ଜାଲ୍‌ ଜମି ବିକ୍ରି ରାକେଟ୍‌ ଠାବ, ୨ ଦଲାଲ୍‌ ଓ ନକଲି ଜମି ମାଲିକ ଗିରଫ

ଜଟଣୀ: ନକଲି ଜମି ମାଲିକ ବିକ୍ରେତା ସାଜି ଉପନିବନ୍ଧକଙ୍କ ସମ୍ମୁଖରେ ଠିଆ ହୋଇଥିଲେ। ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାନ୍‌ କାର୍ଡ ସବୁ ନକଲି। ସବୁ ପରିଚୟ ପତ୍ର ଥିବାରୁ ଜମି ମାଲିକ ଜଣକ ନକଲି ବୋଲି ଜାଣିବା ରାସ୍ତା ହିଁ ନଥିଲା କହିଲେ କିଛି ଭୁଲ୍‌ ହେବ ନାହିଁ। କିନ୍ତୁ ଜାଲ୍‌ ରୢାକେଟ୍‌ ଧରା ପଡ଼ିଗଲା। ଉପନିବନ୍ଧକଙ୍କ ଉପସ୍ଥିତ ବୁଦ୍ଧି ଏହି ରୢାକେଟ୍‌ର ପର୍ଦ୍ଦାଫାସ୍‌ କରିବାରେ ସଫଳ ହେଲା। ଏହି ମାମଲାରେ ଉପନିବନ୍ଧକଙ୍କ କ‌ାର୍ଯ୍ୟାଳୟରୁ ୨ ଦଲାଲ୍ ଓ ମୋହରା ସାଜିଥିବା ନକଲି ଜମି ମାଲିକକୁ ଗିରଫ କରାଯାଇଥିବାବେଳେ ରୢାକେଟ୍‌ର ମୁଖିଆ ଫେରାର୍ ହୋଇଯିବାରରେ ସକ୍ଷମ ହୋଇଛି। ଜଟଣୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଘଟିଥିବା ଏହି ଜାଲିଆତି କେବଳ ଜଟଣୀ ନୁହେଁ, ସମଗ୍ର ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଜମି କ୍ରେତା ଅଗ୍ରୀମ ଆକାରରେ ଦେଇଥିବା ୨୫ ଲକ୍ଷ ଟଙ୍କା ହରାଇବା ଆଶଙ୍କା ସୃଷ୍ଟି ହୋଇଥିଲେ ହେଁ ଅବଶିଷ୍ଟ କୋଟିଏ ୩୦ ଲକ୍ଷ ଟଙ୍କା କ୍ଷତିରୁ ବର୍ତ୍ତି ଯାଇଛନ୍ତି। ଗିରଫ ହୋଇଥିବା ୨ ଦଲାଲ୍‌ ହେଲେ ଏୟାର୍‌ଫିଲ୍ଡ୍ ଥାନା ଅନ୍ତର୍ଗତ ସୁନ୍ଦରପଦା ମହାରଣାସାହିର ମଞ୍ଜିତ୍ ମହାରଣା(୨୫) ଏବଂ ଏହି ଥାନା ଅଧୀନ ଓରକଳର ଦେବୀପ୍ରସାଦ ବଡ଼ଜେନା(୨୫)। ନକଲି ଜମି ମାଲିକ ହେଲେ ନୟାଗଡ଼ ବୃନ୍ଦାବନପୁରର ମାଧବଚନ୍ଦ୍ର ବେହେରା(୫୫)।

ସୂଚନାନୁଯାୟୀ, ଜଟଣୀ ତହସିଲ ପଧାନ ସାହି ଆର୍‌ଆଇ କାର୍ଯ୍ୟାଳୟ ଅଧୀନ ବଳଭଦ୍ରପୁର ମୈାଜାରେ ଉକ୍ତ ଜମି ରହିଛି। ଜମିର ପ୍ରକୃତ ମାଲିକ ବାଲିଅନ୍ତା ଥାନା ହୀରାପୁରର ଲିଙ୍ଗରାଜ ପୃଷ୍ଟି। ଶ୍ରୀ ପୃଷ୍ଟିଙ୍କର ଏହି ଅଞ୍ଚଳରେ ବହୁ ଜମି ଭାଗଚାଷୀଙ୍କ ଅଧୀନ‌ରେ ରହିଛି। ତେଣୁ ଏହାକୁ ମଉକାଭାବେ ନେଇ ଜମି ଜାଲିଆତି କରୁଥିବା ରୢାକେଟ୍‌ ଉକ୍ତ ଜମିକୁ ବିକ୍ରି କରିବା ପାଇଁ ଜାଲ ବିଛାଇଥିଲେ। ନୟାଗଡ଼ର ମାଧବଙ୍କୁ ଲିଙ୍ଗରାଜ ପୃଷ୍ଟି କରି ଛିଡ଼ା କରାଇଥିଲେ। ମାଧବଙ୍କ ଫଟୋ ଥାଇ ନକଲି ଆଧାର କାର୍ଡ, ପାନ୍ କାର୍ଡ ଓ ଭୋଟ୍‌ ପରିଚୟ ପତ୍ର ପ୍ରସ୍ତୁତ କରାଯାଇଥିଲା। ପ୍ରଥମେ ରୢାକେଟ୍‌ର ୨ ଦଲାଲ୍‌ ମଞ୍ଜିତ୍ ଓ ଦେବୀପ୍ରସାଦ ନକଲି ଲିଙ୍ଗରାଜଙ୍କଠାରୁ ପାୱାର ଅଫ୍ ଆଟର୍ଣ୍ଣି କରି ନେଇଥିଲେ। ଏହା ପରେ ଜଣେ ଜମି କ୍ରେତାଙ୍କୁ ଠିକ୍‌ କରାଯାଇଥିଲା। ଜମିର ମୂଲ୍ୟ ଦେଢ଼ କୋଟି ଧାର୍ଯ୍ୟ ହୋଇଥିଲା ଓ କ୍ରେତା ଅଗ୍ରୀମ ଆକାରରେ ଦଲାଲଙ୍କୁ ୨୫ ଲକ୍ଷ ଟଙ୍କା ଗଣି ଦେଇଥିଲେ। ଆଜି ରେଜିଷ୍ଟ୍ରି ହେବାର ଥିଲା। ତେଣୁ ନକଲି ଜମି ମାଲିକ ଓ ଦଲାଲ୍‌ମାନେ ଜଟଣୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦଲିଲ୍‌ ପ୍ରସ୍ତୁତ କରାଇଥିଲେ। ଦଲିଲ୍‌ ଲିଖନ ଓ ଫଟୋ ପରିଚୟ ପତ୍ର ଯାଞ୍ଚ ପରେ ଦଲିଲ୍‌ ଉପନିବନ୍ଧକ ହୃଷୀକେଶ ତ୍ରିପାଠୀଙ୍କ ନିକଟକୁ ପଠାଯାଇଥିଲା। ଉପନବିନ୍ଧକ ଶ୍ରୀ ତ୍ରିପାଠୀ ଜମି ମାଲିକଙ୍କ ପରିଚୟ ପତ୍ର ଯାଞ୍ଚ କରି ପଚରାଉଚରା କରିଥିଲେ। ଜମି ମାଲିକଙ୍କ ମୋହରା ହୋଇ ଠିଆ ହୋଇଥିବା ନକଲି ମାଲିକ ମାଧବ ଉପନିବନ୍ଧକଙ୍କ ପ୍ରଶ୍ନରେ କିଛିଟା ହଡ଼ବଡ଼େଇ ଯାଇଥିଲେ। ତେଣୁ ଉପନିବନ୍ଧକଙ୍କ ସନ୍ଦେହ ହୋଇଥିଲା। କୌଶଳ କରି ସେ ନକଲି ମାଲିକ, ଦୁଇ ଦଲାଲ୍‌ ମଞ୍ଜିତ୍‌ ଓ ଦେବୀପ୍ରସାଦକୁ ନିଜ ଚାମ୍ବରରେ ଅପେକ୍ଷା କରିବାକୁ କହି ବାହାରକୁ ଯିବା ବାହାନାରେ ବାହାରୁ କବାଟ ଲକ୍‌ କରି ପୁଲିସକୁ ଜଣାଇଥିଲେ। ପରେ ସବୁ କଥା ଜଣାପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର