ଭୁବନେଶ୍ବର: ନୂଆପଲ୍ଲୀରେ ଜମି ଦଖଲ କରିବାକୁ ଯାଇ ଦୁଇ ଦୁଇଟି ଦୋକାନକୁ ଲୁଟ୍ କରିବା ପରେ ଜେସିବି ଲଗାଇ ମାଟିରେ ମିଶାଇଦେବା ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରି ସାରିଛି। ଦୁର୍ଦ୍ଦାନ୍ତ ନକୁଳ ମହାକୁଡ଼ର ୭ ବାଉନ୍ସର, ପଞ୍ଜାବୀ ଲେଡି ଡନ୍ ଜ୍ୟୋତି ମାଥାନ୍ ଓ ତା’ ସହଯୋଗୀ ଗୀତା ଦାସକୁ ପୁଲିସ ଜେଲ୍ ହାଜତକୁ ପଠାଇଦେଇଛି। କିନ୍ତୁ ଜମି ଦଖଲ ପାଇଁ ଏଭଳି ଭୟଙ୍କର ଯୋଜନା କରିଥିବା ରଞ୍ଜିତ ଦାସପୁରିଆ ଓ ରାଘବ ଜେନାକୁ ପୁଲିସ ଗିରଫ କରିପାରିନାହିଁ। ଭୁବନେଶ୍ବର ଡିସିପିଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ବେ ଏଥିପାଇଁ ଗଠିତ ହୋଇଥିବା ସ୍ବତନ୍ତ୍ର ଟିମ୍ ରଞ୍ଜିତ୍ ଓ ରାଘବର ପତ୍ତା ପାଉନାହାନ୍ତି। ସେମାନେ ରାଜ୍ୟ ବାହାରକୁ ପଳାଇଥିବା ଅନୁମାନ କରାଯାଉଛି।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ ରାଜଧାନୀରେ ଜମି ବିବାଦ କିଛି ନୂଆ କଥା ନୁହେଁ। ଏମିତି ଶହଶହ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଦଖଲ କରିବାକୁ ଯାଇ ଛୋଟମୋଟ ଗଣ୍ଡଗୋଳ ଘଟିବା ବି ସାଧାରଣ କଥା ହୋଇଗଲାଣି। ଏମିତିକି ଦଖଲ ଦେବା ଓ ବେଦଖଲ କରିବା ଭଳି ବେଆଇନ କାମ କରି କିଛି ଅସାମାଜିକ ବ୍ୟକ୍ତି ବା ମାଫିଆମାନେ ବି ଭଲ ରୋଜଗାର କରୁଛନ୍ତି। କିଛି ମାମଲାରେ ବାଦି ପ୍ରତିବାଦି ଆପୋସ ବୁଝାମଣା କରୁଥିବା ବେଳେ କିଛି ମାମଲାରେ ପୁଲିସ ହସ୍ତକ୍ଷେପ କରି ସମାଧାନା କରାଯାଉଛି। ତେବେ ନୂଆପଲ୍ଲୀର ଏହି ମାମଲା ସବୁ ସୀମା ଟପି ଯାଇଛି। କୋର୍ଟରେ ମାମଲା ଥିବା ପରେ ବି ରଞ୍ଜିତ ଦାସପୁରିଆ ଗୁଣ୍ଡାରାଜ୍ ବଳରେ ଜମି ଦଖଲ କରିବାକୁ ବସିଥିଲା। ବାଉନ୍ସର ଗ୍ୟାଙ୍ଗ୍, ଲେଡି ଡନ୍ ଭଳି ଅପରାଧୀମାନଙ୍କୁ ହାତ କରି ରାତାରାତି ଦୁଇ ଦୁଇଟି ଦୋକାନକୁ ଭାଙ୍ଗି ମାଟିରେ ମିଶାଇଦେବା ଭଳି କାଣ୍ଡ କରାଯାଇଛି।
ଗୁଣ୍ଡାରାଜ୍ର ଏଭଳି ଦୁଃସାହସ କମିସନରେଟ୍ ପୁଲିସ ରେକର୍ଡରେ ପ୍ରଥମ ବୋଲି ଧରାଯାଇଛି। ପୂର୍ବରୁ ତତ୍କାଳୀନ ଡିସିପି ଅନୁପ ସାହୁଙ୍କ ସମୟରେ ଖଣ୍ଡଗିରି ଥାନା ଉଦୟଗିରି ବିହାର ଅଞ୍ଚଳରେ ଏମିତି ଏକ ଡୁପ୍ଲେକ୍ସକୁ ଜବରଦଖଲ କରିବାକୁ ଜଣେ ବିଲ୍ଡର ଉଦ୍ୟମ କରିଥିଲେ। ଉକ୍ତ ବିଲ୍ଡର ଜାଲ୍ ରେକର୍ଡ ଓ ବାହୁବଳରେ ଅସଲ ଘର ମାଲିକଙ୍କୁ ଉକ୍ତ ଡୁପ୍ଲେକ୍ସରୁ ତଡ଼ି ଦେଇଥିଲେ। କିନ୍ତୁ ଡିସିପି ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡଗିରି ଥାନାର ତତ୍କାଳୀନ ଆଇଆଇସି ତଥା ବର୍ତ୍ତମାନର ସ୍ପେସାଲ୍ ସ୍କ୍ବାଡ୍ ଏସିପି ହିମାଂଶୁ ଭୂଷଣ ସ୍ବାଇଁ ଉକ୍ତ ଡୁପ୍ଲେକ୍ସକୁ ଜବରଦଖଲରୁ ମୁକ୍ତ କରି ପ୍ରକୃତ ମାଲିକଙ୍କୁ ଫେରାଇଥିଲେ। କିନ୍ତୁ ନୂଆପଲ୍ଲୀ ମାମଲା ଖଣ୍ଡଗିରି ମାମଲା ଅପେକ୍ଷା ଭୟଙ୍କର। ରଞ୍ଜିତ ଦାସପୁରିଆ ୩୫ ଲକ୍ଷ ଟଙ୍କାର ସୁପାରି ବଳରେ ଗୁଣ୍ଡାମାନଙ୍କୁ ହାତ କରି ଜମି ଦଖଲ କରିବାକୁ ଚେଷ୍ଟା କରିଛି।
ଏମିତି ହେଲେ ରାଜଧାନୀରେ ରହିବା ମୁସ୍କିଲ ହୋଇପଡ଼ିବ। ତେଣୁ ପୁଲିସ କମିସନର ଓ ଡିସିପି ଏହି ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି। ଉଭୟ ରଞ୍ଜିତ ଦାସପୁରିଆ ଓ ଗୁଣ୍ଡା ଯୋଗାଡ଼ କରିଥିବା ରାଘବ ଜେନାକୁ ନିଶ୍ଚୟ ଗିରଫ କରାଯିବ। ରାଜ୍ୟ ବାହାରକୁ ପଳାଇଥିଲେ ବି ସେମାନଙ୍କୁ ନିସ୍ତାର ନାହିଁ।
ବଡ଼ କଥା ହେଉଛି ରାଘବ ଜେନା ଏମିତି ବହୁ କେସ୍ କରି ଖସିଯାଉଥିଲା। ସହିଦନଗର, ବଡ଼ଗଡ଼, ମଞ୍ଚେଶ୍ବର ଆଦି ଥାନା ଅଞ୍ଚଳରେ ବହୁ ଜମି ଦଖଲ ବେଦଖଲ ମାମଲାରେ ତା’ର ହାତ ଥିଲା। ପୂର୍ବରୁ ଦାଦାବଟି ଆଦାୟ କରିବା ଓ ମଦ ବେପାର କରୁଥିବା ରାଘବ ଗତ କିଛି ବର୍ଷ ହେଲା ଏହି କାରବାରରେ ଲିପ୍ତ ଥିଲା ଏବଂ ଭଲ ରୋଜଗାର କରୁଥିଲା। ସେହି ଅର୍ଥରେ ସେ ଜେସିବି ମେସିନ୍ କିଣିଥିବା ଜଣାପଡ଼ିଛି। ଭଡ଼ାଟିଆ ଗୁଣ୍ଡାଙ୍କୁ ନେଇ ସେ ତା’ ଜେସିବିରେ ରାତିରେ ପାଚେରି ଭାଙ୍ଗିଦେବା ଓ ଆଉଟ୍ ହାଉସ୍ ଭାଙ୍ଗିଦେବା ଭଳି କାଣ୍ଡ କରି ପ୍ରଚୁର ଟଙ୍କା ପାଉଥିଲା। ଏଥର ପୁଲିସ ତା’ର ସବୁ ଖେଳ ଶେଷ କରିବ। ଫେରାର୍ ହେବା ପୂର୍ବରୁ ସେ ତା’ର ଜେସିବିକୁ ଲୁଚାଇ ଦେଇଥିବା ଜଣାପଡ଼ିଛି। ତେଣୁ ପୁଲିସ ଅଧିକାରୀଙ୍କ କହିବା କଥା ରାଘବ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।