ଜମି କିସମ ସ୍ବତ୍ବ ସରଳୀକରଣ ପ୍ରସ୍ତାବ : କେନ୍ଦ୍ରାଞ୍ଚଳ ଆୟୁକ୍ତଙ୍କ ବୈଠକ‌ରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ,୧୫ ଦିନରେ ଲୋକ ପ୍ରତିନିଧିମାନଙ୍କ ମତାମତ ପଠାଅ

ଯୋଗ ଦେଲେ ୧୦ ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ରାଜସ୍ବ ଅଧିକାରୀ

କଟକ : ଜମିର କିସମ, ମାଲିକାନା ସ୍ବତ୍ବ ଏବଂ ଜମିର ଦେୟ ଧାର୍ଯ୍ୟକୁ ନେଇ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଚଳିତ ବହୁବିଧ ଜମି କିସମ ଓ ସ୍ବ୍ବତ୍ବର ପ୍ରକାର ଭେଦକୁ ହ୍ରାସ କରିବା, କିସମ ଓ ସ୍ବତ୍ବର ସରଳୀକରଣ ଓ ଭୂ-ଦେୟ ଧାର୍ଯ୍ୟ ବ୍ୟବସ୍ଥାକୁ ସହଜ କରିବା ନିମନ୍ତେ ରାଜସ୍ୱ ପର୍ଷଦ(ବୋର୍ଡ ଅଫ ରେଭେନ୍ୟୁ)ଙ୍କ ପକ୍ଷରୁ ପ୍ରସ୍ତୁତ ଏକ ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରାଯାଇଛି। ତା’ ସହ ଏ ସମ୍ପର୍କରେ ଜନମତ ସଂଗ୍ରହ କରିବା ନିମନ୍ତେ ତିନିଟି ରାଜସ୍ୱ ଆଯୁକ୍ତଙ୍କ ସ୍ତରରେ ବୈଠକ ଡକାଯାଇ ନିର୍ବାଚିତ ପ୍ରତିନିଧି ଓ ଅନ୍ୟ ଭାଗୀଦାରମାନଙ୍କର ପ୍ରସ୍ତାବ ଓ ମତାମତ ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣ ପାଇଁ ପଦକ୍ଷେପ ନିଆଯାଇଛି।

ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳର ୧୦ଟି ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ତହସିଲଦାରମାନଙ୍କଠାରୁ ପ୍ରସ୍ତାବିତ ସରଳୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଲୋଡ଼ା ଯାଇଥିଲା। ରାଜସ୍ୱ ପର୍ଷଦ ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଏହି ସରଳୀକରଣ ପଦ୍ଧତି ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମର ଏକ ଅଂଶବିଶେଷ ବୋଲି ଉଲ୍ଲେଖ କରିଥିଲେ। ଏହାଦ୍ବାରା ରାଜସ୍ୱ ପ୍ରଶାସନକୁ ଅଧିକ ସ୍ବଚ୍ଛ କରାଯାଇପାରିବା ସହ ଜନସାଧାରଣଙ୍କ ପାଇଁ ବିଭିନ୍ନ ଜମିର କିସମ ଓ ସ୍ବତ୍ବ ତଥା ଦେୟ ବାବଦ ସମସ୍ତ ତଥ୍ୟ ସହଜରେ ଉପଲବ୍ଧ ହୋଇପାରିବ। ତା’ ସହିତ ଜମି ମାଲିକମାନଙ୍କୁ କ୍ଷତିପୂରଣ ପ୍ରଦାନ ପକ୍ରିୟା ସହଜ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସରଳୀକରଣ ପ୍ରସ୍ତାବ ସମ୍ପର୍କରେ ଜନସାଧାରଣ ଅବଗତି ଓ ମତାମତ ନିମନ୍ତେ ଏହାକୁ ରାଜସ୍ୱ ପର୍ଷଦ ୱେବସାଇଟ http://bor.nic.in ରେ ଉପଲବ୍ଧ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଲୋକ ପ୍ରତିନିଧିମାନଙ୍କର ମତାମତ ଜିଲ୍ଲାପାଳମାନେ ଆଗାମୀ ୧୫ଦିନ ମଧ୍ୟରେ ରାଜସ୍ୱ ଆଯୁକ୍ତଙ୍କ ନିକଟକୁ ପଠାଇଲେ ତାହା ରାଜସ୍ୱ ପର୍ଷଦଙ୍କ ଜରିଆରେ ସରକାରଙ୍କ ଅବଗତି ଓ ଅନୁମୋଦନ ନିମନ୍ତେ ପଠାଯିବ ବୋଲି କୁହାଯାଇଛି। ବୈଠକରେ ରାଜସ୍ୱ ପର୍ଷଦର ଯୁଗ୍ମ ସଚିବ ସନ୍ତୋଷୀ ସାହୁ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସରଳୀକରଣ ପ୍ରସ୍ତାବରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ପ୍ରଚଳିତ ୭୭୦୦ପ୍ରକାରର ଜମି କିସମକୁ ୧୨ଟି ଏବଂ ୭୫୦ ପ୍ରକାର ସ୍ବତ୍ବକୁ ୫ଟି ଭାଗରେ ବର୍ଗୀକରଣ କରାଯାଇଛି। ଏହି ଭିଡିଓ କନ୍‌ଫରେନ୍ସିଂରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଜଗତ୍‌ସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖୋର୍ଦ୍ଧା ବିଧାୟକ ଯତୀନ୍ଦ୍ରନାଥ ମିତ୍ର, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ରାଜସ୍ୱ ଆଯୁକ୍ତଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମ, କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର