ଜମି ପାଇଁ ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ

ଜଗନ୍ନାଥଙ୍କ ପାଇଁ ବହୁ ଚିନ୍ତା, ଲିଙ୍ଗରାଜଙ୍କ ପାଇଁ କିଛି ନାହିଁ

ପୁରୁଣା ଭୁବନେଶ୍ୱର: ଜମି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର। ହେଲେ ସେ ଜମିର ମାଲିକାନାକୁ ନେଇ ଆଜି ବିବାଦ ଏମିତି ଉଗ୍ର ରୂପ ନେଇଛି ଯେ, ପ୍ରଭୁ ଲିଙ୍ଗରାଜଙ୍କୁ ଦିନତମାମ୍ ଖାଡ଼ା ଉପାସ ପକାଇ ଦିଆଗଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅପାରଗତାର ଫାଇଦା ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଆଜି ଶ୍ରୀ ଲିଙ୍ଗରାଜଙ୍କ ସବୁ ନୀତିକାନ୍ତି ବନ୍ଦ କରିଦେଇଥିଲେ ହେଁ ପ୍ରଶାସନ କେବଳ ନିରବଦ୍ରଷ୍ଟା ସାଜିଛି। ପ୍ରଭୁ ଲିଙ୍ଗରାଜ ଖାଡ଼ା ଉପାସରେ ମନ୍ଦିରରେ ଥିଲେ ହେଁ ରାଜ୍ୟ ସରକାର ବି ଏହାର ସମାଧାନ ନେଇ ଟିକେ ବି ଚିନ୍ତା ନକରିବା ସମସ୍ତଙ୍କୁ ଚକିତ କରିଛି। ପୁରୀ ପାଇଁ ଯେଉଁ ରାଜ୍ୟ ସରକାର ଏତେ ତନାଘନା କରୁଛନ୍ତି ସେ ଯେ, ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଏମିତି ନିରବ ରହିପାରନ୍ତି ତାହା ଆଜି ଲକ୍ଷ ଲକ୍ଷ ‌ଭକ୍ତଙ୍କୁ ଦେଖାଇ ଦେଇଛନ୍ତି। ଜବରଦଖଲରେ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ବହୁ ମୂଲ୍ୟବାନ ଜମିକୁ ଫେରାଇ ଆଣିବା ପାଇଁ ପ୍ରଶାସନ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଆଜି ନୀତି କରିନାହାନ୍ତି। ଫଳରେ ଆଜି ସକାଳୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସବୁ ନୀତିକାନ୍ତି ବନ୍ଦ ରହିଛି। ସକାଳ ୮ଟାରୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜ ଉପବାସରେ ରହିଛନ୍ତି। ଆଜି ଅବଢ଼ା ବାହାରି ନଥିବା ବେଳେ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରିଛନ୍ତି। ଏପଟେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ, ପଦକ୍ଷେପ ନିଆଯିବ। ହେଲେ କେତବେଳେ ପଦକ୍ଷେପ ନେବେ ତାକୁ ଭକ୍ତମାନେ ଅପେକ୍ଷା କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସାମନ୍ତରାପୁର ଛକ ନିକଟସ୍ଥ ଗଙ୍ଗୁଆ ନାଳ ନିକଟରେ ରହିଛି ମହାପ୍ରଭୁଙ୍କର ୨ଏକର ୨୬୩ ଡେସିମିଲ ଜମି। ନୂଆଗାଁ ମୌଜାର  ଖାତା ନଂ-୪୩୭, ପ୍ଲଟ ନଂ- ୧୧୮, ଚକ ନଂ ୮୧ରେ ରାସ୍ତା କଡ଼ରେ ଥିବା ଏହି ଜମିରେ ଏବେ ତିଆରି ଚାଲିଛି ୧୬ଟି ଦୋକାନ ଘର। ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ଭୋଗଦଖଲ ପାଇଥିବା କିଛି ସେବାୟତ ଏହାକୁ ଜବରଦଖଲ କରି ଏଥିରେ ଦୋକାନ ଘର ନିର୍ମାଣ କରୁଥିବା ନେଇ ସେବାୟତମାନେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମନ୍ଦିର ପ୍ରଶାସନ ଉକ୍ତ ବହୁ ମୂଲ୍ୟ ସମ୍ପତ୍ତି ଜବରଦଖଲକାରୀଙ୍କଠାରୁ ମୁକ୍ତ କରିବା ପାଇଁ ଅତିରିକ୍ତ ଡିସିପି ତଥା ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହାପରେ ଗତ ଜୁଲାଇ ୨୯ତାରିଖରେ ଅତିରିକ୍ତ ଡିସିପି ନୂଆଗାଁ ମୌଜାର ଉକ୍ତ ଜମିରେ ନିର୍ମାଣାଧୀନ କୋଠା କାର୍ଯ୍ୟ ବନ୍ଦ କରିବା ଲାଗି ସେଠାରେ ୧୪୪ ଧାରା ଜାରି କରିଥିଲେ। ପରବର୍ତ୍ତୀ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ଶ୍ରୀଲିଙ୍ଗରାଜ ଏବଂ ଧଉଳି ଥାନା ଅଧିକାରୀଙ୍କୁ ଉକ୍ତ ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ନିର୍ଦେଶ ଦେଇଥିଲେ। ଉକ୍ତ ଜମି ଉପରେ ଶାନ୍ତି ବଜାୟ ରଖିବା ଲାଗି ମଧ୍ୟ ପୁଲିସକୁ ନିର୍ଦେଶ ଦେଇଥିଲେ।

ତେବେ ଅଜଣା କାରଣବଶତଃ ଅଗଷ୍ଟ ୨୯ତାରିଖରେ ସେଠାରୁ ୧୪୪ଧାରା ଉଠିଯାଇଥିଲା। ଯାହାର ଫାଇଦା ନେଇ ବଡ଼ୁ ନିଯୋଗର କିଛି ସଦସ୍ୟ ପୁଣି ବେଆଇନ ନିର୍ମାଣ ଆରମ୍ଭ କରିଥିଲେ। ପୁଲିସର ଅସହଯୋଗ ଯୋଗୁଁ ପୁଣି ନିର୍ମାଣ ଆରମ୍ଭ ହେବାରୁ ଯଦି ଏହି ଜମିରେ ନିର୍ମାଣ କାର୍ଯ୍ୟ ବନ୍ଦ ନହୁଏ ଏବଂ ପ୍ରଶାସନ ପଦକ୍ଷେପ ନ ନିଏ ତେବେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସେବା ପୂଜାରେ ଅସହଯୋଗ କରିବେ ବୋଲି ଚିଠି ଲେଖି ମନ୍ଦିର କାର୍ଯ୍ୟନିର୍ବହୀ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଓ ଦେବୋତ୍ତର ବିଭାଗକୁ ଜଣାଇଥିଲେ। ହେଲେ ସମସ୍ତେ ନିରବ ରହିଗଲେ। ପୁଣି ରାତାରାତି ଦୋକାନ ଘର ତିଆରି ଆରମ୍ଭ ହୋଇଥିଲା। ଏନେଇ ଗତ ୧ତାରିଖରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ସ୍ଥାନକୁ ଯାଇ ତଦନ୍ତ କରିବା ବେଳେ ତାଙ୍କୁ କିଛି ଯୁବକ ଧମକ ଦେଇଥିଲେ। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ‌ାହୁ ଧଉଳି ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ତେବେ ଆଜି ପୂର୍ବାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣମେଲା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସେବା କାର୍ଯ୍ୟରେ ଅସହଯୋଗ କରିଥିଲେ। ଫଳରେ ରୋଷ ହୋମଠାରୁ ସମସ୍ତ ନୀତି ବନ୍ଦ ରହିଥିଲା। ଠାକୁର ଉପବାସରେ ରହିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବ ଘୋଷଣା ଅନୁଯାୟୀ ଠାକୁରଙ୍କ ଜମିରେ ଯଦି ନିର୍ମାଣ କରାଯାଏ ଓ ପ୍ରଶାସନ ପଦକ୍ଷେପ ନ ନିଏ ତାହାଲେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସେବା ପୂଜାରେ ଅସହଯୋଗ କରି‌େବ ବୋଲି ଚିଠି ଲେଖା ଯାଇଥିଲା। ତେବେ ଏନେଇ କିଛି ପଦକ୍ଷେପ ନିଆଗଲାନି। ତେଣୁ ଆମେ ନୀତି ବନ୍ଦ କଲୁ। ଏପଟେ ଠାକୁରଙ୍କ ନୀତି ବନ୍ଦ ପରେ ମଧ୍ୟାହ୍ନ ୧୨ଟାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ରାହ୍ମଣ ନିଯୋଗର ସମ୍ପାଦକ ଓ ପୂଜାପଣ୍ଡା ନିଯୋଗର ସମ୍ପାଦକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ରାଜି ହୋଇନଥିଲେ। ପରେ ଦେବୋତ୍ତର ବିଭାଗ ଡିଆଇ ଆସି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁଇ ସେବାୟତ ନିଯୋଗ ରାଜି ହୋଇନଥି‌ଲେ। ଜବରଦଖଲ ଜମିରେ କାର୍ଯ୍ୟ ବନ୍ଦ ସହ ଏହାର ପୁନରୁଦ୍ଧାର କରିବାକୁ ସେମାନେ ଦାବି କରିଥିଲେ। ହେଲେ ଏହି ବାବୁମାନେ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ ହେଲା କି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇପାରିଲେନି। ଯେଉଁଥିପାଇଁ ପ୍ରଭୁ ଲିଙ୍ଗରାଜ ଉପାସ ପଡ଼ିଗଲେ।

ମହାପ୍ରଭୁଙ୍କ ମୂଲ୍ୟବାନ ଜମି ପୁନରୁଦ୍ଧାର ଦାବିରେ ଦୁଇ ନିଯୋଗର ନୀତି ବନ୍ଦ
ମଣିଷ ଆଗରେ ଅସହାୟ ଠାକୁର
କାହିଁକି ଚୁପ୍ ବସିଛି ପ୍ରଶାସନ
ଅତିରିକ୍ତ ଡିସିପିଙ୍କ ଭୂମିକା ସନ୍ଦେହରେ

ଜମି ଶ୍ରୀ ଲିଙ୍ଗରାଜଙ୍କ ନାମରେ ଅଛି, ଖୁବ୍ ଶୀଘ୍ର ପଦକ୍ଷେପ ନେବୁ
ସେହି ଜମିରେ ବଡୁ ନିଯୋଗ ଦୋକାନ ଘର ତିଆରି କରୁଥିବା ନେଇ ଦୁଇ ନିଯୋଗ ଅଭିଯୋଗ କରିବା ପରେ ଅତିରିକ୍ତ ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡ ସଭାପତି ଓ ଦେବୋତ୍ତର ବିଭାଗକୁ ଜଣାଇଛୁ। ୧୪୪ଧାରା ହଠାତ୍‌ ସେଠାରୁ ଉଠାଯିବା ସମ୍ପର୍କରେ ଆମେ ଜାଣି ନଥିଲୁ। ଏହି ଧାରା ଉଠିବା ପରେ କୋର୍ଟକୁ ଯାଇ ଫଇସଲା କରିବା ପାଇଁ ଅତିରିକ୍ତ ଡିସିପି ତଥା ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ନିର୍ଦେଶ ଥିଲା। ବଡ଼ୁ ନିଯୋଗ ପକ୍ଷରୁ ଏବେ ସେଠାରେ ଘର ତିଆରି ଚାଲିଥିବାରୁ ଦ୍ବନ୍ଦ୍ବ ବଢ଼ିଛି। ଦୁଇ ନିଯୋଗକୁ ବୁଝାଇବାକୁ ଚେଷ୍ଟା ଚାଲିଛି। ଆମ ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ଜମିରେ ନିର୍ମାଣ ଚାଲିଛି ତାହା ପ୍ରଭୁ ଲିଙ୍ଗରାଜଙ୍କ ନାମରେ ଅଛି। ଏନେଇ ଖୁବ୍ ଶୀଘ୍ର ପଦକ୍ଷେପ ନେବୁ।
ପ୍ରଦୀପ କୁମାର ସାହୁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ

୧୦ଦିନ ପୂର୍ବରୁ ଚିଠି ଲେଖି ଜଣାଇଥିଲୁ, କିଛି କଲେନି
ଠାକୁରଙ୍କ ଜମି ଜବରଦଖଲ ସମ୍ପର୍କରେ ପ୍ରଶାସନ ପଦକ୍ଷେପ ନନେଲେ ସେବା ପୂଜାରେ ଅସହଯୋଗ କରିବୁ ବୋଲି ୧୦ଦିନ ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଓ ଦେବୋତ୍ତର ବିଭାଗକୁ ଜଣାଇଥିଲୁ। ଅଥଚ ମହାପ୍ରଭୁଙ୍କ ୫୦କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ସ୍ଥାନୀୟ ଲୋକ ପ୍ରତିନିଧି ଚୁପ୍‌ ରହିବା ସହ ମନ୍ଦିରରୁ ୩ କିଲୋମିଟର ଦୂରରେ ରହୁଥିବା ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଉ ନାହାନ୍ତି। ଟ୍ରଷ୍ଟ ବୋର୍ଡ ତିଆରି ହୋଇପାରୁନାହିଁ। ଏଥିରେ ବହୁ ବଡ଼ ବଡ଼ ନେତା ମଧ୍ୟ ସାମିଲ ଥିବାରୁ ସଭିଏଁ ଚୁପ୍‌ ବସିଛନ୍ତି। ଜବରଦଖଲ ଜମିରେ କାର୍ଯ୍ୟ ବନ୍ଦ ସହ ଏହାର ପୁନରୁଦ୍ଧାର କରିଯିବା ଆବଶ୍ୟକ।
ବିରଞ୍ଚି ନାରାୟଣ ପତି, ବ୍ରାହ୍ମଣ ନିଯୋଗ ସମ୍ପାଦକ

ପ୍ରକୃତ ମାଲିକ କିଏ ତଦନ୍ତ ହେଉ
ପ୍ରଶାସନ ଜାଣିଶୁଣି ମହାପ୍ରଭୁଙ୍କ ସମ୍ପତ୍ତି ଜବର ଦଖଲ ପାଇଁ ସୁଯୋଗ ଦେଉଛି। ସରକାରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବରଦଖଲ ହେଉଥିବା ବେଳେ ପ୍ରଶାସନ ମହାସୁଲ ଆଦାୟ କରି ସାଧାରଣ ବ୍ୟବସାୟୀଙ୍କୁ ଲୁଟୁଛନ୍ତି। ଏଣୁ ଉକ୍ତ ଜମିର ପ୍ରକୃତ ମାଲିକ କିଏ ତା’ର ତଦନ୍ତ କରାଯାଉ।
ସଚ୍ଚିକାନ୍ତ ପୂଜାପଣ୍ଡା, ପୂଜାପଣ୍ଡା ନିଯୋଗ ସମ୍ପାଦକ

ଆମ ନାମରେ ଜମି ରେକର୍ଡ ଅଛି
ଆମେ ମାର୍ଫତକାରୀ ସେବାୟତ। ସେବା ନୀତି ପାଇଁ ବିଭିନ୍ନ ସେବାୟତ ପାଇଥିବା ଜମି ପରି ଏହି ଜମି ଆମେ ଭୋଗ ଦଖଲ ପାଇଁ ପାଇଛୁ। ଆମର ଏନେଇ କାଗଜପତ୍ରରେ ପ୍ରମାଣ ରହିଛି। ଆମ ସେବାୟତ ଚଳିବା ପାଇଁ ଦୋକନ ଘର ତିଆରି କରାଯାଉଛି। ଆମେ ନୀତିକାନ୍ତିରେ ଅସହଯୋଗ କରିବୁ ନାହିଁ।
କମଳାକାନ୍ତ ବଡ଼ୁ, ବଡ଼ୁ ନିଯୋଗ ସମ୍ପାଦକ

ସେବାୟତଙ୍କୁ ବୁଝାଉଛୁ
ସେବାୟତଙ୍କୁ ବୁଝାଇବାକୁ ଚେଷ୍ଟା କରୁଛୁ। ଜବରଦଖଲ ସମ୍ପର୍କରେ ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ।
ଅରୁଣ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ

ନୀତି କରିବାକୁ ତିନି ନିଯୋଗକୁ ଚିଠି କରିଛୁ
ମନ୍ଦିର ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପ୍ରଶାସନ ରହିଛି। ଦେବୋତ୍ତର ବିଭାଗ ଜିଲ୍ଲା ଇନ୍‌ସପେକ୍ଟର ନିରୋଜ ଛୋଟରାୟଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରାଯାଇଛି। ‌ଦେବୋତ୍ତର ବିଭାଗ ପକ୍ଷରୁ ତିନି ନିଯୋଗକୁ ବିବାଦରୁ ଓହରି ତୁରନ୍ତ ନୀତିକାନ୍ତି ଆରମ୍ଭ କରିବାକୁ ଚିଠି କରାଯାଇଛି। ଆସିଷ୍ଟାଣ୍ଟ କମିସନର ତଦନ୍ତ କରିବା ପର୍ଯ୍ୟନ୍ତ ସେଠାରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ବଡୁ ନିଯୋଗକୁ କୁହାଯାଇଛି।
ଚିତ୍ତରଞ୍ଜନ ମହାପାତ୍ର, ଦେବୋତ୍ତର କମିସନର

ସ୍ଥିତି ସୁଧାରିବାକୁ ଉଦ୍ୟମ ଚାଲିଛି
ଉକ୍ତ ଜମିରେ କାମ ବନ୍ଦ କରିବା ପରେ ନୀତି ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ କହୁଛନ୍ତି। ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛୁ।
ନିରୋଜ ଛୋଟରାୟ, ଦେବୋତ୍ତର ବିଭାଗ ଜିଲ୍ଲା ଇନ୍‌ସପେକ୍ଟର

ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ସୁରକ୍ଷିତ ହେଉ
ପୁରୀ ମନ୍ଦିର ସୁରକ୍ଷା ପରି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମୂଲ୍ୟବାନ ସମ୍ପତ୍ତି ସୁରକ୍ଷିତ ରହିବା ଦରକାର। ଏହା ପ୍ରଶାସନ ଚାହିଁଲେ ହିଁ ହେବ। ତେବେ କେଉଁ ସମ୍ପତ୍ତି କାହାର ସେନେଇ ତଦନ୍ତ କରାଯାଇ ପଦକ୍ଷେପ ନେଲେ ବିଶୃଙ୍ଖଳା ହେବ ନାହିଁ। ଏହାଦ୍ବାରା ସେବାୟତ ନୀତିରେ ଅସହଯୋଗ କରିବେ ନାହିଁ।
ଭୀଷ୍ମ ନାରାୟଣ ନାୟକ, ସଭାପତି, ଏକାମ୍ର ଜନ ଜାଗରଣ ମଞ୍ଚ

ସମ୍ବନ୍ଧିତ ଖବର