ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଅସିତ୍ ମହାନ୍ତିଙ୍କ ଦ୍ବାରା ଲିଖିତ ଓ ‘ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ‘ଲକ୍ଷ୍ମୀପୁରାଣ କଥା’ ଆଜି ସନ୍ଧ୍ୟାରେ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଆମ ଓଡ଼ିଶା ଷ୍ଟଲ୍ରେ ଉନ୍ମୋଚିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, ଏ ଯାଏ ମାର୍ଗଶିର ମାସର ଗୁରୁବାରରେ ଘରେ ଘରେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ନାମରେ ଯାହା ଆମେ ପଢି ଆସିଛୁ, ତାହା ବଳରାମ ଦାସଙ୍କ ପ୍ରକୃତ ‘ଲକ୍ଷ୍ମୀପୁରାଣ’ ନୁହେଁ। ଶହ ଶହ ବର୍ଷ ଧରି ପୋଥିରୁ ପୋଥିକୁ ବାରମ୍ବାର ନକଲ ହୋଇ ଥରକୁ ଥର ତାହା ବଦଳି ଯାଇଛି। ସେଥିରୁ ବଳରାମ ଦାସ ଏବଂ ତାଙ୍କର ଭାଷା ଓ ବିଷୟ ହଜି ଯାଇଛନ୍ତି। ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ଓ ଚରିତ୍ର ବି ସେଥିରୁ ନିଖୋଜ ହୋଇ ଯାଇଛନ୍ତି। ଲେଖକ ଶ୍ରୀ ମହାନ୍ତି ବଜାରରେ ମିଳୁଥିବା ‘ଲକ୍ଷ୍ମୀପୁରାଣ’ରେ ଥିବା ତ୍ରୁଟିକୁ ସୁଧାରି ଅନେକ ସନ୍ଦେହ ଓ ଦ୍ବନ୍ଦ୍ବକୁ ଦୂର କରିଛନ୍ତି, ଯାହା ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’କୁ ପ୍ରକୃତ ପରିଚୟ ଦେଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ବିଶିଷ୍ଟ ଅତିଥି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପଞ୍ଚାନନ କାନୁନ୍ଗୋ ଯୋଗଦେଇ ‘ଲକ୍ଷ୍ମୀପୁରାଣ କଥା’କୁ ଓଡ଼ିଶା ଭିତରେ ସୀମିତ ନରଖି ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁବାଦ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବରେ ଶ୍ରୀ ପଟ୍ଟନାୟକ ଏକମତ ହୋଇଥିଲେ। ସମ୍ମାନିତ ଅତିଥି ଲେଖିକା ବନଜ ଦେବୀ ଯୋଗଦେଇ କହିଲେ, ‘ଲକ୍ଷ୍ମୀ ପୁରାଣ’କୁ ନେଇ ‘ସମ୍ବାଦ’ରେ ପ୍ରକାଶ ପାଉଥିବା ସ୍ତମ୍ଭକୁ ସେ ନିୟମିତ ପଢ଼ୁଥିଲେ। ଏବେ ତାହା ପୂର୍ଣ୍ଣ ପୁସ୍ତକ ପ୍ରକାଶ ପାଉଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ଲେଖିକା ତଥା ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ଓଡ଼ିଆ ସାହିତ୍ୟ ତଥା ସମଗ୍ର ଭାରତରେ ‘ଲକ୍ଷ୍ମୀପୁରାଣ’ ନାରୀସଶକ୍ତିକରଣ ବଡ଼ ଉଦାହରଣ ବୋଲି କହିଥିଲେ। ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ତଥା ଗବେଷକ ମହିମୋହନ ତ୍ରିପାଠୀ ଲେଖକଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।
‘ଆମ ଓଡ଼ିଶା’ ପ୍ରକାଶନର ସମ୍ପାଦକ ତଥା ‘ଲକ୍ଷ୍ମୀ ପୁରାଣ’ ପୁସ୍ତକର ଲେଖକ ଶ୍ରୀ ମହାନ୍ତି ତାଙ୍କ ଲେଖକୀୟ ଅଭିବ୍ୟକ୍ତିରେ କହିଥିଲେ, ଗତ ବର୍ଷ ମାର୍ଗଶୀର ମାସ ଅବସରରେ ‘ସମ୍ବାଦ’ରେ ୮୪ଟି ଲେଖା ଧାରାବାହିକ ଭାବେ ପ୍ରତିଦିନ ପ୍ରକାଶ ପାଇଥିଲା। ସେଥିରେ ୧୭ଟି ନୂଆ ଲେଖା ମିଶାଇ ମୋଟ୍ ୧୦୧ଟି ଲେଖାର ପୁସ୍ତକ ‘ଲକ୍ଷ୍ମୀପୁରାଣ କଥା’ ପ୍ରକାଶିତ ହୋଇଛି। ବଜାର ସଂସ୍କରଣରେ ଥିବା ତ୍ରୁଟି ବିଚ୍ୟୁତିଗୁଡ଼ିକର ଆଲୋଚନା କରାଯାଇ ଏହି ପୁସ୍ତକରେ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର ମୂଳପାଠକୁ ଉପସ୍ଥାପିତ କରାଯାଇଛି ବୋଲି ସେ କହିଥିଲେ।
ସଭାରେ ‘ଆମ ଓଡ଼ିଶା’ର ରାଜ୍ୟ ସମ୍ପାଦକ ସ୍ବରାଜ ମିଶ୍ର ସଂଯୋଜନା କରିଥିଲେ। ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର ଓ ମୁଖ୍ୟ ପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ‘ପୌରୁଷ’ର ସହ-ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଉପସ୍ଥିତ ଥିଲେ।