ଲକ୍ଷେଶ୍ୱର ମନ୍ଦିର ଉତ୍ସବମୁଖର: ରାତି ୧୧ଟାରେ ମହାଦୀପ ଉଠିଲା

ବାଲିଅନ୍ତା: ମହାଶିବରାତ୍ରି ଅବସରରେ ବାଲିଅନ୍ତା ଥାନା ଅଧୀନ ନଖରା ଲକ୍ଷେଶ୍ୱର ମନ୍ଦିରରେ ରାତି ୧୧ଟା ସମୟରେ ମହାଦୀପ ଯଥାବିଧି ସ୍ଥାପନ ହୋଇଛି। ଏନେଇ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ କୀର୍ତ୍ତନ ଏବଂ ଭକ୍ତିଭାବମୟ ପରିବେଶରେ ମନ୍ଦିର ପରିସର ଉତ୍ସବମୁଖର ହୋଇଉଠିଥିଲା । ପ୍ରତ୍ୟୁଷରେ ମନ୍ଦିର ପହଡ଼ ଖୋଲିବା ପରେ ରାତି ସାଢ଼େ ୪ଟା ସମୟରେ ମଙ୍ଗଳଆଳତୀ , ବାଳଧୂପ ଏବଂ ଦିନ ସାଢ଼େ ଗୋଟାଏ ସମୟରେ ଶଙ୍ଖୁଡ଼ି ଭୋଗ ସରିବା ପରେ ପାଖାପାଖି ୫୦୦ ସମୂହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ପ୍ରସାଦ ସେବନ ପର୍ବ ସରିବା ପରେ ମନ୍ଦିର ପହଡ଼ ପଡ଼ିଥିଲା। ଅପରାହ୍ନ ୪ଟାରେ ପ୍ରଭୁ ଲକ୍ଷେଶ୍ୱର ମହାଦେବଙ୍କ ଚମତ୍କାର ବଡ଼ସିଂହାର ବେଶ ସଂପନ୍ନ ହୋଇଥିଲା । ସଂଧ୍ୟା ପ୍ରହରରେ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେବା ସହିତ ମନ୍ଦିରରେ ୨୭ ପ୍ରକାରର ଭୋଗ ଲାଗି ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସଭାପତି ଗୌରୀଶ୍ୟାମ ପଟ୍ଟନାୟକ , ସଂପାଦକ ବଂଶୀଧର ଭୋଳଙ୍କ ସମେତ ଅନନ୍ତ ଚରଣ ବରାଳ , ଅମୂଲ୍ୟ କୁମାର ମହାନ୍ତି , ନଳିନିକୁମାର ସ୍ୱାଇଁ ଓ ସେବାୟତ ପ୍ରଭାକର ପାଢ଼ୀ , ବିପିନି ବିହାରୀ ପାଢ଼ୀ ତଥା ଅନ୍ୟାନ୍ୟ ସେବାୟତବର୍ଗ ପ୍ରମୁଖ ଏହି ଦେବନୀତି ସଂପନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।

ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼
ଧଉଳି: ଧଉଳି ଶାନ୍ତିସ୍ତୁପ ଉପରେ ଥିବା ଧବଳେଶ୍ୱର ମନ୍ଦିର ଉପରକୁ ରାତି ଠିକ୍‌ ସାଢ଼େ ନଅଟା ବେଳେ ମହାଦୀପ ଉଠିଥିଲା। ସଂଧ୍ୟାରେ ସମବେତ ସେବାୟତବର୍ଗ ହାତରେ ଘଟ ଧରି ଦୟାନଦୀରୁ ପାଣି ଉଠାଇ ଶୋଭାଯାତ୍ରାରେ ମନ୍ଦିରକୁ ଆସିଥିଲେ। ସେବାୟତମାନେ ଆଣିଥିବା ଘଟଭର୍ତି ସୁବାସିତ ଜଳରେ ପ୍ରଭୁ ଧବଳେଶ୍ୱରଙ୍କୁ ସ୍ନାନ କରାଇଥିଲେ। ଏହାପରେ ବଡ଼ସିଂହାର ବେଶ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ବିଧି ସଂପନ୍ନ ହୋଇଥିଲା । ମହାଦୀପ ଉଠିବା ପରେ ଶହ ଶହ ଉପସ୍ଥିତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ଜାଗର ଅବସରରେ ନାମ ସଂକୀର୍ତ୍ତନ ଓ ଭଜନକୀର୍ତ୍ତନ ସହିତ ଶାନ୍ତିସ୍ତୁପ ପରିସରରେ ଭକ୍ତି ସଂଙ୍ଗୀତ ପରିବେଷଣ ହୋଇଥିବା ସେବାୟତ ସୁବାସ ଚନ୍ଦ୍ର ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର