ଓଡ଼ିଶା ଲଳିତ କଳା ଏକାଡେମିର କରିତକର୍ମା କର୍ମଚାରୀ ସଚିବଙ୍କ ଜାଲ ଦସ୍ତଖତ କରି ବିଜ୍ଞା‌ପନ ଛପାଇଲେ

ବଡ଼ଗଡ଼ ଥାନାରେ ଏତଲା

ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମିର କରିତକର୍ମା କର୍ମଚାରୀ। ଏହି କାରଣରୁ ତାଙ୍କୁ ବିଭାଗ ନିଲମ୍ବିତ କରି ସାରିଛି। କିନ୍ତୁ ସେ ବିଭାଗୀୟ ସଚିବ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କାଗଜପତ୍ରକୁ ଜାଲ କରି ନିଜ ସପକ୍ଷରେ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ କରାଇଛନ୍ତି। ଏଭଳି ଜାଲ ବିଜ୍ଞାପନ ଛପାଯିବା ପରେ ଏ ସମ୍ପର୍କରେ ସଚିବ ବଡ଼ଗଡ଼ ଥାନାରେ ଆଜି ଏତଲା ଦେଇଛନ୍ତି। ପୁଲିସ ତାଙ୍କ ଏତଲାକୁ ଗ୍ରହଣ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ଚଳିତ ମାସ ୧୩ ତାରିଖରେ ଓଡ଼ିଶା ଲିଳିତ କଳା ଏକାଡେମି ସଚିବଙ୍କ ମାର୍ଫତରେ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଥିଲା, ‘‘ଓଡ଼ିଶା ଲଳିତ କଳା ଏକାଡେମିର ବରିଷ୍ଠ ସହାୟକ ସୁଶାନ୍ତ କୁମାର ସ୍ବାଇଁଙ୍କୁ ନିଲମ୍ବିତ କରାଯାଇଛି। ତୁମ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଏ ସଂକ୍ରାନ୍ତରେ ଏକ ଚିଠି ଚପରାସି ଦ୍ବାରା ପଠା ଯାଇଥିଲା। କିନ୍ତୁ ତୁମେ ତାକୁ ଗ୍ରହଣ କଲ ନାହିଁ। ପୁନଃଶ ସ୍ପିଡ୍‌-ପୋଷ୍ଟରେ ତୁମ ବାସସ୍ଥାନକୁ ପଠାଯାଇଥିଲା। କିନ୍ତୁ ତୁମେ ସେଠାରେ ଅନୁପସ୍ଥିତ ଥିଲ। ତେଣୁ ଉକ୍ତ ନୋଟିସ୍‌ ପ୍ରକାଶିତ ହେବାର ସାତ ଦିନ ମଧ୍ୟରେ ତୁମେ କାର୍ଯ୍ୟାଳୟକୁ ଆସି ଉକ୍ତ କାର୍ଯ୍ୟବିଧିକୁ ଗ୍ରହଣ କରିବାକୁ ଅନୁରୋଧ କରାଗଲା। ଏଥିରେ ବ୍ୟତିକ୍ରମ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।’’ ଏଭଳି ବିଜ୍ଞାପନ ପ୍ରକାଶ ପାଇବାର ଠିକ୍‌ ୭ଦିନ ପରେ ଅର୍ଥାତ ଚଳିତ ମାସ ୨୦ ତାରିଖରେ ପୁଣି ଏକ ବିଜ୍ଞାପନ ସଚିବଙ୍କ ମାର୍ଫତରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯେଉଁଥିରେ ଉଲ୍ଲେଖ ଥିଲା, ଏତଦ୍‌ଦ୍ବାରା ଓଡ଼ିଶା ଲଳିତ କଳା ଏକାଡେମିର ବରିଷ୍ଠ ସହକାରୀ ସୁଶାନ୍ତ କୁମାର ସ୍ବାଇଁ ଏବଂ ତାଙ୍କ ପରିବାରବର୍ଗଙ୍କ ଅବଗତ ନିମନ୍ତେ ଜଣାଇ ଦିଆଯାଉଛି କି, ଗତ ୧୩ ତାରିଖରେ ପ୍ରକା‌ଶିତ ବିଜ୍ଞାପନ ଶ୍ରୀ ସ୍ବାଇଁ ଓ ତାଙ୍କ ପରିବାରବର୍ଗ ମାନସିକ ଯନ୍ତ୍ରଣା ପାଇଥିବା ନେଇ ସେ ପ୍ରମୁଖ ଶାସନ ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନିକଟରେ ଅଭିଯୋଗ କରିବା ସହ ତଦନ୍ତ ପାଇଁ ଆବେଦନ କରିଥିଲେ। ତଦନ୍ତ ପରେ ଜଣାପଡ଼ିଥିଲା, ଏକାଡେମିର ଉପବିଭାଗ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଚପରାସି ଶରତ ଚନ୍ଦ୍ର ସାମଲଙ୍କଠାରୁ ଚିଠିଟି ନେଇ ନିଜ ପାଖରେ ରଖିଥିଲେ। ଭୁଲ ଠିକଣା ଯୋଗୁଁ ଡାକ ଯୋଗେ ଯାଇଥିବା ଚିଠି ଫେରସ୍ତ ଆସିଥିଲା। ଶ୍ରୀ ସ୍ବାଇଁ ଜଣେ ଶୃଙ୍ଖଳିତ କର୍ମଚାରୀ। ଏହା ଛଡ଼ା ପ୍ରସନ୍ନ କୁମାର ମିଶ୍ର ଓ ଚପରାସି ଶରତ ଚନ୍ଦ୍ର ସାମଲଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ସରକାରଙ୍କୁ ଅବଗତ କରାଯାଇଛି।

ଏଭଳି ବିଜ୍ଞାପନ ପ୍ରକାଶ ପାଇବା ପରେ ଲଳିତ କଳା ଏକାଡେମି ସଚିବ ମନସ୍ବିନୀ ସାହୁ ତ୍ରୀବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କହିଛନ୍ତି, ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ସେ ତାଙ୍କ ଦସ୍ତଖତକୁ ଜାଲ କରି ଏଭଳି ମିଥ୍ୟା ବିଜ୍ଞାପନ ଛପାଇଛନ୍ତି। ଏପରିକି ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଛପାଇବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଚିଠିକୁ ମଧ୍ୟ ଜାଲ କରିଥିବା ଜଣାପଡ଼ିଛି। ଏଭଳି ବିଜ୍ଞାପନ ଛପାଯିବା ପରେ ଆଜି ଲଳିତ କଳା ଏକାଡେମୀ ସଚିବ ଏ ନେଇ ବଡ଼ଗଡ଼ ଥାନାରେ ଏକ ଅଭିଯୋଗ କରିଛନ୍ତି। ପୁଲିସ ମଧ୍ୟ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରିଛି ବୋଲି ବଡ଼ଗଡ଼ ଥାନା ଇନ୍ସପେକ୍ଟର ଦିଲ୍ଲୀପ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର