ଡ୍ରେନ୍‌ ପାଇଁ ଅଧିଗ୍ରହଣ ହୋଇପାରୁନି ଜମି: ପୁଣି ଭାସିବ ଭୁବନେଶ୍ବର!

ଭୁବନେଶ୍ବର : ଅସରାଏ ବର୍ଷା ହେଲେ ରାଜଧାନୀ ଉବୁଟୁବୁ ହୁଏ। ଲଗାଣ ବର୍ଷା ହେଲେ ଅବସ୍ଥା ସାଂଘାତିକ ହୁଏ। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇ ପାରୁ ନାହିଁ। ଦୁଇବର୍ଷ ତଳେ ଜଣେ ଛାତ୍ର ଡ୍ରେନ୍‌ରେ ଭାସି ମୃତ୍ୟୁ ବରଣ କରିବା ପରେ ବିଏମ୍‌ସିର ବୁଦ୍ଧି ପଶିଥିଲା। ପୂର୍ବରୁ ନାଲି ଫିତା ତଳେ ପଡ଼ି ରହିଥିବା ଡ୍ରେନ୍‌ ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକ୍ଷମ କରାଇବା ଲାଗି ତତ୍ପର ହୋଇଥିଲା। ଜମି ଅଧିଗ୍ରହଣ ଆରମ୍ଭ କରିଥିଲା। ବେଶ୍‌ କିଛି ଦିନ ତତ୍ପରତା ଜାରି ରହିବା ସହ କିଛି ଜମି ଅଧିଗ୍ରହଣ ହେଲା, କିଛି ଡ୍ରେନ୍‌ ସମ୍ପ୍ରସାରିତ ବି ହେଲା। ହେଲେ ତା’ ପରେ ସବୁ ଭୁଲିଗଲେ। ଏବେ ପୁଣି ସମ୍ପ୍ରସାରଣ କଥା ମନେ ପଡ଼ିଛି। ଏହାକୁ ନେଇ ବିଏମ୍‌ସି ମାନସମନ୍ଥନ କରିଛି। ମାନସମନ୍ଥନ ବେଳେ ଅଭାବନୀୟ ଚିତ୍ର ପଦାକୁ ଆସିଛି। ବିଭିନ୍ନ କାରଣରୁ ଜମି ଅଧିଗ୍ରହଣ ହୋଇ ପାରୁ ନଥିବାରୁ ଯୋଜନା ଅଧାରେ ଅଟକିଛି। ଯୋଜନାରେ ସାମିଲ ହୋଇଥିବା ସମସ୍ତ ଡ୍ରେନ୍‌ ସମ୍ପ୍ରସାରିତ ନ ହେଲେ ବର୍ଷାଜଳ ନିଷ୍କାସନ ସମ୍ଭବ ହେବ ନାହିଁ। ଏଣୁ ଏହି ଅଧାପନ୍ତରିଆ କାମ କୌଣସି କାମରେ ଲାଗିବ ନାହିଁ। ଏଣେ କେବେ ଯୋଜନା କାର୍ଯ୍ୟକାରୀ ହେବ କାହା ପାଖରେ ଉତ୍ତର ନାହିଁ। ଏଣୁ ଆସନ୍ତା ବର୍ଷାଋତୁରେ ପୁଣି ଥରେ ଭୁବନେଶ୍ବର ଭାସିବା ଆଶଙ୍କା ପୁଣି ଦେଖାଦେଇଛି।

ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ୧୦ଟି ମୁଖ୍ୟ ଡ୍ରେନ୍‌ ଏବଂ ୨ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣ ସାଙ୍ଗକୁ କେତେକ ଡ୍ରେନ୍‌ରୁ ଜବରଦଖଲ ଉଚ୍ଛେଦର ଆବଶ୍ୟକତା ଅଛି। ଏଥିପାଇଁ ବିଏମ୍‌ସି ତିନି ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ସଫଳ ହେଉନଥିଲା। ଗତ ଅକ୍ଟୋବର ମାସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଲ୍ଲାସ୍ତରୀୟ କମିଟି ବୈଠକରେ ଜମି ଅଧିଗ୍ରହଣ ନେଇ ଚୂଡ଼ାନ୍ତ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍, ୨ଟି ଶାଖା ଡ୍ରେନ୍‌, ମୁଖ୍ୟ ଡ୍ରେନ୍‌କୁ ସଂଯୋଗ ହୋଇପାରୁନଥିବା ଡ୍ରେନ୍‌କୁ ସଂଯୋଗ କରିବା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪ ଏକର ଜମି ଅଧିଗ୍ରହଣ ହେବାକୁ ଥିଲା। ଏଥିରେ ୧୩ଟି ରାଜସ୍ବ ଗ୍ରାମରେ ୮୩ଟି ଜମିରୁ ପ୍ରାୟ ୭ଏକର ଜମି ଅଧିଗ୍ରହଣ ହେବା ଯୋଜନା ଥିଲା। ଏଥିପାଇଁ ୧୧୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ପ୍ରକ୍ରିୟା ନଭେମ୍ବର ୧୫ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିରେ ୧୩୬ ଘରୋଇ ପ୍ଲଟ୍‌ ରହିଥିଲା। ହେଲେ ଅଦ୍ୟାବଧି ମାତ୍ର ୧୦ଟି ପ୍ଲଟ୍‌ ଅଧିଗ୍ରହଣ ହୋଇଛି। ଆଉ ୧୫ ଜଣ ମାଲିକ ଜମି ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ୨୫ଟିକୁ ବାଦ୍‌ ଦେଲେ ଆଉ ୧୧୧ଟି ପ୍ଲଟ୍‌ ଅଧିଗ୍ରହଣ ପାଇଁ ବାକି ଅଛି। ବର୍ଷେରୁ ଅଧିକ ସମୟରେ ମାତ୍ର ୧୦ଟି ଜମି ଅଧିଗ୍ରହଣ ହୋଇଥିବାରୁ ୧୧୧ଟି ପ୍ଳଟ୍‌ ଅଧିଗ୍ରହଣ କରିବାକୁ ଆଉ କେତେ ଦିନ ଲାଗିବ ତାହା ସହଜରେ ଅନୁମେୟ। ଏହାପରେ ପୁଣି ଦ୍ବିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ ରହିଛି। ଏଣୁ ଚଳିତ ବର୍ଷ ମଧ୍ୟ ଭୁବନେଶ୍ବର ଭାସିବା ନିଶ୍ଚିତ ହୋଇଛି।

ବିଏମ୍‌ସି ସୂଚନା ମୁତାବକ, ଗତ ମାସ ୧୦ ତାରିଖରେ ଅତିରିକ୍ତ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହା ଉପରେ ତନାଘନା ହୋଇଛି। ୧୧୧ଟି ପ୍ଲଟ୍‌କୁ ଚିହ୍ନଟ କରି ମୌଜା ୱାରି ତଥ୍ୟ ଦାଖଲ କରିବାକୁ ଜେଡ୍‌ଡିସିମାନଙ୍କୁ କୁହାଯାଇଛି। ତଥ୍ୟ ଆସିବା ପରେ ଡିଏଲ୍‌ସି କମିଟିରେ ଅନୁମୋଦନ ଲାଭ କରିବ। ଏହା ପରେ ଯାଇ ଅଧିଗ୍ରହଣ ଆରମ୍ଭ ହେବ। ଆବଶ୍ୟକ ପଡ଼ିଲେ ଅଧିଗ୍ରହଣ ଓ ସମ୍ପ୍ରସାରଣ କାମ ସମାନ୍ତରାଳ ଭାବରେ ଚାଲିବ। ‌ଯେଉଁମାନେ ଜମି ଦେବାକୁ ଅରାଜି ହେଉଛନ୍ତି ସେମାନଙ୍କ ଜମି ପୌର ଆଇନ-୨୦୦୩ର ଦଫା ୨୮୮ ବଳରେ କମିସନର ଅଧିଗ୍ରହଣ କରିବେ। ଏଣୁ ଏଣୁ ସମସ୍ୟା ହେବ ନାହିଁ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ୧୧ଟି ମୁଖ୍ୟ ଡ୍ରେନ୍‌ (୧୦ଟି ମୁଖ୍ୟ ଡ୍ରେନ୍‌ ଏବଂ ୨ଟି ଶାଖା ଡ୍ରେନ୍‌କୁ ମିଶାଇ ଗୋଟିଏ ଡ୍ରେନ୍‌)ର ପୁନରୁଦ୍ଧାର ପାଇଁ ୩୦୬କୋଟି ୫୪ଲକ୍ଷ, ୬୦ଏକର ଜମି ଅଧିଗ୍ରହଣ ପାଇଁ ୬୨୦କୋଟି ୯୫ଲକ୍ଷ ୭୦ହଜାର, ୧୯୭ଟି ସମ୍ବେଦନଶୀଳ ଅଞ୍ଚଳରେ ଡ୍ରେନ୍ ନିର୍ମାଣ ଓ ମରାମତି ପାଇଁ ୭୨କୋଟି ୫୦ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ରିପୋର୍ଟ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଜମି ଅଧିଗ୍ରହଣ ଓ ଡ୍ରେନ୍ ନିର୍ମାଣ ପାଇଁ ଠିକ୍ ସମୟରେ ଅର୍ଥ ନମିଳିବାରୁ ଏହାକୁ ପରିବର୍ତ୍ତନ କରାଗଲା। ତଥାପି ବିଏମ୍‌ସି ଧିମା ଗତିରେ ଏହି ସମ୍ପ୍ରସାରଣ କାମ କରୁଥିବାରୁ ଭୁବନେଶ୍ବର ଜଳବନ୍ଦୀ ସମସ୍ୟାରୁ କେବେ ମୁକ୍ତ ହେବ ତାହା କହିବା ମୁସ୍କିଲ ହୋଇଛି।

ସମ୍ବନ୍ଧିତ ଖବର