ପିଲାବେଳେ ମିଛିମିଛିକା ବୋହୂବୋହୂକା ଖେଳୁଖେଳୁ ଝିଅଟିଏ ବୋହୂ ସାଜିବାର ସ୍ୱପ୍ନରେ ବିଭୋର ହୁଏ। ପାଦରେ ଅଳତା, ମଥାରେ ଓଢ଼ଣି ଢ଼ାଙ୍କି ଲାଲ ଟୁକ୍ଟୁକ୍ ସାଧବ ବୋହୂଟିଏ ପରି ଦିଶିବାକୁ କିଏ ବା ମନ ନକରିବ। ଇଚ୍ଛା ଥାଏ, ବିବାହ ଦିନ ସେ ରାଜକୁମାରୀ ସାଜିବ। ବର ତା’ର ରାଜକୁମାର ସାଜି ଘୋଡ଼ାରେ ଆସିବ। ଏସବୁ ଆଜି ହୁଏତ ପରୀ ରାଇଜର କାହାଣୀ ପରି ଲାଗୁଥାଇପାରେ, କିନ୍ତୁ ଆଜିର ଏ ଅତ୍ୟାଧୁନିକ ଦୁନିଆରେ ଏ ସ୍ୱପ୍ନ ଯେମିିତି ତା’ର ଅତି ନିକଟରେ। ବେଶପୋଷାକଠୁ ନେଇ ପ୍ରସାଧାନ ସାମଗ୍ରୀ। ସବୁଥିରେ ଅତ୍ୟାଧୁନିକତାର ଛାପ ତା’ର ସେ ପିଲାଦିନର ସ୍ୱପ୍ନକୁ ହାତ ମୁଠାରେ ଅଜାଡ଼ି ଦେଇଛି।
ବନାରସୀ ଲେହେଙ୍ଗାରେ ବଧୂ ବେଶ
ଲାଲ୍ ଟୁକ୍ଟୁକ୍ ସାଧବ ବୋହୂଟିଏ ଆଗେ ଶାଢି ପିନ୍ଧି ବେଦିରେ ବସୁଥିବା ବେଳେ ଏବେ ଏହାର ସ୍ଥାନ ନେଇଛିି ଲେହେଙ୍ଗା। ବଜାରରେ ଭେଲ୍ଭେଟ୍, ନେଟ୍, ମାଇକ୍ରୋଷ୍ଟେନ, ନିମ୍ଜରି ଓ୍ଵାକ୍, ଜରଦେଜି, ସିଲ୍କ, ବନାରସୀ କାମ ଥିବା ଲେହେଙ୍ଗାର ଚାହିଦା ବହୁତ ଅଧିକ। ଏହାର ମୂଲ୍ୟ ୧୦ ହଜାରରୁ ଆରମ୍ଭ ହୋଇ ୧ଲକ୍ଷ ୨୧ହଜାରରୁ ଅଧିକ ରହିଛି। ଏହି ସମସ୍ତ ଜିନିଷ କୋଲକାତା ଓ ସୁରାଟରୁ ଆସୁଛି। ଲେହେଙ୍ଗା ସାଙ୍ଗକୁ ଓଢଣିର ଆବଶ୍ୟକତା ରହିଥିବାରୁ ଏବେ ବନାରସୀ ଓ ସୂତାକାମ ଓଢଣିର ଚାହିଦା ରହିଛି। ୩ ହଜାର ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଦର ରହିଥିବା ବେଳେ ଏହାଠୁ ଆହୁରି ଅଧିକ ଦରରେ ମଧ୍ୟ ଓଢ଼ଣି ଉପଲବ୍ଧ ହେଉଥିବା ବାଣୀବିହାର ପାଖରେ ଥିବା ମାନ୍ୟବର ଓ ମୋହି ସୋରୁମ୍ରେ ମ୍ୟାନେଜର ଅମୂଲ୍ୟ ସାହୁ କହିଛନ୍ତି।
କେଶରେ ମ୍ୟାସି ବନ୍
ବ୍ରାଇଡାଲ୍ ଲୁକ୍ରେ ଖୋସାକୁ ବେଶି ପ୍ରାଧାନ୍ୟ ଦିଆଯାଏ। ଆଗରୁ ସରଳ ଖୋସା କରାଯାଉଥିଲା। କିନ୍ତୁ ଏବେ ଝିଅଙ୍କର ଅଧିକ ପସନ୍ଦ ମ୍ୟାସି ବନ୍ ଷ୍ଟାଇଲ, ଫ୍ରେଞ୍ଚ୍ ଓ ଷ୍ଟାଇଲିଷ୍ଟ ବନ୍। ଏଥିମଧ୍ୟରୁ ପାର୍ଲରରେ ଏବେ ମ୍ୟାସି ଷ୍ଟାଇଲ୍କୁ ବେଶି ଗୁରୁତ୍ୱ ଦିଆଯାଉଛି। ଏହି ଷ୍ଟାଇଲରେ କେଶ ଢେଉ ପରି ରହୁଥିବା ବେଳେ କେଶ ଘନ ଦେଖାଯାଏ। ଏହା ଲେହେଙ୍ଗା ଓ ଶାଢ଼ି ସହ ଭଲ ମାନେ। ପାର୍ଲର୍ରେ ଏହି ଷ୍ଟାଇଲ୍ କରିବାକୁ ଦାମ୍ ୧୦୦୦ ଟଙ୍କାରୁ ଊର୍ଧ୍ୱ ରହୁଛି। ଏହି ଷ୍ଟାଇଲ୍ କରି ସେଥିରେ ହେଆର୍ କ୍ଲିପ୍ ଏବଂ ଗଜରା ଲଗାଯାଏ। ଏହାର ଆକାର ବଡ଼ ହୋଇଥାଏ ଓ କଣ୍ଢେଇ ପରି ଲୁକ୍ ଦିଏ।
ନେଲ୍ରେ ଥ୍ରିଡି ଲୁକ୍
ରଙ୍ଗବେରଙ୍ଗ ନେଲ୍ ପଲିସ୍ ଲଗାଇବାର ଚିରାଚରିତ ଧାରାରୁ ଆଉ ପାଦେ ଆଗକୁ ବଢ଼ି ଯୁବତୀମାନେ ନେଲ୍ ଆଟ୍ ଟ୍ରେଣ୍ଡ୍ରେ ସାମିଲ୍ ହୋଇଛନ୍ତି। ମଲ୍ଟି କଲର ସହ ନଖରେ ବିଭିନ୍ନ କିସମର ଚିତ୍ର ଓ ଫୁଲ ଆଙ୍କୁଛନ୍ତି। ଟୁ-ଡି ଓ ଥ୍ରି-ଡି ନେଲ୍ ଆର୍ଟ୍ ସହ ଜିଙ୍କ୍ ଓ ଓ୍ଵାଟର୍ କଲ୍ର୍ ନେଲ୍ପଲିସ୍ ଏବେ କଲେଜ ପଢ଼ୁଆ ଝିିଅଙ୍କଠାରୁ ଆରମ୍ଭ କରି ବିବାହ କରିବାକୁ ଯାଉଥିବା ଝିଅ ଓ ନବ ବିବାହିତାଙ୍କର ଖୁବ୍ ପସନ୍ଦ ପାଲଟିଛି। ଖାଲି ସେତିକି ନୁହେଁ ରଙ୍ଗିନ ନଖ ଉପରେ ଷ୍ଟୋନ୍ର ପ୍ରଲେପ ନିଆରା ଅନୁଭବ ଦେଉଛି। ଏହି ପରମାନେଣ୍ଟ୍ ଆର୍ଟ୍ର ଦର ୧୬୦୦ ଟଙ୍କାରୁ ତଦୁର୍ଦ୍ଧ ରହିଥିବା ବେଳେ ଟେମ୍ପରାରି ନେଲ୍ ଆର୍ଟର ଦର ରହିଛି ୫୦୦ ଟଙ୍କା। ପାଲ୍ ହାଇଟ୍ସ୍ଥିତ ‘ପସ୍ ନେଲ୍’ର ଶ୍ରୀନା କୌରଙ୍କ କହିବା ଅନୁଯାୟୀ, ପର୍ମାନେଣ୍ଟ ନେଲ୍ ଆର୍ଟ ପରେ ଏହି ରଙ୍ଗିନ୍ ନଖ ସବୁ ଦିନ ପାଇଁ ରହିବ। ଯେଉଁଭଳି ଷ୍ଟ୍ରେଟ୍ନିଂ କରିବାର କିଛି ଦିନ ପରେ କେଶ ବଢ଼ିଲେ ଆମକୁ ଟଚ୍ ଅପ୍ ଦେବାକୁ ପଡ଼େ ସେହିଭଳି ଏହି ପର୍ମାନେଟ୍ ନେଲ୍ ଆର୍ଟ କରିବାର ତିନି ସପ୍ତାହ ପର୍ଯ୍ୟନ୍ତ ଏହା ସେହିଭଳି ରହିବ। ୩ ସପ୍ତାହ ପରେ ନଖ ବଢ଼ିଲା ପରେ ରି-ଫିଲ୍ କରିବାକୁ ପଡ଼ିବ। ନିୟମିତ ବ୍ୟବଧାନରେ ରି-ଫିଲ୍ କରିବା ଆବଶ୍ୟକ ପଡ଼ୁଥିବା ବେଳେ ଏଥିପାଇଁ ୪୦୦ ଟଙ୍କା ଲାଗେ ବୋଲି ସେ କହିଛନ୍ତି।
ବଧୂଙ୍କ ପସନ୍ଦ ରାଜସ୍ଥାନୀ, ଗୁଜରାଟୀ ମେହେନ୍ଦି
କଥାରେ ଅଛି, ମେହେନ୍ଦି ଯେତେ ଗାଢ଼ ପାଚେ ବର ସେତେ ସୁନ୍ଦର ହୋଇଥାଏ। ପୂଜା ପାର୍ବଣରେ ମେହେନ୍ଦି ଲଗାଇବା ଯଦିଓ ଏକ ସାଧାରଣ ଅଭ୍ୟାସ କିନ୍ତୁ ବାହାଘରରେ ଏହା ଟିକେ ନିଆରା। ଏବେ କିଛି ପରିବାରରେ ମେହେନ୍ଦି ଲଗାଇବା ପାଇଁ ମେହେନ୍ଦି ରସମ ବି ହେଲାଣି। ଆମ ଓଡ଼ିଆ ସଂସ୍କୃତିରେ ଏହା ନଥିଲେ ମଧ୍ୟ ଆଧୁନିକତାର ଚାପରେ ଏହା ଧସେଇ ପଶି ଆସିଛି। ଝିଅମାନେ ହାତରେ ରାଜା ଓ ରାଣୀର ଡିଜାଇନ କରିବାକୁ ଭଲ ପାଆନ୍ତି। ସେଥିପାଇଁ ରାଜସ୍ଥାନୀ ଓ ଗୁଜୁରାଟୀ ମେହେନ୍ଦି ଡିଜାଇନ୍ ବେଶ୍ ଚାହିଦାରେ। ଏହି ବ୍ରାଇଡାଲ ମେହେନ୍ଦିର ଦାମ୍ ୩ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଆଜିକାଲି ଝିଅମାନେ ବିଭିନ୍ନ ରଙ୍ଗର ମେହେନ୍ଦି ଲଗାଇବାକୁ ପସନ୍ଦ କରୁଛନ୍ତି। ବିଶେଷତଃ କଳା ଓ ନାଲି ରଙ୍ଗକୁ ପସନ୍ଦ କରୁଛନ୍ତି। ମେହେନ୍ଦି ସହ ଇସ୍ପାର୍କଲରକୁ ଗୋଳାଇ କରି ବିଭିନ୍ନ ରଙ୍ଗ ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି। ନୂଆପଲ୍ଲୀସ୍ଥିତ ‘ଦ ଓ୍ଵାର୍ଲ୍ଡ୍’ ଠାରେ ରଣବୀର ନାୟକଙ୍କ ଷ୍ଟୋର୍ରେ ଏହି ମେହେନ୍ଦି ଉପଲବ୍ଧ ହେଉଥିବା ବେଳେ ଏହାର ଦାମ୍ ୪୦୦ରୁ ୧୦୦୦ ଟଙ୍କା ରହିଛି।
ପ୍ଲାଟିନମ୍ ଫେସିଆଲ୍ରେ ନୂଆ ଲୁକ୍
ଦିନ ଥିଲା ବାହାଘର ଆସିଲେ ଗୋରାପଣ ପାଇବା ପାଇଁ ହଳଦୀ ଥିଲା ଏକମାତ୍ର ବିକଳ୍ପ। କିନ୍ତୁ ଏବେ ବିବାହର ଦୁଇ ମାସ ଆଗରୁ ଆରମ୍ଭ ହୋଇଯାଉଛି ପେଡିକିଓର ଓ ମାନିକିଓର। ମୁଖ୍ୟତଃ ମୁହଁ ଉଜ୍ଜ୍ୱଳ ଦେଖାଯିବା ପାଇଁ ବିଭିନ୍ନ ବ୍ରାଣ୍ଡ୍ର ଫେସିଆଲ ବ୍ୟବହାର କରାଯାଉଛି। ତାହା ମଧ୍ୟରୁ ଆଜିକାଲି O3+ ବ୍ରାଣ୍ଡ୍ କ୍ରିମ୍ର ଚାହିଦା ବେଶି। ବ୍ରାଇଡାଲ ଲୁକ ପାଇଁ ଡାଇମଣ୍ଡ୍, ଗୋଲ୍ଡ ଓ ପ୍ଲାଟିନମ୍ର ଫେସିଆଲ୍ ଝିଅଙ୍କ ଅଧିକ ପସନ୍ଦ। ଏହି ଫେସିଆଲ୍ର ଦାମ୍ ୩ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି। ହେୟାର୍ ହ୍ୟାକର୍ର ପାର୍ଲର୍ ମାଲିକ ଜିତେନ୍ଦ୍ର ଠାକୁର କୁହନ୍ତି, ଏହି ବ୍ରାଣ୍ଡ୍ ୟୁଏସ୍ଏରୁ ଆସେ। ଏହା ଆୟୁର୍ବେଦ ଉତ୍ପାଦ ହୋଇଥିବାରୁ ପାର୍ଶ୍ୱପ୍ରତିକ୍ରିୟା ନଥାଏ। ଦୁଇଦିନ ଆଗରୁ ଏହି ଫେସିଆଲ୍ ହେବାକୁ ପଡ଼େ। କାରଣ ମୁହଁରେ ଉଜ୍ଜ୍ୱଳପଣ ଆସିବାକୁ ୪୮ ଘଣ୍ଟା ଲାଗେ ଏବଂ ପ୍ରାୟ ମାସେ ପର୍ଯ୍ୟନ୍ତ ଏହା ମୁହଁରେ ରୁହେ ବୋଲି ଶ୍ରୀ ଠାକୁର୍ କୁହନ୍ତି।