ଛିଡ଼ୁନି ଜମି ଅଧିଗ୍ରହଣ ବିବାଦ, ଅଧୁରା ରହିଛି ରାସ୍ତା ନବୀକରଣ

ବାଲିପାଟଣା: ଜମି ଅଧିଗ୍ରହଣ ବିବାଦ ସମାଧାନ ହୋଇପାରୁନଥିବାରୁ ପ୍ରାୟ ୭ ବର୍ଷ ହେଲା ରାସ୍ତା ନବୀକରଣ ଶେଷ ହୋଇପାରୁନାହିଁ। ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା କାରଣରୁ ଜମି ଅଧିଗ୍ରହଣ ହୋଇପାରୁନାହିଁ ଓ ମାତ୍ର ଗୋଟିଏ କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇରହିଛି। ଫଳରେ ପୂରା ରାସ୍ତା ନବୀକରଣ ହୋଇ ମଧ୍ୟ ଏହି ଏକ କିଲୋମିଟର ରାସ୍ତା ପାଇଁ ସମସ୍ୟା ପୂର୍ବ ଭଳି ଲାଗିରହିଛି।

ସୂଚନା ଅନୁସାରେ ନାବାର୍ଡ ସହାୟତାରେ ହଂସପାଳ ନିମାପଡ଼ା କେନାଲ ବନ୍ଧ ରାସ୍ତା ପୁନରୁଦ୍ଧାର ହୋଇଛି। ରାସ୍ତା ଓ ଗୃହ ନିର୍ମାଣ ବିଭାଗ (ଆର୍‌ଆଣ୍ଡ୍‌ବି) ଏହି ରାସ୍ତା‌ର ନବୀକରଣ କରିଛି। ହଂସପାଳରୁ ବନମାଳୀପୁର ଦେଇ ଅଭୟମୁଖି ପର୍ଯ୍ୟନ୍ତ ସାଢ଼େ ୮ କିଲୋମିଟର ରାସ୍ତାର ସମ୍ପ୍ରସାରଣ ହେବାର ଥିଲା। ଏଥିପାଇଁ ୨୦୧୫ ମସିହାରୁ ଜମି ଅଧିଗ୍ରହଣ ହୋଇଥିଲା ଓ ୨୦୧୮ ମସିହାରେ କାମ ଆରମ୍ଭ ହୋଇଥିଲା। ପ୍ରାୟ ୬ ମାସ ହେବ କାମ ସରିଛି।

କିନ୍ତୁ ଭାକରସାହି, ଭଅଁରା ଓ ଅଭୟମୁଖି ନିକଟରେ ପ୍ରାୟ ଏକ କିଲୋମିଟର ରାସ୍ତା ନବୀକରଣ ହୋଇପାରିନାହିଁ। ପୂର୍ବ ଭଳି ଖାଲଖମାରେ ଭର୍ତ୍ତି ହୋଇରହିଛି। ରାସ୍ତାରୁ ମେଣ୍ଟାଲ, ଗୋଡ଼ି ଉଠିଯିବା ପରେ ବଡ଼ବଡ଼ ଗାତ ହୋଇଯାଇଛି। ଫଳରେ ନିମାପଡ଼ା ଅଞ୍ଚଳରୁ ଭୁବନେଶ୍ୱର ଓ କଟକ ଯାତାୟାତ କରୁଥିବା ଶହଶହ ଲୋକମାନେ ସମସ୍ୟାରେ ପଡ଼ୁଛନ୍ତି। ଗାତରେ ଗାଡ଼ିସବୁ ଗଳିପଡ଼ିବା କାରଣରୁ ଚାଳକମାନେ ଦୁର୍ଘଟଣାରେ ଆହତ ହେଉଛନ୍ତି। ଭାକରସାହି, ଭଅଁରାଗଡ଼ ଓ ଅଭୟମୁଖି ଏହି ୩ ସ୍ଥାନରେ ରାସ୍ତା ଅବସ୍ଥା‌ ପୂରା ଶେଚନୀୟ ହୋଇରହିଛି। କିଛି ବ୍ୟକ୍ତି ବିଭିନ୍ନ କାରଣରୁ ଜମି ଛାଡୁ ନଥିବାରୁ ଏହି ସମସ୍ୟା ଦେଖା ଦେଇଛି। ଆର୍‌ ଆଣ୍ଡ୍‌ ବି ସହକାରୀ ଯନ୍ତ୍ରୀ ବିମଳ ଦାସଙ୍କ ସୂଚନାନୁସାରେ ଜମି ଅଧିଗ୍ରହଣ ସମସ୍ୟା ଲାଗି କାମ ଅଟକି ରହିଛି। କିନ୍ତୁ ଏବେ ଶୀଘ୍ର ସିଙ୍ଗିଲ୍‌ ରୋଡ୍‌ କାମ ହେବ ଏବଂ ଜମି ଅଧିଗ୍ରହଣ ପରେ ସମ୍ପ୍ରସାରଣ କରାଯିବ।

ସମ୍ବନ୍ଧିତ ଖବର