ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ରିମାଣ୍ଡ ଆବେଦନ ଆଜି

ଭୁବନେଶ୍ବର : ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣାରେ କୋର୍ଟରେ ଆତ୍ମସମର୍ପଣ କରିଥିବା ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କୁ ଦିନିକିଆ ରିମାଣ୍ଡରେ ଆଣିବ ଧଉଳି ଥାନା ପୁଲିସ। ଆସନ୍ତାକାଲି ଏ ନେଇ କୋର୍ଟରେ ଆବେଦନ କରିବ ପୁଲିସ। ବିକ୍ରମ ରିମାଣ୍ଡରେ ଆସିବା ପରେ ଦୀପାଳି ମୃତ୍ୟୁ ଘଟଣାର ରହସ୍ୟ ଫିଟି ପାରିବ ବୋଲି ପୁଲିସ ଆଶା ବାନ୍ଧିଛି। ଧଉଳି ଥାନା ଇନ୍ସପେକ୍ଟର ଜୟଦେବ ବିଶ୍ବଜିତ କହିଛନ୍ତି, ସେଦିନ ଏପରି କ’ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଦୀପାଳି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ? ଏ ସବୁର ଉତ୍ତର ପାଇବା ପାଇଁ ପୁଲିସ ବିକ୍ରମଙ୍କୁ ଜେରା କରି ତଥ୍ୟ ଆଦାୟ କରିବ। କାରଣ ଘଟଣା ଘଟିଥିବା ରାତିରେ ସେହି ଘରେ କେବଳ ବିକ୍ରମ ଓ ଦୀପାଳି ହିଁ ଥିଲେ। ଦୀପାଳି ଏବେ ନାହାନ୍ତି, ତେଣୁ ବିକ୍ରମ ହିଁ କହି ପାରିବେ ସେ ରାତିର ଘଟଣା କ’ଣ ଥିଲା। ସେହିପରି ଦୀପାଳିଙ୍କ ପରିବାରଲୋକ ଯେଉଁ ସବୁ ଅଭିଯୋଗ ଆଣିଥିଲେ, ତା’ର ମଧ୍ୟ ପ୍ରମାଣ ଖୋଜା ଯିବ।

ଘଟଣା ପରେ ବିକ୍ରମ ଫେରାର ହୋଇଯାଇଥିବାରୁ ପୁଲିସ ନିକଟରେ ତାଙ୍କର ବୟାନ ରେକର୍ଡ ହୋଇ ପାରି ନ ଥିଲା। ତେଣୁ ତାକୁ ରିମାଣ୍ଡରେ ଆଣି ପୁଲିସ ବୟାନ ରେକର୍ଡ କରାଇବ। ବିକ୍ରମଙ୍କଠାରୁ ପୁଲିସ ଜାଣିବାକୁ ଚାହିଁବ, ଘଟଣା ପରେ ଏପରି କ’ଣ ହେଲା ଯେ ସେ ଦୀପାଳିଙ୍କ ଭଉଣୀ ଶେଫାଳି ଓ ପୁଲିସକୁ ଖବର ଦେଇ କାହିଁକି ଫେରାର୍‌ ହୋଇଯାଇଥିଲେ। ଫେରାର୍‌ ବେଳେ ସେ କେଉଁଠି ଥିଲେ। ଯଦି ସେ କୌଣସି ଅପରାଧରେ ସଂପୃକ୍ତ ନ ଥିଲେ, ଏପରି କି ପରିସ୍ଥିତି ସୃଷ୍ଟି ହେଲା ଯେ ସେ ହାଇକୋର୍ଟରେ ଆଗୁଆ ଜାମିନରେ ଯିବାକୁ ପିଟିସନ୍‌ ଦାଖଲ କରିଥିଲେ। ଏସବୁ ପ୍ରଶ୍ନର ଉତ୍ତର ବିକ୍ରମଙ୍କଠାରୁ ଖୋଜିବ ପୁଲିସ।

ଚଳିତ ମାସ ୨୮ ତାରିଖରେ ବିକ୍ରମ ଖୋର୍ଧା ସେସନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟରେ ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ପ୍ରକାଶ ଥାଉକି, ଗତବର୍ଷ ଅକ୍ଟୋବର ୨୦ ତାରିଖରେ ଧଉଳି ଥାନା ଅଧୀନ ଲିଙ୍ଗିପୁରରେ ମହିଳା ଆଇନଜୀବୀ ଦୀପାଳିଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଥିଲା ପୁଲିସ। ବିକ୍ରମ ହେଉଛନ୍ତି ଦୀପାଳିଙ୍କ ପୁରୁଷ ବନ୍ଧୁ। ଘଟଣା ପରେ ସେ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର