ଉଦ୍ଧାର ହେବ ଲିଙ୍ଗରାଜଙ୍କ ଜମି, ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୧୫ ଶହ ଏକରରୁ ଊର୍ଦ୍ଧ୍ବ ଜମି ମଧ୍ୟରୁ କେଉଁ ଅଞ୍ଚଳରେ କେତେ ଅଛି, କେଉଁ ଜମି ଜବରଦଖଲରେ ଅଛି, କେଉଁଠି ମାମଲା ଚାଲିଛି; ଏନେଇ ଏକ ବିସ୍ତୁତ ରିପୋର୍ଟ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ। କେଉଁ ଜମିକୁ ମନ୍ଦିର ପ୍ରଶାସନ ନିଜ ଅଧୀନକୁ ଆଣିପାରୁନି, ତାହା ମଧ୍ୟ ଜଣାଯିବ। ମନ୍ଦିର ଜମି ଉଦ୍ଧାର ପାଇଁ ଏପରି ପଦକ୍ଷେପ ନେବ ମନ୍ଦିର ପ୍ରଶାସନ। ଏଥିପାଇଁ ୧୫ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ତଥ୍ୟ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି। ଆଜି ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ।

ନିଷ୍ପତ୍ତି ଅନୁଯାୟୀ ଏହି କାର୍ଯ୍ୟ ପାଇଁ ଆସନ୍ତା ୧ ତାରିଖ ପୂର୍ବରୁ ଜଣେ ଅମିନ ଓ ରାଜସ୍ବ ନିରୀକ୍ଷକଙ୍କୁ ନିଯୁକ୍ତ କରାଯିବ। ସେହିପରି ରାଜାରାଣୀ ମୌଜାରେ ଥିବା ଲିଙ୍ଗରାଜଙ୍କ ନାମରେ ଥିବା ୧୩୫୦/୧୪୯୩ ପ୍ଲଟ୍‌ର ୪୭ ଡେସିମିଲ ଜମିର ଉଦ୍ଧାର ପାଇଁ ହାଇକୋର୍ଟରେ ମାମଲା କରାଯିବା ସହ ରବି ଟକିଜ୍‌ ଛକ ଉପରେ ଥିବା ୩ ମହଲା ବିଶିଷ୍ଟ ଏକ କୋଠାର ଜମିକୁ ନିଜ ଦଖଲକୁ ଆଣିବା ପାଇଁ ତହସିଲଦାର ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଲିଙ୍ଗରାଜ ମାର୍କେଟ ଘର ଭଡ଼ା ବାବଦରେ ବିଏମ୍‌ସି ଉପରେ ବକେୟା ଥିବା ୨୪ଲକ୍ଷ ଟଙ୍କା ପୈଠ କରିବାକୁ ଜିଲ୍ଲାପାଳ ବିଏମ୍‌ସିକୁ ଚିଠି ଲେଖିବେ। ସେହିପରି ଉକ୍ତ ମାର୍କେଟ୍‌ ଉପର ମହଲାକୁ ଯାତ୍ରୀନିବାସ କରିବାକୁ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି।

୨୨୬ଏକର ବେବନ୍ଦୋବସ୍ତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇଛି। ଏନେଇ ତହସିଲଦାର ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି କରିଛନ୍ତି। ଏ ବାବଦରେ ୭୩ ଲକ୍ଷ ଟଙ୍କା ଖଜଣା ଦେବାକୁ ତହସିଲଦାର ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଏହି ଖଜଣା ଛାଡ଼ କରିବାକୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିସହ କଣ୍ଡରା ପୁଷ୍କରିଣୀ ସଫେଇ ପାଇଁ ବିଏମ୍‌ସି ଏନ୍‌ଓସି ମାଗି ଥିବାରୁ ଏହାକୁ ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି। ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ଦାଣ୍ଡ ମହାସୁଲ ଆଦାୟ କରାଯିବ। ଠିକଣା ସମୟରେ ରଥ ତିଆରି ହେଲେ ସୁରୁଖୁରୁରେ ରଥଯାତ୍ରା ହେବ। ଏଣୁ ସେବାୟତଙ୍କ ସହଯୋଗ ନେଇ କାର୍ଯ୍ୟ କରିବା ଓ ଆବଶ୍ୟକ ସାମଗ୍ରୀ ଯୋଗାଇବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଏସିପି ଅନିରୁଦ୍ଧ ରାଉତରାୟ, ଟ୍ରଷ୍ଟି ମାନସ କୁମାର ମହାପାତ୍ର, ଅବନୀକାନ୍ତ ପଟ୍ଟନାୟକ, ରୁଦ୍ର ପ୍ରସାଦ ନନ୍ଦ, ଅଞ୍ଚଳ ବଡ଼ୁ, ହେମନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର