ଗାଁରେ ସ୍କୁଲ ଗଢ଼ିବା ପାଇଁ ଜମି, ଘର ଦାନ

ସ୍ୱପ୍ନର ସ୍କୁଲ ଗଢ଼ିବା ଲକ୍ଷ୍ୟରେ ଅବସରପ୍ରାପ୍ତ ଶିକ୍ଷକ

ବାଲିପାଟଣା : ବର୍ଷ ବର୍ଷ ଧରି ଦୀର୍ଘ ୩୮ବର୍ଷ ଶିକ୍ଷକତା କଲି। ଜୀବନରେ ଭାରି ଇଚ୍ଛା ଥିଲା ନିଜ ଅଞ୍ଚଳରେ ଗୋଟିଏ ଆଦର୍ଶ ସ୍କୁଲ ଗଢ଼ିବା ପାଇଁ। ମୋ ଛାତ୍ର, ସ୍ଥାନୀୟ ଯୁବକଙ୍କୁ ସବୁବେଳେ କହୁଥିଲି ଆରେ ଗୋଟେ ସ୍କୁଲ କରରେ…ମୁଁ ମରିଯିବି…..। ଯାହା ହେଉ ମୋ ସ୍ୱପ୍ନ ଆଜି ସାର୍ଥକ ହେବାକୁ ଯାଉଛି। ପିଲାମାନେ ଅଣ୍ଟା ଭିଡ଼ିଛନ୍ତି। ସେଥିପାଇଁ ମୁଁ ମୋ ଜମି ଓ ଘର ଦାନରେ ଦେଇ ଦେଇଛି। ଏ ଆନନ୍ଦଠାରୁ ଆଉ ମୋ ଜୀବନରେ ବଡ଼ ଆନନ୍ଦ କିଛି ନାହିଁ। ଏହି କଥା କହୁ କହୁ ତାଙ୍କ ଆଖିରୁ ଆନନ୍ଦର ଅଶ୍ରୁଧାର ବହି ଆସିଥିଲା। ନିଜ ଅଞ୍ଚଳର ପିଲାମାନେ ଭଲ ଶିକ୍ଷା ପାଇବେ, ଭଲ ମଣିଷ ହେବେ, ବହୁତ ନାଁ କରିବେ ଏଭଳି ସ୍ୱପ୍ନ ଦେଖୁଥିବା ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଏହା ହେଉଛି ହୃଦୟର ଭାଷା।

ଏ ହେଲା, ବନମାଳିପୁର ଶେଖ୍‌ପାଟଣା ଗାଁର ଅବସରପ୍ରାପ୍ତ ଶିକ୍ଷକ ବେଣୁଧର ପାତ୍ରଙ୍କ କଥା। ବେଣୁଧର ସାର୍‌ ନିଜ ଶିକ୍ଷକତା ଜୀବନ ଆରମ୍ଭ କରନ୍ତି ଖଣ୍ଡପଡ଼ା ବନମାଳିପୁର ସ୍କୁଲରୁ। ପରେ ବାଲୁଗାଁ, ଓଳସିଂ ସ୍କୁଲରେ ଶିକ୍ଷକତା କରିବା ପରେ ବନମାଳିପୁର ହାଇସ୍କୁଲରେ ଦୀର୍ଘ ୨୪ବର୍ଷର ଶିକ୍ଷକତା କରି ପ୍ରଧାନଶିକ୍ଷକ ଭାବେ ଜଳେଶ୍ୱର, ବକୁଆ ଓ ଶେଷରେ ବାଲିପାଟଣା ବ୍ଲକ କୁରୁଞ୍ଜିପୁରର ରାମଚନ୍ଦ୍ର ହାଇସ୍କୁଲରୁ ୨୦୧୦ରେ ଅବସର ନିଅନ୍ତି। ଶିକ୍ଷକତାରୁ ସିନା ଅବସର ନିଅନ୍ତି କିନ୍ତୁ ଶିକ୍ଷା ଭଳି ରତ୍ନକୁ ନିଜ ଅଞ୍ଚଳରେ ବାଣ୍ଟିବା ପାଇଁ ତାଙ୍କ ମନର ବ୍ୟାକୁଳତା ଆଜି ଜଳଜଳ ଦେଖା ଯାଉଥିଲା। ସାରଙ୍କ ଏହି ସ୍ୱପ୍ନର ସ୍କୁଲଟି ପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଖପାଖ ୧୮ଟି ଗାଁର ଲୋକମାନେ ଯୋଗ ଦେଇଥିଲେ। ଏଠାରେ ବେଣୁ ସାର ସ୍କୁଲଟି ପାଇଁ ମଝିହରା ପଞ୍ଚାୟତର ଶେଖପାଟଣା ଗାଁ ମୁଣ୍ଡ କୁଶଭଦ୍ରା ନଦୀକୂଳରେ ଥିବା ତାଙ୍କ ଜମି ଓ ନୂଆକରି ଗଢୁଥିବା ୮ ରୁ ୧୦ ବଖରା ଛାତ ଘର ବି ଦାନ କରି ଦେବା କଥା କହିଛନ୍ତି।

ବନମାଳିପୁର ଭଳି ଏକ ବ୍ୟାବସାୟିକ ପେଣ୍ଠସ୍ଥଳରେ ଜମି ଅମୂଲମୂଲ ହୋଇଥିବା ବେଳେ ସାରଙ୍କ ଉକ୍ତ ଜମିର ମୂଲ୍ୟ ଲକ୍ଷଲକ୍ଷ ଟଙ୍କା। ଉକ୍ତ ଜମି ଉପରେ ସାର୍‌ ପ୍ରାୟ ୧୦ଲକ୍ଷ ଟଙ୍କା ବ୍ୟୟ କରି ଘର ବି ଛାତ ପର୍ଯ୍ୟନ୍ତ ନେଇଥିବା କଥା କହିଛନ୍ତି। କେବଳ ସେତିକି ନୁହେଁ ପ୍ରତି ମାସରେ ନିଜ ପେନ୍‌ସନରୁ ୨ହଜାର ଟଙ୍କା ବ୍ୟୟ କରି ସ୍କୁଲର ଜଣେ ଶିକ୍ଷକଙ୍କୁ ବେତନ ଦେବେ ବୋଲି ବି କହିଛନ୍ତି। ମୋର ଗୋଟିଏ ପୁଅ ଏକ ବଡ଼ ସଂସ୍ଥାରେ ମ୍ୟାନେଜର୍‌ ହୋଇ କାର୍ଯ୍ୟ କରୁଛି, ୩ଝିଅ ବି ବିବାହ କରି ସାରିଛନ୍ତି। ତେଣୁ ନିଜ ଅଞ୍ଚଳର ପିଲାଙ୍କୁ ଭଲ ଶିକ୍ଷା ବାଣ୍ଟିବା ପାଇଁ ମୋ ଇଚ୍ଛା। ଆଜି କାଲି ଶିକ୍ଷା ଏକ ପ୍ରକାର ବ୍ୟବସାୟରେ ପରିଣତ ହୋଇଯାଇଥିବାରୁ ଏଥିରୁ ମୁକୁଳିବା ଲକ୍ଷ୍ୟ ସହ ନିଜ ଅଞ୍ଚଳର ପିଲାମାନେ ଉନ୍ନତ ଶିକ୍ଷା କିଭଳି ପାଇ ପାରିବେ ଏଥିପାଇଁ ମୋର ଏହି ଛୋଟ ପ୍ରୟାସ ବୋଲି ବେଣୁଧର ସାର୍‌ କହିଛନ୍ତି। ସାରଙ୍କ ଏହି ଶିକ୍ଷାଦାନ ଭଳି ମହତଦାନର ଲକ୍ଷ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର