଉଛି। ଏ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ରାସ୍ତା ଅବରୋଧ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏନେଇ ୱାଟ୍କୋର କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ମହାପାତ୍ର କହିଛନ୍ତି, ଏ ବିଷୟରେ ମୋ ପାଖରେ କୌଣସି ଅଭିଯୋଗ ନାହିଁ। ଖୁବ୍ଶୀଘ୍ର ଏ ବିଷୟରେ ଅନୁସନ୍ଧାନ କରି ମରାମତି କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/43-1.jpg)