ଖଣ୍ଡଗିରି: ଗ୍ରାହକମାନଙ୍କର ଅଧିକାରକୁ ସୁରକ୍ଷା ଦେବା, ଉତ୍ପାଦ କିମ୍ବା ସେବା ସହିତ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଖାଉଟି ବିବାଦ ସମାଧାନ ଆୟୋଗ ସ୍ଥାପନ ହୋଇଛି। ଅଭିଯୋଗ ଦାଖଲ ପରେ ସମସ୍ୟାର ସମାଧାନ ତଥା ଖାଉଟିଙ୍କ ଅଧିକାରକୁ ସୁନିଶ୍ଚିତ କରିବାର ସୁଯୋଗ ଏଠାରେ ମିଳିଥାଏ। ମାତ୍ର ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ଖାଉଟି ବିବାଦ ସମାଧାନ ଆୟୋଗରେ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି। ଖଣ୍ଡଗିରିସ୍ଥିତ ଏହି କାର୍ଯ୍ୟାଳୟରେ ୨୮୦୦ରୁ ଅଧିକ ମାମଲା ଏବେ ବି ଅସମାହିତ ଅବସ୍ଥାରେ ପଡ଼ିରହିଛି। ସମାଧାନ ନହେବା ଫଳରେ ଆୟୋଗ ଉପରୁ ଖାଉଟିଙ୍କର ଆସ୍ଥା ତୁଟିଲାଣି। ଏପର୍ଯ୍ୟନ୍ତ ୨୦୧୬ ମସିହାର ମାମଲା ପଡ଼ିରହିଛି। କର୍ମଚାରୀ ଅଭାବରୁ ଏଭଳି ଅଚଳାବସ୍ଥା ପାଲଟିଛି ବୋଲି ସଫେଇ ଦିଆଯାଉଛି।

Advertisment

ସୂଚନାଯୋଗ୍ୟ ଯେ ଗତବର୍ଷ ଖୋର୍ଦ୍ଧା ଜିଲ୍ଲାରେ ୫୧୦ଟି ଖାଉଟି ମାମଲା ଦାୟର ହୋଇଥିଲା। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାମଲା ସଂଖ୍ୟା ୨୨୨ରେ ପହଞ୍ଚିଛି। ଏଥିରେ ମୁଖ୍ୟତଃ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଜୀବନ ବୀମା, ଗାଡ଼ି ବୀମା ଓ ମେଡିକ୍ଲେମ୍‌ ଭଳି ମାମଲା ରହିଛି। ମାତ୍ର କର୍ମଚାରୀ ତଥା ଅଧିକାରୀ ନଥିବାରୁ ଏହି ମାମଲାର ସମାଧାନ ତ ଦୂରର କଥା ଶୁଣାଣି ମଧ୍ୟ ହୋଇପାରୁନାହିଁ। ଚଳିତମାସ ୨୩ ତାରିଖଠାରୁ ବରିଷ୍ଠ ଆଇନଜୀବୀ ଶିବପ୍ରସାଦ ମହାନ୍ତିଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ମହାନ୍ତି ଭଦ୍ରକ ଜିଲ୍ଲାର ନିୟମିତ ଦାୟିତ୍ବରେ ଥିବା ବେଳେ ଡେପୁଟେସନ୍‌ରେ ଖୋର୍ଦ୍ଧା ଜିଲ୍ଲାର ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟକୁ ସେ ସପ୍ତାହକୁ ମାତ୍ର ୨ଦିନ(ବୁଧବାର ଓ ଶନିବାର) ଡେପୁଟେସନ୍‌ରେ ଆସୁଛନ୍ତି। ସେଥିରେ ପୁଣି ମାସକୁ ୨ଟି ଶନିବାର ଛୁଟି ରହୁଛି। ଏଭଳି ସ୍ଥିତି ଲାଗିରହିଲେ ସଭାପତି ମାସକୁ ମାତ୍ର ୬ଦିନ ଉପସ୍ଥିତ ରହିବେ। ଫଳରେ ମାମଲାଗୁଡ଼ିକର ଶୁଣାଣି ନିଶ୍ଚିତ ରୂପେ ପ୍ରଭାବିତ ହେବ। ଅନୁରୂପ ଭାବେ ସଭାପତିଙ୍କ ସମେତ ୨ଜଣ ସଦସ୍ୟ ରହିବା କଥା। ତେବେ ଗୋଟିଏ ସଦସ୍ୟ ପଦବି ଖାଲି ପଡ଼ିଛି।

କେବଳ ସେତିକି ନୁହେଁ ଜିଲ୍ଲା କାର୍ଯ୍ୟାଳୟରେ ଥିବା ୩ କିରାଣି ପଦବିରୁ ୨ ଖାଲି ପଡ଼ିଛି। ୨ଟି ଜୁନିଅର୍‌ ଆସିଷ୍ଟାଣ୍ଟ ପଦବିରେ ମଧ୍ୟ କେହି ନାହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜଣେ ଷ୍ଟେନୋ ଓ ଜଣେ ପିଅନ ରହିଛନ୍ତି। ଆଉ ତିନି ବର୍ଷ ପରେ କାର୍ଯ୍ୟରତ କିରାଣି, ପିଅନ ଓ ଷ୍ଟେନୋ ଅବସର ଗ୍ରହଣ କରିବେ। ତେଣୁ କର୍ମଚାରୀ ଓ ଅଧିକାରୀ ଅଭାବ କାରଣରୁ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ କାର୍ଯ୍ୟ ସୂଚାରୁରୂପେ ପରିଚାଳିତ ହୋଇପାରୁନାହିଁ  ଏବଂ ଗ୍ରାହକମାନେ ଉପଯୁକ୍ତ ନ୍ୟାୟ ପାଇପାରୁନାହାନ୍ତି। ତୁରନ୍ତ କର୍ମଚାରୀ ନିଯୁକ୍ତି କରି ଖାଉଟିଙ୍କୁ ତ୍ବରିତ୍ ନ୍ୟାୟ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।