ଖଣ୍ଡଗିରି: ନିକଟରେ ନିର୍ବାଚନ ପ୍ରଚାର ପାଇଁ ବରମୁଣ୍ଡା ଚା’ ଖଟିକୁ ଯାଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେହି ଅବସରରେ ଲୋକଙ୍କ ସହିତ ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସେତିକିବେଳେ ବରମୁଣ୍ଡା ହାଉସିଂ ବୋର୍ଡ କଲୋନି ପଟ୍ଟା ସମସ୍ୟା ପ୍ରସଙ୍ଗ ଉଠିଥିଲା। ସାଂସଦ ସଂପୃକ୍ତ ଲୋକଙ୍କୁ ମାମଲାର କାଗଜପତ୍ର ଦେଖିବାଲାଗି ମାଗିଥିଲେ। କିନ୍ତୁ ଏହାକୁ ନେଇ ହାଉସିଂ ବୋର୍ଡ ବରିଷ୍ଠ ନାଗରିକମାନେ ଅନାଗ୍ରହ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ସବୁ କାଗଜପତ୍ର ଥାଇ ଦାବିପତ୍ର ସାଂସଦଙ୍କୁ ପୂର୍ବ ନିର୍ବାଚନ ସମୟରେ ତଥା ସେ ସାଂସଦ ହେବାପରେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଦିଆଯାଇଛି। ଏହାସତ୍ତ୍ବେ ସେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ତେଣୁ ପୁଣିଥରେ ଦାବିପତ୍ର କାହିଁକି ଦିଆଯିବବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଚଳିତ ନିର୍ବାଚନରେ ଏହି ସମସ୍ୟାକୁ କିପରି ଉଠାଯିବ, ତାକୁ ନେଇ ବରିଷ୍ଠ ନାଗରିକ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ସଭାପତି ନଳିନୀନନ୍ଦନ ନାୟକ।
ଫକୀର ମୋହନନଗର ସିଟିଜେନ କାଉନସିଲ୍ର ବରିଷ୍ଠ ନାଗରିକଙ୍କ ଅଭିଯୋଗ ଅନୁସାରେ, ୧୯୭୭ ମସିହାରେ ସରକାରଙ୍କ ପକ୍ଷରୁ ବରମୁଣ୍ଡା ହାଉସିଂ ବୋର୍ଡ ପାଇଁ ଯୋଜନା ହୋଇଥିଲା। ୧୯୮୦ ମସିହାରୁ ଲୋକେ ଜମି କିଣି ଘର କରିବା ସହିତ ୧୯୮୪ରୁ ସେଠାରେ ରହିବା ଆରମ୍ଭ କରିଥିଲେ। ଗ୍ରାମ୍ୟ ଜଙ୍ଗଲ ଜମିରେ ଏହି କଲୋନି ନିର୍ମାଣ କରାଯାଇଥିବାରୁ ବିନା ପଟ୍ଟାରେ ତାହା ପ୍ରତିଷ୍ଠା ହୋଇଥିଲା। ଏହା ଏକ ସରକାରୀ ଯୋଜନା ହୋଇଥିବାରୁ ଲୋକେ କିନ୍ତୁ ନିଶ୍ଚିନ୍ତ ଥିଲେ। ସେମାନଙ୍କର ଭରସା ଥିଲା ଯେ ଯେବେହେଲେ ପଟ୍ଟା ମିଳିଯିବ। କିନ୍ତୁ ୪୦ ବର୍ଷ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ସେତେବେଳେ କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ତେଣୁ ଜମି ପଟ୍ଟା ନଥିବାରୁ ବର୍ତ୍ତମାନ ପ୍ରତି ମୁହୂର୍ତ୍ତରେ ସ୍ଥାନୀୟ ଅଧିବାସୀଙ୍କୁ ଉଚ୍ଛେଦର ଭୟ ଘାରୁଛି। ୪୦ ବର୍ଷ ମଧ୍ୟରେ କଲୋନି ବାସିନ୍ଦା ହାଉସିଂ ବୋର୍ଡ, ଜଙ୍ଗଲ ବିଭାଗ ଓ ଜିଏ ବିଭାଗର ବାରମ୍ବାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ଲାଭ ହୋଇନାହିଁ।
ସଂଘର ସଭାପତି ନଳିନୀ ନନ୍ଦନ କହନ୍ତି, ୨୦୧୫ରେ ବିଧାନସଭାରେ ସୂଚନା ଦିଆଯାଇଥିଲା ଯେ ବରମୁଣ୍ଡାର ୨୭ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମି ମାନ୍ୟତା ଦେବାପାଇଁ ପ୍ରସ୍ତୁତି ଚାଲିଛି। ଏଥିସହିତ ହାଉସିଂ ବୋର୍ଡ ସୋସାଇଟିର ଜମି ବନ୍ଦୋବସ୍ତ ସମସ୍ୟାର ସମାଧାନ ହେବ ବୋଲି କୁହା ଯାଇଥିଲା। ଏହାପରେ ୨୦୧୮ରେ ସରକାରୀ ନିଷ୍ପତ୍ତି ହେଲା ଯେ ଡମପଡ଼ାର ୨୭ ହେକ୍ଟର ଜମିକୁ ଜଙ୍ଗଲ ଜମିରେ ପରିଣତ କରାଯିବ। ଯେପରି ବରମୁଣ୍ଡା ହାଉସିଂ ବୋର୍ଡର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରିବାରେ କୌଣସି ଅସୁବିଧା ହେବନାହିଁ, ସେଥିପାଇଁ ଜମି ଚିହ୍ନଟ ମଧ୍ୟ ହୋଇଗଲା। ଏହାକୁ ନେଇ ଖୋର୍ଧା ଜିଲ୍ଲାପାଳ ବାରମ୍ବାର ଚିଠି କରିଥିଲେ ମଧ୍ୟ କୌଣସି ଲାଭ ହେଲାନାହିଁ। ୬ ବର୍ଷ ପରେ ମଧ୍ୟ ସ୍ଥାନୀୟ ଅଧିବାସୀ ପଟ୍ଟା ପାଇ ପାରିଲେ ନାହିଁ। ସିଟିଜେନ କାଉନସିଲ ଅନୁସାରେ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନି ଜମି ପଟ୍ଟା ସମସ୍ୟା ନେଇ ୨୦୧୫ ମସିହାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ୨୦୧୯ ମସିହା ପରେ ଏକାମ୍ର ବିଧାୟକ ଅଶୋକ ପଣ୍ଡା ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। କେବଳ ସେତିକି ନୁହେଁ, ୨୦୨୩ ମସିହାରେ ବିଜେପି ପକ୍ଷରୁ ମଧ୍ୟ ପଟ୍ଟା ଦାବି ନେଇ ଶୋଭାଯାତ୍ରା କରାଯାଇଛି। କିନ୍ତୁ କିଛି ଲାଭ ହୋଇନାହିଁ। ତେଣୁ ଏହାକୁ ନେଇ ଚଳିତ ନିର୍ବାଚନରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବାଲାଗି ଲୋକେ ପ୍ରସ୍ତୁତ ହେଉଥିବା କହିଛନ୍ତି।