ଭୁବନେଶ୍ବର: ସରକାର ୮ବର୍ଷ ପୂର୍ବେ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ ନିର୍ମାଣ ନିମନ୍ତେ ନୂଆପଡ଼ାରେ ୮ ଏକର ଜମି ପ୍ରଦାନ କରିଥିଲେ। ମାତ୍ର ତାହା ଏକ ଖାଲୁଆ ଜମି ହୋଇଥିବାରୁ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ସ୍ଥାନ ଅଭାବରୁ ବିଦ୍ୟାଳୟଟି ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ପେପର ଗୋଦାମ୍‌ରେ ଚାଲିଛି।

Advertisment

୧୦ବର୍ଷ ପୂର୍ବେ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ କଟକ ସହରରେ ଥିବା ଏକ ସରକାରୀ ପ୍ରେସ୍‌ର ପେପର ଗୋଦାମ୍‌ରେ ଅସ୍ଥାୟୀ ଭାବେ ଆରମ୍ଭ କରାଯାଇଥିଲା। ଏହାର ୨ବର୍ଷ ପରେ ବିଦ୍ୟାଳୟ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୮ଏକର ଜମି ପ୍ରଦାନ କରାଯାଇଥିଲା। କିନ୍ତୁ ଜମିଟି ଖାଲୁଆ ହୋଇ ଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇପାରୁନି। ଅର୍ଥାତ୍‌ ବିଦ୍ୟାଳୟ ନିର୍ମାଣ ପାଇଁ ଅର୍ଥ ରହିଥିଲେ ମଧ୍ୟ ବ୍ୟବହାର ହୋଇପାରୁ ନାହିଁ। ଅନ୍ୟପକ୍ଷରେ ପେପର ଗୋଦାମ ଘର ଆଜ୍‌ବେଷ୍ଟ ହୋଇଥିବା ଏବଂ ତାର ଆଜବେଷ୍ଟସ ଫାଟି ଯାଇଥିବାରୁ ବର୍ଷା ଦିନେ ନାହିଁ ନ ଥିବା ଅବସ୍ଥା ହେଉଛି। ବିଦ୍ୟାଳୟ ମଧ୍ୟରେ ପାଣି ପଶିଯାଉଛି। ଫଳରେ ପାଠପଢ଼ା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଗୋଦାମ୍‌ ପାର୍ଶ୍ବରେ ଜଙ୍ଗଲ ପରି ଗଛଲତା ବଢ଼ିଯାଇଛି। ଯାହା ଛାତ୍ରଛାତ୍ରୀଙ୍କ ପାଇଁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି। ଏହାସହ ଗୃହ ଅଭାବରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏସଂପର୍କରେ ସ୍ଥାନୀୟ ଜନସାଧାରଣ ଓ ଅଭିଭାବକମାନେ ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ତେଣୁ ଏସଂପର୍କରେ ସମାଜସେବୀ ମନୋଜ ବସନ୍ତରାୟ ଓ ଅଶୋକ ବିଶ୍ବାଳ ରାଜ୍ୟ ମାନବିକ ଅଧିକାର କମିସନରଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହାସହ ସେମାନେ ବିଦ୍ୟାଳୟ ଜମିକୁ ଯଥାଶୀଘ୍ର ସମତୁଲ କରି ହସ୍ତାନ୍ତର କରିବାକୁ ଅନୁରୋଧ କରିଛନ୍ତି।