ଅଭିରାମ ବସ୍ତିରେ ‘ଲେଡି ଡନ୍‌’ର କଙ୍ଗାରୁ କୋର୍ଟ! ଦୁଇ ଯୁବକଙ୍କୁ ବାନ୍ଧି ଛେଚିଲା, ପୁଲିସକୁ ବି ଛାଡ଼ିଲାନି

ଭିଡିଓ ଭାଇରାଲ୍ ପରେ ଗିରଫ କଲା ପୁଲିସ

ଭୁବନେଶ୍ବର : ଆଜି ଏୟାର୍‌ଫିଲ୍‌ଡ ଥାନା ଆଜାଦନଗର ଅଭିରାମ ବସ୍ତିରେ ‌ଜଣେ ମହିଳାଙ୍କ ଉତ୍ପାତ ସୀମା ଲଂଘଛି। କଙ୍ଗାରୁ କୋର୍ଟ କରି ଛେଳି ଚୋର ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ବାନ୍ଧି ସେ ନିସ୍ତୁକ ମାଡ଼ ମାରିଥିବାବେଳେ କଙ୍ଗାରୁ କୋର୍ଟକୁ ବନ୍ଦ କରିବାକୁ ଯାଇଥିବା ପୁଲିସ ମଧ୍ୟ ତା’ ଆକ୍ରମଣରୁ ବର୍ତ୍ତି ପାରିନାହିଁ। ତେବେ ପ୍ରଥମ‌େ ପଛଘୁଞ୍ଚା ଦେଇଥିବା ପୁଲିସ ଶେଷରେ ଏହି ତଥାକଥିତ ‘ଲେଡି ଡନ୍‌’କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଲେଡି ଡନ୍‌ ହେଉଛି ଆସ୍‌ମା ବିବି ଓରଫ୍ ବନୋ(୪୫)। ପୁଲିସ ସହ ବନୋର ଧସ୍ତାଧସ୍ତି ଓ ମାରପିଟ୍‌ର ଦୃଶ୍ୟ ଆଜି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଘଟଣାଟି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ ଛେଳି ଚୋରି କରିଥିବା ଅଭିଯୋଗରେ ଆଜି ବନୋ ବସ୍ତିର ଦୁଇ ଜଣ ଯୁବକଙ୍କୁ ବାନ୍ଧି ପକାଇଥିଲା। ଚୋରଙ୍କୁ ଶାସ୍ତି ଦେବା ପାଇଁ ବସ୍ତିରେ କଙ୍ଗାରୁ କୋର୍ଟ ବସାଇଥିଲା। ଲୋକଙ୍କ ସାମ୍ନାରେ ସେମାନଙ୍କୁ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲା। ଛେଳି ଚୋରି କରିଥିବା ଅଭିଯୋଗରେ ସେମାନଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି ମଧ୍ୟ କରିଥିଲା। ମାଡ଼ ଖାଇ ଗୁରୁତର ହୋଇଥିବା ଦୁଇ ଯୁବକ ଛେଳି ଚୋରି କରିନାହାନ୍ତି ବୋଲି ବାରମ୍ବାର କରୁଥିଲେ ବି ବନୋ କିଛି ଶୁଣୁନଥିଲା। ଲକ୍ଷେ ଟଙ୍କା ନ ଦେଲେ ତାଙ୍କୁ ନିସ୍ତାର ନାହିଁ ବୋଲି ଧମକ ଦେଇଥିଲା ଓ ବନ୍ଧା ହୋଇଥିବା ଅବସ୍ଥ‌ାରେ ସେମାନଙ୍କୁ ପିଟି ଚାଲିଥିଲା। ଏହି ଦୃଶ୍ୟ ଦେଖୁଥିବା ବସ୍ତିବାସିନ୍ଦାମାନେ ଭୟରେ ପାଟି ଫିଟାଇନଥିଲେ। କିନ୍ତୁ କୌଣସି ସୂତ୍ରରୁ ଏ ଖବର ପାଇ ଏୟାର୍‌ଫିଲ୍‌ଡ ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ବାନୋର କୋର୍ଟ ବେଆଇନ୍ ବୋଲି କହି ବନ୍ଧା ହୋଇଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ପୁଲିସର ଏହି ହସ୍ତକ୍ଷେପରେ ବନୋ ଉତ୍‌କ୍ଷିପ୍ତ ହୋଇ ଉଠିଥିଲା। ବସ୍ତିରେ କେବଳ ତା’ ରାଜ୍‌ ହିଁ ଚାଲିବ ବୋଲି ପୁଲିସକୁ ଚ୍ୟାଲେଞ୍ଜ୍‌ ଦେଇଥିଲା। ବନ୍ଧା ହୋଇଥିବା ଦୁଇ ଯୁବକଙ୍କୁ ଖୋଲୁଥିବା ପିସିଆର୍‌ କର୍ମଚାରୀଙ୍କୁ ଠେଲାପେଲା କରିଥିଲା। ବନୋର ଏଭଳି ଅତର୍କିତ ଆକ୍ରମଣରେ ପିସିଆର୍‌ କର୍ମଚାରୀମାନେ ପଛଘୁଞ୍ଚା ଦେଇଥିଲେ। ତା’ର ହିଂସ୍ର ରୂପ ଦେଖି ଏବଂ ଗାଳିଗୁଲଜ ଶୁଣି ଡରି ପଳାଇ ଆସିଥିଲେ। ତେବେ ଖବର ପାଇ ଥାନାରୁ ଅଧିକ ପୁଲିସ ସେଠାରେ ପହଞ୍ଚିବା ପରେ ଦୁର୍ଦ୍ଦାନ୍ତ ବନୋକୁ କାବୁ କରାଯାଇଥିଲା।

ସାଢ଼େ ୫ ବର୍ଷ ତଳେ ହଳଦୀପଡ଼ିଆ ବସ୍ତିରେ ବି ଏମିତି ଘଟିଥିଲା
ସାଢ଼େ ୫ ବର୍ଷ ତଳେ ଅର୍ଥାତ୍‌ ୨୦୧୫ ଜୁନ୍‌ରେ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା। ଲେଡି ଡନ୍‌ ଶୈଳ ରଣସିଂହର ଆକ୍ରମଣରେ ପୁଲିସ ଲହୁଲୁହାଣ ହୋଇଥିଲା। ବସ୍ତିରେ କଙ୍ଗାରୁ କୋର୍ଟ ଚଳାଇଥିବା ଶୈଳକୁ କାବୁ କରିବାକୁ ଯାଇ ଲକ୍ଷ୍ମୀସାଗର ଥାନା ପୁଲିସ ବେଶ୍ ହଟହଟା ହୋଇଥିଲା। ଏମିତିକି ଶୈଳ ଓ ତା’ର କିଛି ସମର୍ଥକ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନର୍ଦ୍ଦମା ଭିତରେ ପକାଇ ମାଡ଼ ମାରିଥିଲେ। ସେମାନେ ପୁଲିସ ବାହିନୀକୁ ଗୋଡ଼ାଇଗୋଡ଼ାଇ ବସ୍ତିରୁ ତଡ଼ି ଦେଇଥିଲେ। ସେତେବେଳେ ଏହି ଘଟଣା ରାଜଧାନୀରେ ବେଶ୍‌ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପୁଲିସକୁ ଆକ୍ରମଣ କରିବା ପରେ ଶୈଳ ଫେରାର୍ ହୋଇ ଯାଇଥିଲା। ତେବେ ବେଶ୍ କିଛିଦିନ ପରେ ପୁଲିସ ଶୈଳ ଓ ତା’ର ସହଯୋଗୀମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର