ରାଜଧାନୀରେ ଜମି ହଡ଼ପକାରୀଙ୍କୁ ମାଫ୍

ମାଫିଆଙ୍କ କବ୍‌ଜାରେ ହଜାର ହଜାର ଏକର ସରକାରୀ ଜମି
ଆନ୍ଧ୍ରପ୍ରଦେଶ, ଆସାମ, କର୍ଣ୍ଣାଟକରେ ଅଛି ଜମି ହଡ଼ପ (ନିଷେଧ) ଆଇନ
ଉଚ୍ଛେଦ ପାଇଁ ୧୦ ବର୍ଷରେ ପ୍ରାୟ ୫୦କୋଟି ଖର୍ଚ୍ଚ
ଅନ୍ୟ ରାଜ୍ୟରେ ଜେଲ୍‌ ଦଣ୍ଡ, ଓଡ଼ିଶାରେ କ୍ଷତିପୂରଣ

ଭୁବନେଶ୍ବର : ସଂଧ୍ୟାରେ ଯେଉଁଠି ସରକାରୀ ଜମି ଖାଲି ଥିବା ଦେଖିବାକୁ ମିଳୁଛି, ତା’ ପରଦିନ ସକାଳୁ ସେଠାରେ ଘରଟିଏ ନିର୍ମାଣ ହୋଇଯାଉଛି। ମାସକ ପରେ ସେଠାରେ ୧୦ରୁ ୨୦ଘର ନିର୍ମାଣ ହୋଇଯାଉଛି। କେବଳ ସରକାରୀ ଜମିକୁ ମାଡ଼ି ବସି ବସ୍ତି ନିର୍ମାଣ ହେଉଛି, ତାହା ନୁହେଁ। କେଉଁଠି ରାତାରାତି ହୋଟେଲ ହୋଇଯାଉଛି ତ କେଉଁଠି ଭେଣ୍ଡିଂ ଜୋନ୍, କେଉଁଠି ମନ୍ଦିର ତ କେଉଁଠି ଦୋକାନ। ଏପରିକି କେତେକ ଜାଗାରେ ଯାହାର ନିଜସ୍ବ ଜମିରେ ଘର ଅଛି, ସେମାନେ ବି ପାଖରେ ସରକାରୀ ଜମି ଥିଲେ ତାକୁ ମାଡ଼ି ବସୁଛନ୍ତି।

ରାଜଧାନୀରେ ଏମିତି ହଜାରହଜାର ଏକର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ହେଲେ ଜମି ହଡ଼ପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଅକ୍ଷମ। କୋଟି କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ହୋଇଥିବା ବେଳେ ଏହାକୁ ଜବରଦଖଲମୁକ୍ତ କରିବାକୁ ବିଡିଏ ଓ ବିଏମ୍‌ସି ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯଦି ୧୦ ବର୍ଷର ହିସାବ ଦେଖାଯାଏ, ତେବେ ଏହି ଦୁଇଟି ସଂସ୍ଥା ଜବରଦଖଲ ଉଚ୍ଛେଦ ବାବଦକୁ ସରକାରୀ ତହବିଲ୍‌ରୁ ପ୍ରାୟ ୫୦ କୋଟି ଖର୍ଚ୍ଚ କରି ସାରିଲେଣି। ହେଲେ ଭୁବନେଶ୍ବରକୁ ଜବରଦଖଲମୁକ୍ତ ସହର କରି ପାରୁନାହାନ୍ତି। ଭୁବନେଶ୍ବରର ସ୍ଥିତି ଏପରି ହୋଇଛି ଯେ ଯେଉଁଠି ଆଖି ପଡ଼ିବ, ସେଠି ଜବରଦଖଲ। ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ; ସବୁଠି ଜମି ମାଫିଆ କାୟା ମେଲାଇ ଚାଲିଛନ୍ତି। ଯେଉଁଠି ସରକାରୀ ଜମି ‌ଖାଲି ପଡ଼ିଥିବା ଦେଖୁଛନ୍ତି, ସେଠାରେ ତାରବାଡ଼ ଘେରାଇ କିମ୍ବା ଇଟା, ପଥର ଗଦାଇ ଏହାକୁ ଦଖଲକୁ ନେଇଯାଉଛନ୍ତି। ଏହାପରେ ସରକାରୀ ଜମିକୁ ପ୍ଲଟିଂ କରି ବିକୁଛନ୍ତି। କେହି କେହି ତ ଘର ନିର୍ମାଣ କରି ବିକି ଦେଉଛନ୍ତି। ଏହାପରେ ଜନବସତି ଗଢ଼ି ଉଠୁଛି। ହେଲେ ସରକାରୀ ବାବୁମାନେ ଆଖିରେ ଅନ୍ଧପୁଟୁଳି ବାନ୍ଧିଲା ଭଳି ବସିଛନ୍ତି। ଏହି ଜମି ହଡ଼ପକାରୀଙ୍କ ଉପରେ ରୋକ୍ ଲଗାଇବା ପାଇଁ ସରକାର ଆଇନ କରି ପାରୁ ନ ଥିବାରୁ କିଛି ବି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି। ଆଇନ ନ ଥିବାରୁ ଜମି ହଡ଼ପକାରୀଙ୍କୁ ବାନ୍ଧିବା ବଦଳରେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜବରଦଖଲ ନିର୍ମାଣକୁ ଉଚ୍ଛେଦ କରୁଛନ୍ତି।

ଜମି ହଡ଼ପକାରୀଙ୍କ ଉପରେ ରୋକ୍‌ ଲଗାଇବା ସହ ଯେପରି ସରକାରୀ ଜମି ଜବରଦଖଲ ନ ହେବ, ସେଥିପାଇଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଆସାମ ସରକାର ଜମି ହଡ଼ପ (ନିଷେଧ) ଆଇନ ଲାଗୁ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ସରକାରୀ ଜମି ଜବରଦଖଲ କଲେ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଏବଂ ଆସାମରେ ଜେଲ୍‌ ଦଣ୍ଡ ଭଳି ବ୍ୟବସ୍ଥା ଅଛି। ହେଲେ ଓଡ଼ିଶାରେ ଏହିଭଳି ନିୟମ ନାହିଁ। ଜମି ମାଫିଆ ଏହାର ଫାଇଦା ଉଠାଉଛନ୍ତି। କେବଳ ଏତିକି ନୁହେଁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଆସାମରେ ଜମି ହଡ଼ପ କଲେ ଜେଲ୍‌ ଦଣ୍ଡ ମିଳୁଥିବା ବେଳେ ଏଠାରେ ଲୋକଙ୍କୁ ସରକାରୀ ସହାୟତା ମିଳୁଛି। ଘର ନିର୍ମାଣ ପାଇଁ ତୁରନ୍ତ ସହାୟତା, ସପ୍ତାହକ ପର୍ଯ୍ୟନ୍ତ ଖାଇବା, ପିଇବା ଖର୍ଚ୍ଚ, ଆବାସ ଯୋଜନାରେ ଶସ୍ତାରେ ପକ୍କାଘର ଯୋଗାଇ ଦିଆଯାଉଛି। ଯାହା ଏବେ ରାଜଧାନୀରେ ଜମି ଜବରଦଖଲ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛି।

ରାଜଧାନୀରେ ଜମି ଜବରଦଖଲ ବଢ଼ି ବଢ଼ି ଚାଲିଥିବା ବେଳେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜମି ହଡ଼ପକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନ ଥିବାରୁ ସେମାନଙ୍କ ଉପରେ ରୋକ୍ ଲାଗିପାରୁନି। ଗୋଟିଏ ଜାଗାରେ ସେମାନଙ୍କ ଜବରଦଖଲକୁ ଭାଙ୍ଗିଲେ ଆଉ ଗୋଟିଏ ଜାଗାରେ ଜବରଦଖଲ କରୁଛନ୍ତି। ଏପରିକି ସରକାରୀ ଜମିକୁ ବେଆଇନ ଭାବେ ବିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ରାଜ୍ୟ ସରକାର ଯଦି ଓଡ଼ିଶା ଜମି ହଡ଼ପ (ନିଷେଧ) ଆଇନ ଲାଗୁ କରିବେ ତେବେ ଜମି ହଡ଼ପକାରୀଙ୍କ ଉପରେ ରୋକ୍ ଲାଗିପାରିବ। କିନ୍ତୁ ଏକଥା ସରକାରଙ୍କୁ କିଏ ବୁଝାଇବ।

କୁଆଡ଼େ ଗଲା ଓଡ଼ିଶା ଜମି ହଡ଼ପ (ନିଷେଧ) ବିଧେୟକ?
ସାରା ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ହୋଇଯିବାରୁ, ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକ ସମୟରେ ଜମି ନ ମିଳିବାରୁ, ବିଶେଷକରି ରାଜଧାନୀରେ ଜମି ହଡ଼ପକାରୀଙ୍କ ସଂଖ୍ୟା ବଢ଼ି ଚାଲିବାରୁ ରାଜ୍ୟ ସରକାର ୨୦୧୫ରେ ଓଡ଼ିଶା ଜମି ହଡ଼ପ (ନିଷେଧ) ଆଇନ ଲାଗୁ କରିବାକୁ ଯୋଜନା କରିଥିଲେ। ଏନେଇ ଚିଠା ପ୍ରସ୍ତାବ ବି ପ୍ରସ୍ତୁତ ହୋଇଥିଲା। ଯେ କେହି ବି ଜମି ଜବରଦଖଲ କରିବ, ୭ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଦେବାକୁ ଏଥିରେ ନିୟମ ଥିଲା। ଏ ସମ୍ପର୍କିତ ଚିଠା ପ୍ରସ୍ତାବ ଯେତେବେଳେ ବିଧାନସଭାରେ ଆଲୋଚନା ପାଇଁ ଆସିଲା, ବିରୋଧୀଦଳ ଏହାକୁ ବିରୋଧ କଲେ। ଏହି ଚିଠା ପ୍ରସ୍ତାବରେ ସଂଶୋଧନ ଆଣିବାକୁ କହିଲେ। ବିରୋଧୀଙ୍କ ଦାବି ଥିଲା ଯେ ଜମି ଯାହାର ଥିବ, ସେମାନେ ଯଦି ଜବରଦଖଲ କରୁଛନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅ। ହେଲେ ବସ୍ତିରେ ଯେଉଁମାନେ ରହୁଛନ୍ତି, ଯେଉଁମାନଙ୍କର ଜମି ନାହିଁ, ସେମାନଙ୍କୁ ଏଥିରୁ ବାଦ୍‌ ଦିଅ। ବହୁ ମାନସମନ୍ଥନ ପରେ ସରକାର କିନ୍ତୁ ବିରୋଧୀଙ୍କ ଦାବିରେ ରାଜି ହୋଇନଥିଲେ। ଓଡ଼ିଶା ଜମି ହଡ଼ପ (ନିଷେଧ) ବିଧେୟକ ପାସ୍ କଲେ। ଏହାକୁ ରାଜ୍ୟପାଳଙ୍କ ଅନୁମୋଦନ କରି ରାଷ୍ଟ୍ରପତିଙ୍କ ପାଖକୁ ପଠାଇଲେ। ହେଲେ ରାଷ୍ଟ୍ରପତି ଏହାକୁ ଫେରାଇଦେଲେ। ରାଷ୍ଟ୍ରପତି କାହିଁକି ଫେରାଇଲେ, ଏନେଇ କିନ୍ତୁ କାହା ପାଖରେ ଉତ୍ତର ନାହିଁ। ଏହାପରେ ଓଡ଼ିଶା ଜମି ହଡ଼ପ (ନିଷେଧ) ବିଧେୟକ କୁଆଡ଼େ ଗଲା, କ’ଣ ହେଲା, ସେନେଇ କେହି ମୁହଁ ଖୋଲୁ ନାହାନ୍ତି।

ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଓଡ଼ିଶା ଜମି ହଡ଼ପ (ନିଷେଧ) ବିଧେୟକକୁ ରାଷ୍ଟ୍ରପତି ଫେରାଇବା ପରେ ଏହାକୁ ସଂଶୋଧନ କରିବା ପାଇଁ ରଖାଯାଇଛି। ରାଜ୍ୟ ସରକାର ଏବେ ଜମି ହଡ଼ପକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁ ନ ଥିବାରୁ ଏ ଆଇନ ନେଇ କେହି ଆଲୋଚନା କରୁନାହାନ୍ତି।

ସମ୍ବନ୍ଧିତ ଖବର