ଭୁବନେଶ୍ବର: ବର୍ଷେ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି ଲକ୍ଷ୍ମୀସାଗରର ତ୍ରିନାଥ ମନ୍ଦିର। ନିକଟସ୍ଥ ପଞ୍ଚମୀ ମଣ୍ଡପ ଯୁବକ ସଂଘ କ୍ଲବ ଘରେ ଏକ ଅସ୍ଥାୟୀ ମଣ୍ଡପରେ ଠାକୁର ପୂଜା ପାଉଛନ୍ତି। ବିଧାୟକ ପାଣ୍ଠିରୁ ତିନି ବର୍ଷ ତଳେ ମନ୍ଦିର ନିର୍ମାଣ ପାଇଁ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଟଙ୍କାଟିଏ ମିଳିନାହିଁ। ତେଣୁ ସ୍ଥାନୀୟ ଲୋକମାନେ ଟଙ୍କା ଆଦାୟ କରି ମନ୍ଦିର କାର୍ଯ୍ୟ ପୂରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସମାନ କଥା ଦେଖିବାକୁ ମିଳିଛି ଲକ୍ଷ୍ମୀନାରାୟଣ ମନ୍ଦିର କ୍ଷେତ୍ରରେ। ପ୍ରାୟ ହଜାର ବର୍ଷର ପୁରୁଣା ମନ୍ଦିର ୨ ମାସ ତଳେ ଭାଙ୍ଗି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇ ପାରି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାନୂସାରେ ତ୍ରିନାଥ ମନ୍ଦିର ହେଉଛି ପ୍ରାୟ ୭୦ ବର୍ଷ ତଳର। ଲକ୍ଷ୍ମୀସାଗର ଉପରସାହିର ଲୋକମାନେ ଠାକୁରଙ୍କୁ ଏକ ବଉଳ ଗଛ ତଳେ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। କାଳକ୍ରମେ ଏକ ପିଣ୍ଡି ଓ ଏକ ମନ୍ଦିର କରି ସେଥିରେ ପଥର ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ବାର ମାସରେ ତେର ପର୍ବ ଏହି ମନ୍ଦିରରେ ପାଳନ ହୋଇଆସୁଛି। ସ୍ଥାନୀୟ ଲୋକମାନେ ବାହାଘର, ବ୍ରତଘରଠାରୁ ଆରମ୍ଭ କରି ବିଭିନ୍ନ ଶୁଭକାର୍ଯ୍ୟ କରିଆସୁଥିଲେ। କାଳକ୍ରମେ ମନ୍ଦିର ସମ୍ମୁଖ ରାସ୍ତା ଉଚ୍ଚା ହୋଇଯିବା ଫଳରେ ମନ୍ଦିର ରାସ୍ତା ତଳକୁ ହୋଇଗଲା। ତେଣୁ ପ୍ରତିବର୍ଷ ବର୍ଷା ଦିନରେ ମନ୍ଦିର ମଧ୍ୟରେ ମଇଳା ଆବର୍ଜନା ପଶି ପରିବେଶକୁ ଦୂଷିତ କରିଥିଲା। ଯାହା ଠାକୁରଙ୍କ ନୀତିରେ ବିଭ୍ରାଟ କରିଥିଲା। ତେଣୁ ପରିଚାଳନା କମିଟି ମନ୍ଦିରକୁ ଭାଙ୍ଗି ଆଉଥରେ ଉଚ୍ଚା କରି କରିବାକୁ ପ୍ରସ୍ତାବ ଦେଇଥିଲେ। ତେଣୁ ସାହି ଲୋକମାନେ ମନ୍ଦିରକୁ ଭାଙ୍ଗି ଦେବାକୁ ସ୍ଥିର କଲେ। ସେଥିପାଇଁ ଠାକୁରଙ୍କୁ ନିକଟସ୍ଥ ପଞ୍ଚମୀମଣ୍ଡପ ଯୁବକ ସଂଘ କ୍ଲବ ଘରେ ଏକ ଅସ୍ଥାୟୀ ପିଣ୍ଡିରେ ଠାକୁରଙ୍କୁ ସ୍ଥାପନ କରି ମନ୍ଦିର ଭାଙ୍ଗି ଦେଇଥିଲେ। କିନ୍ତୁ ମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଟଙ୍କା ଅଭାବରୁ ଆଉ ବର୍ଷେ ହେବ କାମ ଅଧାପନ୍ତରା ପଡ଼ି ଅଟକି ରହିଛି। ପୂର୍ବରୁ ପ୍ରାୟ ଅଢ଼େଇ ବର୍ଷ ତଳେ ବିଧାୟକ ପାଣ୍ଠିରୁ ୩ ଲକ୍ଷ ୭୫ ହଜାର ଟଙ୍କା ମନ୍ଦିର ନିର୍ମାଣରେ ଅନୁଦାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।
ଏହା ସହ ନିକଟସ୍ଥ କ୍ଲବ ପଞ୍ଚମୀ ମଣ୍ଡପ ଯୁବକ ସଂଘ କ୍ଲବକୁ ମଧ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଦୁଇ ଅନୁଦାନ ଟଙ୍କାକୁ ଯୋଡ଼ି ମନ୍ଦିର ଓ କ୍ଲବ ନିର୍ମାଣରେ ଖର୍ଚ୍ଚ ହୋଇଥାନ୍ତା। କିନ୍ତୁ ଏବେ ଯାଏ ଟଙ୍କା ମିଳି ନଥିବାରୁ କାମ ଅଟକି ଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ପରେ ଚଳିତ ବର୍ଷ ଫେବ୍ରୁଆରି ମାସରେ ବିଧାୟକ ଅନନ୍ତ ନାରାୟଣ ଜେନା ଆସି ମନ୍ଦିର କାମ ଦେଖିବା ସହିତ ସାଢ଼େ ୭ ଲକ୍ଷ ଟଙ୍କା ସପ୍ତାହ ମଧ୍ୟରେ ଦିଆଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଟଙ୍କା ମିଳିଲା ନାହିଁ। ଫଳରେ ଟଙ୍କା ନ ମିଳିବାରୁ ଅଟକି ଥିବା କାମ ସ୍ଥାନୀୟ ଲୋକମାନେ ଟଙ୍କା ଆଦାୟ କରି କିଛି ଦିନ ମଧ୍ୟରେ ପୁଣି ଆରମ୍ଭ କରିବେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଅନ୍ୟପକ୍ଷରେ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାୟ ୨ ହଜାର ବର୍ଷର ହୋଇଥିବା ଜଣାଯାଏ। ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଏହି ମନ୍ଦିର କରାଯାଇଥିବା ଐତିହାସିକଙ୍କ ମତ। ଏହି ମନ୍ଦିରରେ ପୂଜା ପାଉଥିବା ଲକ୍ଷ୍ମୀନାରାୟଣଙ୍କ ଯୁଗଳ ମୂର୍ତ୍ତି ବିରଳ। ଏହି ପୁରୁଣା ମନ୍ଦିର ଠିକ୍ ଥିଲେ ସୁଦ୍ଧା କାହିଁକି ଭଙ୍ଗାଗଲା କେହି ଜାଣନ୍ତି ନାହିଁ। କିନ୍ତୁ ମନ୍ଦିରକୁ ୨ରୁ ୩ ମାସ ହେଲା ଭଙ୍ଗା ଯାଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ପାରି ନାହିଁ। ତେଣୁ ଠାକୁରଙ୍କୁ ନିକଟସ୍ଥ ଏକ ଭାଗବତ ଗୃହରେ ରଖି ପୂଜା କରାଯାଉଛି। ଏହି ଦୁଇ ମନ୍ଦିର ଯଥାଶୀଘ୍ର ଆରମ୍ଭ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।