ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଠାକୁରଙ୍କ ଜମି ଜବରଦଖଲ

ରାତି ଅଧରେ କାମ ବନ୍ଦ କଲା ପୁଲିସ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ମନ୍ଦିର ଜମି ଜବର ଦଖଲ। ରାତି ଅଧରେ ନିଅଁ ଖୋଳି ଜବରଦଖଲ ଆରମ୍ଭ ହୋଇଛି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ସବୁ ଜାଣି ଚୁପ୍‌ ବସିଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। କାହା ଇଙ୍ଗିତରେ ଏପରି ଜବରଦଖଲ ହୋଇଛି ତାହା ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

କିଛି ଦିନ ତଳେ ବିମାନ ବନ୍ଦର ରାସ୍ତା କଡ଼ରେ ବହୁ ମୂଲ୍ୟବାନ ଜମି ଜବରଦଖଲ ହେଉଥିବା ବେଳେ ଜିଲ୍ଲାପ୍ରଶାସନ ହସ୍ତକ୍ଷେପ ପରେ ଏଥିରେ ସ୍ଥଗିତାଦେଶ ରହିଛି। ତେବେ ଏହାର କିଛି ଦିନ ପରେ ପୁଣି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମୂଲ୍ୟବାନ ସମ୍ପତ୍ତି ଜବରଦଖଲ ଆରମ୍ଭ ହୋଇଛି। ତାହାପୁଣି ଶ୍ରୀଲିଙ୍ଗରାଜ ମନ୍ଦିରରୁ ମାତ୍ର ଶହେ ମିଟର ଦୂରରେ। ଏ ସମ୍ପର୍କରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଖବର ପାଇ ଏହି ଜବରଦଖଲକୁ ବନ୍ଦ କରିଛି। ଗତକାଲି ରାତିରେ ମନ୍ଦିର ନିକଟରେ ନିଅଁ ଖୋଳା ଚାଲୁଥିବା ଦେଖି ବହୁ ଲୋକ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ତେବେ ସେ କୌଣସି ପଦକ୍ଷେପ ନେଇନଥିଲେ।

ପ୍ରକାଶ ଥାଉକି, ୪୦ବର୍ଷ ହେଲା ସେଠାରେ ଜବରଦଖଲ ହୋଇ କୋର୍ଟରେ ମାମଲା ରହିଥିଲା। ମନ୍ଦିର ପ୍ରଶାସନ ଜିତିବା ପରେ ବର୍ଷେ ପୂର୍ବରୁ ଏହି ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ମନ୍ଦିର ପ୍ରଶାସନ ଉକ୍ତ ଜମି ନିଜ ଅଧୀନକୁ ଆଣିଥିଲା। ଏପରିକି ଉକ୍ତ ଜମିରେ ଲୁହା ତାର ବାଡ଼ ବୁଲାଇଥିଲା। ମନ୍ଦିର ସିଂହଦ୍ବାର ରାସ୍ତାରେ ଏହି ଜମିରେ ପୂର୍ବରୁ ଡାକବଙ୍ଗଳା ରହିଥିଲା। ଦୀର୍ଘ ଦିନ ହେଲା କୋର୍ଟରେ ସ୍ଥିତାବସ୍ଥା ରହିବା ଯୋଗୁଁ ଏହି ଜମିରୁ ଉଚ୍ଛେଦ ହୋଇ ପାରିନଥିଲା। ପୁଲିସ ଫୋର୍ସ ଉପସ୍ଥିତିରେ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଏବେ ପୁଣି ଉକ୍ତ ଜମି ଜବରଦଖଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର