ମହିଳା ହୋମଗାର୍ଡ ପ୍ରତିମା ମୃତ୍ୟୁ ମାମଲା : ଏବେ ବି ଘଟଣା ରହସ୍ୟମୟ, ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ବସିଛି କମିସନରେଟ ପୁଲିସ

ଭୁବନେଶ୍ବର : ମହିଳା ହୋମଗାର୍ଡ ପ୍ରତିମା ଖାକା। ଦୀର୍ଘ ୧୦ ବର୍ଷ ଧରି କମିସନରେଟ ପୁଲିସରେ କାର୍ଯ୍ୟରତ ଥିଲେ। କିନ୍ତୁ ହଠାତ ସେ ରହୁଥିବା ଭଡ଼ା ଘରୁ ମିଳିଥିଲା ତାଙ୍କ ମୃତଦେହ। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କଲା। କିନ୍ତୁ ସେ କାହିଁକି ଆତ୍ମହତ୍ୟା କଲେ, କିଏ ଏଥି ପାଇଁ ଦାୟୀ ସେ ନେଇ ପୁଲିସ ତଦନ୍ତ ନ କରି ଫାଇଲକୁ ଏବେ ଚାପି ଦେଇଛି। ଏ ନେଇ ପ୍ରତିମାଙ୍କ ପରିବାର ଲୋକ ପୁଲିସ ଡିସିପିଙ୍କଠାରୁ ଆରମ୍ଭ କରି ପୁଲିସ କମିସନର, ଡିଜିପି, କ୍ରାଇମ ବ୍ରାଞ୍ଚ ଓ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏହାର କାଣିଚାଏ ପ୍ରଭାବ ପୁଲିସ ଅଧିକାରୀଙ୍କ ଉପରେ ପଡ଼ିନାହିଁ। ଓଲଟି ନ୍ୟାୟ ପାଇବା ପାଇଁ ପରିବାର ଲୋକ ୩ ମାସ ହେବ ବାର ଦୁଆର ହେଉଛନ୍ତି। ଆଜି ଏନେଇ ପ୍ରତିମାଙ୍କ ମା’ ଓ ଦୁଇ ଭଉଣୀ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୃତ ମହିଳା ହୋମଗାର୍ଡଙ୍କ ପରିବାର ଲୋକ ଆଜି ଗୋଦାବରୀଶ ସାହିତ୍ୟ ସଂସଦଠାରେ ସାମ୍ବାଦିକ ସମ୍ମିଳନୀରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ପ୍ରତିମା କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ଡ୍ୟୁଟି କରିବା ସହିତ, ଶ୍ରୀଲିଙ୍ଗରାଜ ଥାନା ଅଧୀନ ପୁରୁଣା ଭୁବନେଶ୍ବର କପିଳେଶ୍ବରରେ ଭଡ଼ା ଘରେ ରହୁଥିଲେ। ତେବେ ହଠାତ୍ ଗତ ବର୍ଷ ଅକ୍ଟୋବର ମାସ ୨୬ ତାରିଖରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଘର ଭିତରୁ ଜବତ ହୋଇଥିଲା। ତେବେ ଆଜି ପରିବାର ଲୋକ କହିଛନ୍ତି, ପ୍ରତିମାଙ୍କ ମୃତ୍ୟୁ ପୂର୍ବରୁ ସେ କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ଡ୍ୟୁଟି କରୁଥିଲେ। ତାଙ୍କୁ ସେଠାରୁ ଅଚାନକ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିକୁ ବଦଳି ହୋଇଥିଲା। ଏହି ସମୟ ଭିତରେ ବଡ଼ଗଡ଼ ଅଞ୍ଚଳର ପପୁ ନାମକ ଜଣେ ଯୁବକଙ୍କ ସହିତ ପ୍ରତିମାଙ୍କ ସମ୍ପର୍କ ହୋଇଥିଲା। ଯାହାକି ଅତ୍ୟନ୍ତି ନିବିଡ଼ ଥିଲା ବୋଲି ପ୍ରତିମାଙ୍କ ପରିବାର ଲୋକ ଆଜି ସୂଚନା ଦେଇଛନ୍ତି। ସେହି ଯୁବକଙ୍କ ପାଇଁ ପ୍ରତିମାଙ୍କ ଜୀବନ ଗଲା। ପପୁକୁ ତଦନ୍ତ ପରିସରଭୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି। କିନ୍ତୁ ପୁଲିସ ସେମାନଙ୍କ ଦାବି ଶୁଣିବା ପରିବର୍ତେ ସେମାନଙ୍କୁ ଥାନା ଦୂରଦୂର ମାରମାର କରି ବିଦା କରି ଦେଉଛି। ପରିବାର ଲୋକ କହିଛନ୍ତି ସେମାନେ ସୂଦୂର ସୁନ୍ଦରଗଡ଼ରୁ ଆସି ରାଜଧାନୀରେ ନ୍ୟାୟ ପାଇବା ପାଇଁ ଆଉ କେତେ ଦିନ ସଂଘର୍ଷ କରିବେ। ଏଠି ନ୍ୟାୟ ବଦଳରେ ତାଙ୍କୁ ମାନସିକ ଆଘାତ ଦିଆଯାଉଛି।

ପ୍ରତିମା ଜଣେ ମହିଳା ହୋମଗର୍ଡ, ପୁଣି ସେ ଜଣେ ଆଦିବାସୀ। ଜଣେ ଆଦିବାସୀ ମହିଳା ହୋମାଗାର୍ଡଙ୍କ ମୃତ୍ୟୁ ଘଟଣାକୁ ଯେଉଁ ଭଳି ଢଙ୍ଗରେ ତଦନ୍ତ କରିବା କଥା ତାହା କରି ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ପୁଲିସ ଅତ୍ୟନ୍ତ ତରବରିଆ ଭାବେ ତଦନ୍ତ ସାରି ଦେଇଛି। ପ୍ରତିମା ଯେଉଁ ପୁଲିସ ଅଫିସରଙ୍କ ଘରେ କାମ କରୁଥିଲେ, ସେ କିଏ? ପ୍ରତିମାଙ୍କ ମୃତ୍ୟୁରେ ତାଙ୍କର କିଛି ଭୂମିକା ଅଛି କିମ୍ବା ନାହିଁ ତାର ମଧ୍ୟ ଖୋଳତାଡ଼ କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଶ୍ରୀଲିଙ୍ଗରାଜ ଥାନା ଇନ୍ସପେକ୍ଟର ଶରତ ଚନ୍ଦ୍ର ପାତ୍ର କହିଛନ୍ତି, ପ୍ରତିମା ଭଡ଼ା ଘରେ ଆତ୍ମହତ୍ୟା କରିଥିଲେ। ପୁଲିସ ଘରର କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲା। ଘର ମାଲିକ ଏହାର ସାକ୍ଷୀ ଅଛନ୍ତି। ପରେ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଥିଲା। ତାଙ୍କ ଭଉଣୀ ନିଜେ କ୍ୟାପିଟାଲ ହସ୍ପିଟାଲ ଆସି ଶବ ବ୍ୟବଚ୍ଛେଦ ସମୟରେ ଥିଲେ। ସେହି ସମୟରେ ପପୁ ସମ୍ପର୍କରେ ସେମାନଙ୍କୁ ପଚରା ଯାଇଥିଲା। କିନ୍ତୁ ସେମାନେ ସେତେବେଳେ କୌଣସି ଅଭିଯୋଗ ପପୁ ବିରୋଧରେ ଆଣି ନ ଥିଲେ। ତେବେ ପୁପୁକୁ ମଧ୍ୟ ଆମେ ଦୁଇ ଥର ଥାନାକୁ ଆଣି ଜେରା କରିଛୁ। ପ୍ରତିମାଙ୍କ ଆତ୍ମହତ୍ୟାରେ ତାଙ୍କର କୌଣସି ଭୂମିକା ନ ଥିବା ତଦନ୍ତବେଳେ ସ୍ପଷ୍ଟ ହୋଇଛି। ଏବେ ଘଟଣାର ୩ ମାସ ପରେ ପରିବାର ଲୋକ ପପୁ ନାଁ କହୁଛନ୍ତି। ପୁଲିସ ଅଫିସରଙ୍କ ଘରେ ପ୍ରତିମା କାମ କରିବା ବିଷୟରେ ପଚାରିବାରୁ ଇନ୍ସପେକ୍ଟର ଶ୍ରୀ ପାତ୍ର କହିଛନ୍ତି, ଘଟଣାବେ‌ଳେ ସେ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ନିଯୁକ୍ତ ଥିଲେ। ତେବେ ତାଙ୍କ ମୃତ୍ୟୁକୁ ନେଇ ଶ୍ରୀଲିଙ୍ଗରାଜ ଥାନାରେ ୧୯/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏ ନେଇ ଅନୁସନ୍ଧାନ ଜାରି ରହିଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରତିମାଙ୍କ ମା’ ମାର୍ଥା ଖାକା, ଭଉଣୀ ହିଲଦାମେରୀ ଖାକା, ମାରିଆ ଗୋରତି କୁଜୁର, ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ଶେଖ ଅବଦୁଲ ୱାଲି, ରାଷ୍ଟ୍ରୀୟ ଦଳିତ ସଂଘର ବନ୍ଧୁ ସେଠୀ, ଅଶୋକ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର