ଭୁବନେଶ୍ବର: ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ଲେଡି ଲୁଟେରା ଗ୍ୟାଙ୍ଗକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ଗ୍ୟାଙ୍ଗର ୪ ଜଣକୁ ପୁଲିସ ଗିରଫ କରିଛି। ସେମାନେ ହେଲେ, ପଶ୍ଚିମବଙ୍ଗର ପୁନମ ସେନ୍ଗୁପ୍ତା (୩୧), ଯମୁନା ମୁଦୁଲିଆ (୩୦), ଅଞ୍ଜି ସ୍ବାମ (୫୦) ଓ ଉମା ମାଳି(୩୭)।
ପୁଲିସ ସୂଚନା ମୁତାବକ, ଦୁଇ ଦିନ ତଳେ ପୁନମ, ଯମୁନା ଓ ଅଞ୍ଜି ମିଶି ରାମ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ହାର ଛଡ଼ାଇ ନେଇଥିଲେ। ଏ ସଂପର୍କରେ ମହିଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗତ ରାତିରେ ପୁଲିସ ଚଢ଼ଉ କରି ମାଳିସାହି ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଥିଲା। ସେହିପରି ଉମା ଜଣେ ମହିଳାଙ୍କ ନିକଟରୁ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏ ସଂପର୍କରେ ମହିଳା ଥାନାରେ ଅଭିଯୋଗ ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ତାଙ୍କୁ ଗିରଫ କରିଥିଲା। ପୁଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରି ୪ ଜଣଙ୍କୁ କୋର୍ଟଚାଲାଣ କରିଛି।