ଭୁବନେଶ୍ବର: ପୂର୍ବରୁ ବିକିଥିବା ଜମିକୁ ପୁଣି ଥରେ ବିକି କ୍ରେତାଙ୍କଠାରୁ ୧ କୋଟି ୧୪ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ୨ ଭାଇଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରଙ୍ଗମାଟିଆର କୃଷ୍ଣଚନ୍ଦ୍ର ବେହେରା(୫୭) ଓ ରମେଶଚନ୍ଦ୍ର ବେହେରା(୫୦)। ପୁଲିସ ସୂଚନାନୁସାରେ ଗାଡ଼କଣସ୍ଥିତ ସ୍ପେସ୍‌ ଟାଉନ୍‌ ଆପାର୍ଟମେଣ୍ଟରେ ଭଡ଼ାଘର ନେଇ ରହୁଥିବା ସୁକାନ୍ତ ସାହୁ ନିକଟରେ ଏକ ପ୍ଲଟ୍‌ କିଣିବାକୁ ଚାହୁଥିଲେ। ଏନେଇ ସେ ବିଭିନ୍ନ ଲୋକଙ୍କୁ ଯୋଗାଯୋଗ କରିବା ଭିତରେ ରଙ୍ଗମାଟିଆ ଗାଁର ବାବୁଲି ବେହେରା ଓରଫ ବିଭୂତି ସହ ସମ୍ପର୍କରେ ଆସିଥିଲେ। ବାବୁଲି ତାଙ୍କ ଗାଡ଼କଣ ମୌଜା ସ୍ଥିତ ଏକ ପୈତୃକ ଜମି ବିକିବାକୁ ସୁକାନ୍ତଙ୍କୁ କହିଥିଲେ ଏବଂ କାଗଜପତ୍ର ଦେଖାଇଥିଲେ। ବାବୁଲି ସ୍ଥାନୀୟ ଲୋକ ହୋଇଥିବାରୁ ସୁକାନ୍ତ ଉପରଠାଉରିଆ ଭାବେ କାଗଜପତ୍ର ଦେଖି ବିଶ୍ବାସ କରିଯାଇଥିଲେ। ତେଣୁ ଅଗ୍ରିମ ଆକାରରେ ୨୪ ଲକ୍ଷ ଓ ରେଜିଷ୍ଟ୍ରି କରିବା ଦିନ ୯୦ ଲକ୍ଷ ଟଙ୍କା ଗଣିଦେଲେ।

Advertisment

ଏହି ସବୁ ଟଙ୍କା ଉତ୍ତରାଧିକାରୀ ସ୍ବତ୍ତ୍ବ ଅନୁସାରେ ଜମିର ଅଂଶୀଦାର ବାବୁଲି, ବିଭୂତି, କୃଷ୍ଣ, ରମେଶ, ଗୋଖୀ, ମମତା, ଜିତୁ ଓ ସନ୍ତୋଷଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ଜମି ରେଜିଷ୍ଟ୍ରି ପରେ ସୁକାନ୍ତ ଦଖଲ ନେବାକୁ ବାହାରିଥିଲେ। କିନ୍ତୁ ଦଖଲ ନେବାକୁ ବାହାରିବା ବେଳେ ସେ ଜାଣିବାକୁ ପାଇଲେ ଯେ ଜମିଟି ପୂର୍ବରୁ ସଚିକାନ୍ତ ରାଉତରାୟ କିଣିସାରିଛନ୍ତି। ଗନ୍ଧର୍ବ ବେହେରା, ଗୋବର୍ଦ୍ଧନ ବେହେରା, ମାଗୁଣି ବେହେରା, ଗଜେନ୍ଦ୍ର ବେହେରା ଓ ଗୋଖୀ ବେହେରା ଉକ୍ତ ଜମିକୁ ସଚିକାନ୍ତଙ୍କ ନାଁରେ ରେଜିଷ୍ଟ୍ରି କରିଛନ୍ତି। ଏମିତିକି ସଚିକାନ୍ତ ମଧ୍ୟ ଉକ୍ତ ଜମିକୁ ପ୍ଲଟ୍‌ ହିସାବରେ କିଣାବିକା କରିସାରିଛନ୍ତି। ସବୁ କଥା ଜାଣିବା ପରେ ସୁକାନ୍ତ ଟଙ୍କା ଫେରସ୍ତ ମାଗିଥିଲେ। ବିଭୂତି ଓ ଜିତୁ ଯଥାକ୍ରମେ ୧୬ ଲକ୍ଷ ଓ ୭ ଲକ୍ଷ ଟଙ୍କା ଫେରାଇଥିଲେ। କିନ୍ତୁ ଅନ୍ୟମାନେ ଟଙ୍କା ଫେରାଇ ନଥିଲେ। ଅଭିଯୋଗ ପାଇ ମଞ୍ଚେଶ୍ବର ଥାନା ପୁଲିସ ଆଜି କୃଷ୍ଣ ଓ ରମେଶକୁ ଗିରଫ କରିଛି। ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।