ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର, ରହଣୀ ପାଇଁ ରାଜ୍ୟବାସୀଙ୍କ ସ୍ବପ୍ନର ସହର ପାଲଟିଛି। ପରିଣାମ ସ୍ବରୂପ ଭୁବନେଶ୍ବର ସହର ଓ ସହରତଳି ଅଞ୍ଚଳର ଜମି ଦର ଆକାଶଛୁଆଁ ହେଲାଣି। ସରକାରୀ ଧାର୍ଯ୍ୟ ଦର(ବେଞ୍ଚମାର୍କ ଭାଲ୍ୟୁ)ଠାରୁ ବହୁଗୁଣା ଅଧିକ ଦର ଦେଇ ଜମି କିଣିବାକୁ ପଛଘୁଞ୍ଚା ଦେଉନାହାନ୍ତି ଲୋକେ। ଏହାର ପୂର୍ଣ୍ଣ ଫାଇଦା ଉଠାଉଛନ୍ତି ସରକାରୀ ଅଧିକାରୀ ଓ ଜମି ମାଫିଆ। ସରକାରୀ ଜାଗାକୁ ଅନାୟାସରେ ବିକ୍ରି କରୁଛନ୍ତି। ସେପଟେ ତହସିଲର କେତେକ ଅମଲାଙ୍କ ଲାଞ୍ଚ ନିଶା ଏତେ ଯେ କ୍ଷମତା ବାହାରେ ବି ଏମାନେ ଦାଖଲଖାରଜ କେସ୍ ବଳରେ ସରକାରୀ ଓ ବେସରକାରୀ ଜମିକୁ ବେଆଇନ୍ ରେକର୍ଡଭୁକ୍ତ କରିବାରେ ଲାଗିଛନ୍ତି। ଭୁବନେଶ୍ବର ଓ ଜଟଣୀ ତହସିଲରେ ଏଭଳି କେଳେଙ୍କାରୀ ଧରିଛନ୍ତି ରାଜସ୍ବ ପର୍ଷଦ ଅତିରିକ୍ତ ଆୟୁକ୍ତଙ୍କ କୋର୍ଟ। ନିଜ କ୍ଷମତା ବାହାରେ ଦୁଇ ତହସିଲର ତହସିଲଦାର ଓ ସରକାରୀ ବାବୁମାନେ ଦାଖଲଖାରଜ କେସ୍ କରି ଜମିକୁ ଭିନ୍ନ ଭିନ୍ନ ଲୋକଙ୍କ ନାଁରେ ରେକର୍ଡଭୁକ୍ତ କରିଛନ୍ତି। ସରକାରୀ ଓ ଅନାବାଦି ଜାଗାକୁ ବି ଛାଡ଼ିନାହାନ୍ତି। ତହସିଲଦାରମାନେ ହେଉଛନ୍ତି ସରକାରୀ ଜମିର ରକ୍ଷକ। କିନ୍ତୁ ଏଠି ରକ୍ଷକମାନେ ଭକ୍ଷକ ସାଜି ସରକାରୀ ଜମିକୁ ଅନାୟାସରେ ରେକର୍ଡଭୁକ୍ତ କରି ତଞ୍ଚକତାର ବାଟ ଉନ୍ମୁକ୍ତ କରିଛନ୍ତି।
୨୦୧୭ରୁ ୨୦୨୪ ମସିହା ଭିତରେ ଏଭଳି ୩୮ଟି ସରକାରୀ ଓ ବେସରକାରୀ ଜମିକୁ ତଞ୍ଚକତା କରି ବିକ୍ରି କରାଯାଇଛି ଏବଂ ଦାଖଲଖାରଜ କେସ୍ ବଳରେ ସ୍ବତ୍ବ ପରିବର୍ତ୍ତନ କରାଯାଇଛି। ଏହି ଅନିୟମିତତାକୁ ରାଜସ୍ବ ପର୍ଷଦ ଅତିରିକ୍ତ ଆୟୁକ୍ତ ପ୍ରଦୀପ କୁମାର ନାୟକ (ଅତିରିକ୍ତ ରିଭିଜନ୍ କୋର୍ଟ-୧, ୨ ଓ ୪) ଧରିଛନ୍ତି। ଏ ସଂପର୍କରେ ଅତିରିକ୍ତ ଆୟୁକ୍ତ ଶ୍ରୀ ନାୟକ ରାଜସ୍ବ ବିଭାଗ ଅତିରିକ୍ତ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏଭଳି ଅନିୟମିତତାର ଆର୍ଡିସିସ୍ତରୀୟ ତଦନ୍ତ ପାଇଁ ସୁପାରିସ କରିଛନ୍ତି। ଭୁବନେଶ୍ବର ନିକଟବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ତହସିଲରେ ବି ଏଭଳି ତଞ୍ଚକତା ହୋଇଥାଇପାରେ ଓ ଏହା ତଦନ୍ତସାପେକ୍ଷ ବୋଲି କହିଛନ୍ତି। ଏହାକୁ ରୋକିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଅତିରିକ୍ତ ଆୟୁକ୍ତ ଅନୁରୋଧ କରିଛନ୍ତି। ମୁଖ୍ୟ ଶାସନ ସଚିବ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବି ଏ ସଂପର୍କରେ ଚିଠି କରିଛନ୍ତି।
ରାଜସ୍ବ ବିଭାଗ ଚିଠି ନମ୍ବର-ଏସ୍-୫୯/୯୯-୨୫୨୫/ଆର/ ୬.୫.୧୯୯୯ ଅନୁଯାୟୀ, ତହସିଲସ୍ତରରେ ଦାଖଲଖାରଜ କେସ୍ ବଳରେ ପ୍ରି-ସେଟେଲ୍ମେଣ୍ଟ ଜମି(ସାବକ) ହସ୍ତାନ୍ତରଣକୁ ନିଷିଦ୍ଧ କରାଯାଇଛି। ପ୍ରି-ସେଟେଲ୍ମେଣ୍ଟ କେସ୍ ସଂପର୍କିତ କୌଣସି ମାମଲାର ଶୁଣାଣି ତହସିଲଦାରମାନେ କରି ପାରିବେନି ଓ ଜମିର ସ୍ବତ୍ବ(ରେକର୍ଡ ଅଫ୍ ରାଇଟ୍ସ) ପରିବର୍ତ୍ତନ କରିପାରିବେନାହିଁ। ହାଇକୋର୍ଟଙ୍କ ଆଦେଶମତେ ରାଜ୍ୟ ସରକାର ଏଥିପାଇଁ ରିଭିଜନ୍ କୋର୍ଟ ସ୍ଥାପନ କରିଛନ୍ତି। କିନ୍ତୁ ଶୁଣାଣି ବେଳେ ଭୁବନେଶ୍ବର ଓ ଜଟଣୀ ତହସିଲଦାର ଅନେକ ସାବକ ପଟ୍ଟାର ଆର୍ଓଆର୍ ସଂଶୋଧନ କରିଛନ୍ତି। ଏହା ସଂପୂର୍ଣ୍ଣ ବେଆଇନ୍ ବୋଲି ଅତିରିକ୍ତ ଆୟୁକ୍ତ ଚିଠିରେ କହିଛନ୍ତି। ଅତିରିକ୍ତ ଆୟୁକ୍ତ ଶ୍ରୀ ନାୟକ ଚିଠିରେ ଦର୍ଶାଇଛନ୍ତି, ଜଟଣୀ ତହସିଲ ଭାତଖୁରୀ ମୌଜା ଖାତା ନମ୍ବର-୬୫୯ରେ ସରକାରୀ ଜମି ରହିଛି। କିନ୍ତୁ ୨୦୨୨ ମସିହାରେ ୭ଟି ଦାଖଲଖାରଜ କେସ୍ ବଳରେ ଏହାକୁ ସଂଶୋଧନ କରାଯାଇ ଅନ୍ୟ ନାମରେ ରେକର୍ଡ କରାଯାଇଛି। ଓଗାଳପଡ଼ା ମୌଜାର ଖାତା ନମ୍ବର-୫୯୨ରେ ଥିବା ସରକାରୀ ଜମିକୁ ବି ତଞ୍ଚକତା ପୂର୍ବକ ୨୦୨୧ ମସିହାରେ ଅନ୍ୟ ନାମରେ ରେକର୍ଡଭୁକ୍ତ କରାଯାଇଛି। ସେହିଭଳି ଜଟଣୀ ତହସିଲର ଯାଁଳା ମୌଜା, ସାଥୁଆକେରା-ଗୋପାଳପୁର ମୌଜା, ଓଗାଳପଡ଼ା ମୌଜା, ହରପୁର ମୌଜାରେ ୨୧ରୁ ଅଧିକ ଜମିକୁ ବେଆଇନ ଭାବେ ରେକର୍ଡଭୁକ୍ତ କରାଯାଇଛି। ଭୁବନେଶ୍ବର ତହସିଲ ଅଧୀନ ଅନ୍ଧାରୁଆ, ଗୋଠପାଟଣା, କୃଷ୍ଣନଗର, ଡୁମୁଡୁମା, ଗାଡ଼କଣ ମୌଜାରେ ୧୦ରୁ ଅଧିକ ଜମିକୁ ଏଭଳି ତଞ୍ଚକତା ପୂର୍ବକ କ୍ଷମତା ବାହାରେ ରେକର୍ଡଭୁକ୍ତ କରାଯାଇଛି। ଏଭଳି ୨୦୧୬ ମସିହାରେ ଗୋଟିଏ, ୨୦୧୭ରେ ଗୋଟିଏ, ୨୦୧୮ରେ ୮ଟି, ୨୦୧୯ରେ ୨ଟି, ୨୦୨୧ରେ ୩ଟି, ୨୦୨୪ରେ ୧୧ଟି ପଟ୍ଟାକୁ ବେଆଇନ ସଂଶୋଧନ ଓ ରେକର୍ଡ କରାଯାଇଛି। ଆଇନ ଅନୁଯାୟୀ ଏହା ଆଦୌ ଗ୍ରହଣୀୟ ହୋଇନଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଚିଠି କରିଛନ୍ତି। ଯେଉଁ ସବୁ ଜମିର ଏଭଳି ବେଆଇନ ସଂଶୋଧନ କରାଯାଇଛି, ତାର ରେକର୍ଡ ପୁନର୍ବାର ସଂଶୋଧନ କରି ସରକାରୀ ଖାତାକୁ ଫେରାଇ ଆଣିବାକୁ ଶ୍ରୀ ନାୟକ ଚିଠି କରିଛନ୍ତି।
ଭୁବନେଶ୍ବର ଓ ଜଟଣୀରେ ଜମି କେଳେଙ୍କାରୀ : ବାଡ଼ ଯେବେ ଫସଲ ଖାଏ
ରାଜଧାନୀ ଭୁବନେଶ୍ବର, ରହଣୀ ପାଇଁ ରାଜ୍ୟବାସୀଙ୍କ ସ୍ବପ୍ନର ସହର ପାଲଟିଛି। ପରିଣାମ ସ୍ବରୂପ ଭୁବନେଶ୍ବର ସହର ଓ ସହରତଳି ଅଞ୍ଚଳର ଜମି ଦର ଆକାଶଛୁଆଁ ହେଲାଣି। ସରକାରୀ ଧାର୍ଯ୍ୟ ଦର...
/sambad/media/media_files/2025/07/08/wqazxcderfv-2025-07-08-06-22-34.jpg)