ସନ୍ଦେହ ଘେରରେ ସବ୍ରେଜିଷ୍ଟ୍ରାର୍, ଆର୍ଆଇଙ୍କ ଭୂମିକା
ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ୩୦ ଲକ୍ଷ ଟଙ୍କାର ଜମି ହଡ଼ପ
ଥାନାରେ ଅଭିଯୋଗ ପରେ ବି ଶୁଣୁନି ପୁଲିସ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ଇନ୍ଫୋସିଟ୍ ଥାନା ଅଧୀନ କିଟ୍ ଜଗନ୍ନାଥମନ୍ଦିର ନିକଟରେ ଥିବା ଜଣେ ଆଇନ୍ଜୀବୀ ସତ୍ୟଶ୍ରୀ ମହାନ୍ତି ଓରଫ ମାନସଙ୍କ ଜମିକୁ ଜାଲିଆତି କରି ହଡ଼ପ ଘଟଣାରେ ବଡ଼ଗଡ଼ ଥାନାରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୁଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରାଧୀମାନେ ଖୁଲମ୍ ଖୁଲା ବୁଲୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିବାକୁ ସାହସ କରୁନି। ଗତ ୨ ମାସ ହେବ ମାନସ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଫଳରେ ଅପରାଧୀମାନେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବା ମାନସ କହିଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ, ଗତ ୨୧ ତାରିଖ ଦିନ ମାନସ ପୁଅର ରେସିଡେଣ୍ଟ ସାଟିଫିକେର୍ଟ ବାହାର କରିବା ପାଇଁ ଜମିର ଅବିକଳ ନକଲ କାଢ଼ିବା ବେଳେ ଜାଣିବାକୁ ପାଇଥିଲେ ଯେ, କେହିଜଣେ ଭୁବନେଶ୍ୱର ତହସିଲ୍ ଅନ୍ତର୍ଗତ ପଥରଗାଡ଼ିଆ ମୌଜାରେ ଥିବା ସ୍ଥିତିବାନ ପ୍ଲଟ୍ ନଂ-୨୬୯୯ ଖାତା ନଂ-୧୦୩୦କୁ ୩୦ଲକ୍ଷ ଟଙ୍କାରେ କଟକ ଜିଲ୍ଲାର ଲାଲ୍ବାଗ ଥାନା ଅଞ୍ଚଳର ମହମ୍ମଦ ଇର୍ଷାଦ ଓ ସାଲେପୁର ଥାନା ଅଞ୍ଚଳର ଭୀମସେନ୍ ଓଝାଙ୍କୁ ବିକ୍ରି କରିଛି। ତାଙ୍କ ନାମରେ ଏକ ନକଲି ପରିଚୟପତ୍ର ଓ ତାଙ୍କ ମା’ ପ୍ରମୋଦା କୁମାରୀ ମହାନ୍ତିଙ୍କ ୪ ବର୍ଷ ପୂର୍ବରୁ ମୃତ ଘଟିଥିବା ଦର୍ଶାଇ ବ୍ୟକ୍ତି ଜଣଙ୍କ ଜମିକୁ ବିକ୍ରି କରିଛନ୍ତି। ଯଦିଓ ତାଙ୍କ ମା’ ଓ ବାପା ଉଭୟ ବର୍ତ୍ତମାନ ଜୀବିତ ଅଛନ୍ତି। ମାନସଙ୍କ ଜାଲ ଭୋଟ ପରିଚୟପତ୍ର ଏବଂ ତାଙ୍କ ଜୀବୀତ ମା’ଙ୍କୁ ମୃତ ଦର୍ଶାଇ ଜମି ମାଲିକ ଜୀବିତ ଥାଉ ଥାଉ କିପରି ଉତ୍ତରାଧିକାରୀ ପ୍ରମାଣପତ୍ର ମିଳିଲା ଓ ଜମିର ସ୍ଥିତିକୁ ବିନା ଯାଞ୍ଚରେ ବିକ୍ରି କରାଗଲା ବୋଲି ମାନସ ପ୍ରଶ୍ନ କରିଛନ୍ତି। ଆଜକୁ ଦୀର୍ଘ ୨୫ ବର୍ଷ ହେବ ଉକ୍ତ ଜମିର ପଟ୍ଟା ସତ୍ୟଶ୍ରୀ ମହାନ୍ତି ଓ ତାଙ୍କ ମା’ ପ୍ରମୋଦା କୁମାରୀ ମହାନ୍ତିଙ୍କ ନାମରେ ରେକର୍ଡ ହୋଇଛି। ତେବେ ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ଓ ଚନ୍ଦକା ଆର୍ଆଇ ଯୋଜନାବଦ୍ଧ ଭାବେ କୌଣସି କାଗଜପତ୍ର ଯାଞ୍ଚ ନକରି ଜମିପଟ୍ଟା ଏବଂ ଦଲିଲ୍ ପ୍ରସ୍ତୁତ କରିଛନ୍ତି। ତେଣୁ ଘଟଣାରେ ତଦନ୍ତ କାରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି। ଯଦି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆଇନ୍ଜୀବୀମାନେ ରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।