ଲକ୍ଷ୍ମୀସାଗରରେ ହେବ ୧୩ କୋଟିର ଇନ୍‌ଡୋର୍‌ ଷ୍ଟାଡିୟମ୍‌, ଏକାମ୍ରରେ ୭.୫ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ

ଭୁବନେଶ୍ବର: ଲକ୍ଷ୍ମୀସାଗର ହାଇସ୍କୁଲ୍‌ ପଡ଼ିଆରେ ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ନିର୍ମାଣ ପାଇଁ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଭୁବନେଶ୍ବର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଷ୍ଟାଡିୟମ୍‌ ନିର୍ମାଣ ହେଲେ, ବହୁ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି କ୍ରୀଡ଼ା କ୍ଷେତ୍ରରେ ଅଗ୍ରଗତି କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ। ବିଧାୟକ ଶ୍ରୀ ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସର୍ବଦା ରାଜ୍ୟରେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି। ଭବିଷ୍ୟତରେ ଏ ଷ୍ଟାଡିୟମ୍‌‌ରୁ ଅନେକ କ୍ରୀଡ଼ାବିତ୍‌ ବାହାରି ଜାତୀୟସ୍ତରରେ ନିଶ୍ଚିତ ଭାବେ ଓଡ଼ିଶାର ନାମ ଉଜ୍ଜ୍ବଳ କରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ପୌର ପ୍ରଶାସକ ସଂଗ୍ରାମଜିତ୍‌ ନାୟକ, ପୂର୍ବତନ କର୍ପୋରେଟର୍‌ ରାଜଲକ୍ଷ୍ମୀ ନାୟକ, ଯୁବ ବିଜେଡି ସଭାପତି(ମଧ୍ୟ) ଭରତ ଲେଙ୍କା, ଦୀପକ ପରିଡା, ଶାଶ୍ବତୀ ଲେଙ୍କା, ଧେଡ଼ ଲେଙ୍କା, ବିଜୟ କେତନ ସାହୁ, କିଶୋର ନାୟକ, ବହୁ ପୂର୍ବତନ କର୍ପୋରେଟର୍‌, ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ଛାତ୍ରଛାତ୍ରୀ, ଗ୍ରାମର ବରିଷ୍ଠ ନାଗରିକ ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ କିଛି କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଧିତ କରାଯାଇଥିଲା।

ଭୁବନେଶ୍ବର: ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୫୫, ୬୧, ୫୧, ୬୪, ୪୯ ଅଞ୍ଚଳରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗତକାଲି ଓ ଆଜି ୭.୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରେ ଅର୍ବାନ ସ୍ମାର୍ଟ ରୋଡ୍‌ ଯୋଜନାରେ ୱାର୍ଡ ନଂ ୫୫ର ନାଗେଶ୍ବର ଟାଙ୍ଗୀ, ସୁଡା ଅଫିସ୍ ନିକଟ, ରବିଟକିଜ୍ ରୋଡ, ବ୍ଲକ ଅଫିସ ପର୍ଯ୍ୟନ୍ତ ରାସ୍ତା, ୱାର୍ଡ ନଂ ୫୧ ଶତାବ୍ଦୀ ନଗରର ସମସ୍ତ ଅଞ୍ଚଳ, ପ୍ରଶାନ୍ତିବିହାରର ରାସ୍ତା ଓ ଡ୍ରେନ୍‌, ୱାର୍ଡ ନଂ ୪୯ର ଖଣ୍ଡଗିରିବିହାର ରାସ୍ତା, କୋଳଥିଆ ଲକ୍ଷ୍ମୀପୂଜା ମଣ୍ଡପ ଏବଂ ଶ୍ମଶାନ ପାଖ ରାସ୍ତାର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ଓ ୱାର୍ଡ ନଂ ୬୪ରେ ଏକ ପୋଲ, ୱାର୍ଡ ନଂ ୬୧ର କ୍ରିଷ୍ଟିନ୍ ଗାର୍ଡେନ୍‌ ଅଞ୍ଚଳର ରାସ୍ତା ଶିଳାନ୍ୟାସ କରିଥିଲେ। ସେହିପରି କାରଗିଲ ବସ୍ତିରେ ଷ୍ଟ୍ରିଟ ଲାଇଟ୍ ଏବଂ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ କୋଳଥିଆ ସତ୍ୟସାଇ ଏନକ୍ଲେଭ ୱେଲଫେୟାର ସୋସାଇଟିର ବରିଷ୍ଠ ନାଗରିକମାନଙ୍କ ପାଇଁ ପାଠାଗା‌ରକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବିପିନ୍ ଦାସ, ପୂର୍ବତନ କର୍ପୋରେଟର୍‌ ନୃପେଶ ନାୟକ, ହୃଦୟ ବଲ୍ଲଭ ସାମନ୍ତରାୟ, ବିଜୟିନୀ ଜେନା, ମୁଜାହିଦ ହୁସେନ, ରୁନୁ ଜେନା, ଅଶ୍ବିନୀ ସୁନ୍ଦରାୟ, ଦିଲ୍ଲୀପ ମାଝି, ବଳରାମ ସ୍ୱାଇଁ, କୈଳାସ ଦାସ, ଶତ୍ରୁଘ୍ନ ନାୟକ, ସତ୍ୟବ୍ରତ ଦାସ, ନାରାୟଣ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର