୧୦ ଲକ୍ଷ ଡୋଜ୍ ଟିକା ଦେଲାଣି ବିଏମ୍‌ସି: ୬ଲକ୍ଷ ୩୦ହଜାର ନେଲେଣି ପ୍ରଥମ ଡୋଜ୍, ୩ଲକ୍ଷ ୭୯ହଜାର ନେଲେଣି ଦ୍ବିତୀୟ ଡୋଜ୍

୩୪,୦୪୦ ସ୍ବାସ୍ଥ୍ୟକର୍ମୀ, ୩୨,୯୩୯ ସମ୍ମୁଖ ଯୋଦ୍ଧା ନେଲେଣି ଦୁଇ ଡୋଜ୍

ଭୁବନେଶ୍ବର: ରାଜ୍ୟର ସବୁଠୁ ଅଧିକ ସୁରୁଖୁରରେ ଟିକାକରଣ ଚାଲିଥିବା ସହର ଭୁବନେଶ୍ବରରେ ଏବେ ସୁଦ୍ଧା ୧୦ଲକ୍ଷ କୋଭାକ୍ସିନ୍ ଟିକା ଦିଆ ସରିଲାଣି। ଜୁଲାଇ ୧୫ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଯୋଜନା କରିଥିବା ବିଏମ୍‌ସି ୯ଲକ୍ଷ ୭ହଜାର ୧୯୪ଜଣଙ୍କୁ ଟିକା ଦେଇସାରିଛି। ଜୁନ୍ ୧୪ତାରିଖ ସୁଦ୍ଧା ୬ଲକ୍ଷ ୩୦ହଜାର ୧୯୧ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବାବେଳେ ଏଥିରୁ ୩ଲକ୍ଷ ୭୯ହଜାର ୫୦୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଜାନୁଆରି ମାସରୁ ରାଜଧାନୀରେ ଟିକାକରଣ ଚାଲିଥିବାବେଳେ ଗତ ‌େସାମବାର ସୁଦ୍ଧା ୧୦ଲକ୍ଷ ୯ହଜାର ୬୯୬ଡୋଜ୍ ଟିକା ଦିଆଯାଇଥିବା କୁହାଯାଇଛି।

ବିଏମ୍‌ସି କମିସନର ସଂଜୟ ସିଂହ କହିଛନ୍ତି ଯେ ଆମେ ରାଜଧାନୀରେ ସବୁ ବର୍ଗର ଲୋକଙ୍କୁ ଟାର୍ଗେଟ୍ କରି ଟିକାକରଣ କରୁଛୁ। ଭୁବନେଶ୍ବରରେ ଯେପରି ଖୁବ୍‌ ଶୀଘ୍ର ସ୍ବାଭାବିକ ସ୍ଥିତି ଫେରିବ ସେଥିପାଇଁ ଆମେ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ସମ୍ମୁଖ ଯୋଦ୍ଧା, ହୋଟେଲ ଶିଳ୍ପ, ପର୍ଯ୍ୟଟନ ଶିଳ୍ପ, ଅସହାୟ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟିକା ଦେଇଛୁ। ଏହାସହ ଟିକା ନେବା ପରେ ବି ରାଜଧାନୀରେ ଯେପରି କୋଭିଡ କଟକଣା କଡ଼ାକଡ଼ି ପାଳନ ହେବ ସେନେଇ ସବୁ ପ୍ରକାରର କଠୋର ପଦକ୍ଷେପ ମଧ୍ୟ ନେଉଛୁ।

୩୪,୦୪୦ ସ୍ବାସ୍ଥ୍ୟକର୍ମୀ, ୩୨,୯୩୯ ସମ୍ମୁଖ ଯୋଦ୍ଧା ନେଲେଣି ଦୁଇ ଡୋଜ୍

ରାଜଧାନୀରେ ୩୧,୫୩୯ଜଣ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଯୋଜନା ହୋଇଥିଲେ ହେଁ ପ୍ରାୟ ୩୫ହଜାର ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏଥିରୁ ୩୪,୦୪୦ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇସାରିଲେଣି। ସେହିପରି ୩୩,୪୩୫ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ଯୋଜନା ହୋଇଥିଲେ ହେଁ ଏବେ ସୁଦ୍ଧା ୫୧,୭୧୩ଜଣ ପ୍ରଥମ ଡୋଜ୍ ନେଇଛନ୍ତି। ଏଥିରୁ ୩୨,୯୩୯ଜଣ ଦ୍ବିତୀୟ ଡୋଜ୍ ଟିକା ନେଇସାରିଲେଣି। ବାକି ଲୋକଙ୍କୁ ୧୫ଦିନ ଭିତରେ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ ବୋଲି ଯୋଜନା ହୋଇଛି।

୨ଲକ୍ଷ ଯୁବବର୍ଗ ନେଲେଣି ଟିକା
ମେ’ ୧ରୁ ରାଜଧାନୀରେ ଯୁବବର୍ଗଙ୍କୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଆଜି ସୁଦ୍ଧା ୨ଲକ୍ଷରୁ ଅଧିକ ‌େଲାକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଲାଣି। ବିଏମ୍‌ସିର ସୂଚନା ଅନୁଯାୟୀ, ସୋମବାର ସୁଦ୍ଧା ୧ଲକ୍ଷ ୯୦ହଜାର ୪୩୯ଜଣ ଯୁବବର୍ଗଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିଲା। ଆଜି ପ୍ରାୟ ୨୦ହଜାର ଲୋକଙ୍କୁ ଟିକା ଦିଆଯାଇଛି। ସୋମବାର ସୁଦ୍ଧା ୮୧,୬୪୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆସରିଛି। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ସମସ୍ତ ଯୁବବର୍ଗଙ୍କୁ ଟିକା ଦେବାକୁ ବିଏମ୍‌ସି ଯୋଜନା କରିଛି।

୪୫ବର୍ଷରୁ ଊର୍ଦ୍ଧ୍ବ ୨,୨୭,୯୯୫ଜଣ ନେଲେଣି ଦୁଇ ଡୋଜ୍

କରୋନାର ପ୍ରଥମ ଲହରରେ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକ ଅଧିକ ପ୍ରଭାବିତ ହେ‌ାଇଥିଲେ। ‌ଏପରିକି ଏହି ବର୍ଗର ଲୋକଙ୍କର ଅଧିକ ମୃତ୍ୟୁ ହୋଇଥିଲା। ତେଣୁ ବିଏମ୍‌ସି ପକ୍ଷରୁ ଟିକାକରଣ ଆରମ୍ଭ ହେବା ପରେ ଏହି ବର୍ଗର ଲୋକଙ୍କୁ ଅଧିକ ଫୋକସ୍ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ବର୍ଗରେ ୩ଲକ୍ଷ ୪୫ହଜାର ୩୪୨ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବାବେଳେ ଏଥିରୁ ୨ଲକ୍ଷ ୨୭ହଜାର ୯୯୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଛି। ଉଭୟ ଘରୋଇ ଓ ସରକାରୀ ବ୍ୟବସ୍ଥାରେ ଏହି ଲୋକମାନେ ଟିକା ନେଇଛନ୍ତି। ଏବେ ୪୫ବର୍ଷରୁ ଅଧିକ କିଛି ଲୋକ ପ୍ରଥମ ଡୋଜ୍ ଟିକା ନେଇନଥିବାରୁ ବିଏମ୍‌ସି ପକ୍ଷରୁ ସମସ୍ତଙ୍କୁ ଟିକା ଦେବା ଉଦ୍ଦେଶ୍ୟରେ ପ୍ରତିଦିନ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦେବା ପାଇଁ ସବୁ ଟିକାକରଣ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର