ଶ୍ରୀଲିଙ୍ଗରାଜଙ୍କ ପାଇଁ ୪୬ଜଣ ଜମି ଦେଲେ, ଆଉ ୪୯ଟି ଘର ଅଧିଗ୍ରହଣ ହେବ

ଭୁବନେଶ୍ବର : ଏକାମ୍ର କ୍ଷେତ୍ର ଯୋଜନାରେ ଶ୍ରୀ ଲିଙ୍ଗରାଜଙ୍କୁ ୪୬ଜଣ ଲୋକ ଜମି ‌େଦବାକୁ ଆଜି ବିଏମ୍‌ସି ସହ ଚୁକ୍ତି କରିଛନ୍ତି। ଏହି ଜମି ମାଲିକଙ୍କୁ ତୁରନ୍ତ ଘୋଷଣା ହୋଇଥିବା ପ୍ୟାକେଜ୍ ଅନୁଯାୟୀ ଅର୍ଥ ଦିଆଯିବ। ଏକାମ୍ର କ୍ଷେତ୍ର ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟା‌କେଜ ଘୋଷଣା କରିବା ବେଳେ ମାସକ ଭିତରେ ଯିଏ ଜମି ଦେବାକୁ ସହମତି ଦେବେ ସେମାନଙ୍କୁ ୧୦% ଅଧିକ ଅର୍ଥ ମିଳିବ ବୋଲି ଘୋଷଣା କରିଥିଲେ। ଶେଷ ଦିନରେ ୪୧ଜଣ ଲୋକ ଜମି ଦେବାକୁ ଚୁକ୍ତି କରିଛନ୍ତି। ମଙ୍ଗଳବାର ୫ଜଣ ଜମି ଦେବାକୁ ଚୁକ୍ତି କରିଥିଲେ। ଏହିପରି ବିଏମ୍‌ସି ୫୧ଟି ଜମି ପାଇଁ ଚୁକ୍ତି କରିଛି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ସମସ୍ତଙ୍କୁ ସେମାନଙ୍କର ପ୍ରାପ୍ୟ ଦିଆଯିବ। ତାହାପରେ ଉଚ୍ଛେଦ ଆରମ୍ଭ ହେବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ, ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବର ଉନ୍ନତି ପାଇଁ ସରକାର ଏକାମ୍ର କ୍ଷେତ୍ର ଯୋଜନା କରିଛନ୍ତି। ୬୬ ଏକର ଜମିରେ ସୌନ୍ଦର୍ଯ୍ୟକରଣ ଓ ଉନ୍ନତୀକରଣ ହେବାକୁ ଥିବାରୁ ଏଥିପାଇଁ ପ୍ରଶାସନ ପ୍ରାୟ ୧୦୦ଟି ଘରର ଜମି ଅଧିଗ୍ରହଣ କରିବ। ଏବେ ୫୧ଟି ଜମି ଅଧିଗ୍ରହଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ଥିବାରୁ ବାକି ୪୯ଟି ଜମି ଓ ଘର ଅଧିଗ୍ରହଣ ନେଇ ବିଏମ୍‌ସି ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଚାଲିଛି। ଏହି ୪୯ଟି ଜମି‌ ୩୮ଜଣଙ୍କ ମାଲିକାନାରେ ଥିବା ବେଳେ ସେମାନଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରି ଜମି ଅଧିଗ୍ରହଣ କରାଯିବ।

ଶେଷ ଦିନରେ ୪୧ଜଣ ଦେଲେ
ଆଉ ୪୯ଟି ଘର ଅଧିଗ୍ରହଣ ହେବ
ମାର୍ଚ୍ଚ ୩୧ ସୁଦ୍ଧା ଜମି ଅଧିଗ୍ରହଣ ସରିବ
ଜୁନ୍ ସୁଦ୍ଧା ଚୂଡ଼ାନ୍ତ ରୂପ ପାଇବ ଏକାମ୍ର କ୍ଷେତ୍ର

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନେତୃତ୍ବରେ ବିଏମ୍‌ସିର ଡେପୁଟି କମିସନର (ଜମି) କମଲଜିତ୍ ଦାସ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଜମି ମାଲିକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସହମତିରେ ଜମି ଅଧିଗ୍ରହଣ ନେଇ ଚୁକ୍ତି କରୁଛନ୍ତି। ଆଜି ଜମି ମାଲିକମାନଙ୍କୁ ସହଯୋଗ ନିମନ୍ତେ ସହକାରୀ ଜିଲ୍ଲାପାଳ ଅ˚ଶୁମାନ ରଥ, ସମୀର ରଞ୍ଜନ ଦାସ ଓ ଅତିରିକ୍ତ ତହସିଲଦାର ଅଶ୍ବିନୀ ନାୟକ ଚୁକ୍ତିନାମା କାର୍ଯ୍ୟକୁ ବ୍ୟବସ୍ଥିତ କରାଇଥିଲେ। ଫଳରେ ଆସିଥିବା ସ୍ବତ୍ବାଧିକାରୀମାନେ ସହଜରେ ହ୍ୟାଣ୍ତନୋଟ୍‌ ଏବ˚ ଷ୍ଟାମ୍ପ ପାଇପାରି ଥିଲେ। ମାର୍ଚ୍ଚ ୩୧ସୁଦ୍ଧା ସମସ୍ତ ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏବେ ଯେଉଁମାନଙ୍କ ଠାରୁ ଜମି ଅଧିଗ୍ରହଣ ହେବ ସେମାନଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଆଲୋଚନା କରି ଜମି ଓ ଘରର ମୂଲ୍ୟ ଆକଳନ କରି ସେମାନଙ୍କ ପ୍ରାପ୍ୟ ଦେବେ। ହେଲେ ଏହି ଲୋକମାନଙ୍କୁ ଆଉ ୧୦% ଅତିରିକ୍ତ ଦେୟ ମିଳିବନି। ଏକାମ୍ର କ୍ଷେତ୍ର ଯୋଜନାରେ ପ୍ରଶାସନ ୧୦୦ଟି ଜମି ଓ ଘର ଅଧିଗ୍ରହଣ କରିବାକୁ ଥିବାବେଳେ ଏଥିପାଇଁ ପ୍ରାୟ ୨୦୦କୋଟି ଖର୍ଚ୍ଚ ଅଟକଳ କରିଛି। ଯେଉଁ ଦିନ ଜମିର ଅଧିଗ୍ରହଣ ପ୍ରକ୍ରିୟା ସରିବ ‌ତା’ପରଦିନ ଠାରୁ ଉକ୍ତ ସ୍ଥାନରେ ଉଚ୍ଛେଦ ଆରମ୍ଭ ହେବ। ୬ମାସରେ ଏକାମ୍ର କ୍ଷେତ୍ର ଯୋଜନାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଥିବାରୁ ପ୍ରଶାସନ ପକ୍ଷରୁ ଜୋରଦାର୍ କାମ ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଯେଉଁମାନେ ଆଜି ସୁଦ୍ଧା ଚୁକ୍ତି କରିଛନ୍ତି ସେମାନଙ୍କୁ ଜମି ଓ ଘର ମୂଲ୍ୟର ଦୁଇଗୁଣ ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ପୁନର୍ବାସ ଅନୁଦାନରେ ୨୦ ଲକ୍ଷ ଟଙ୍କା ଓ ୧୦ ପ୍ରତିଶତ ଅଧିକ ବୋନସ୍‌ ଦିଆଯିବ। ଗୁରୁବାର ଠାରୁ ଯେଉଁମାନଙ୍କ ଠାରୁ ଜମି ଅଧିଗ୍ରହଣ ହେବ ସେମାନଙ୍କୁ ଆଉ ୧୦% ବୋନସ୍ ମିଳିବନି।

ଗଠନ ହେଲା ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟି, ନିର୍ମାଣ ଓ ସଂରକ୍ଷଣ ନେଇ ପରାମର୍ଶ ଦେବ
ଭୁବନେଶ୍ବର : ଏକାମ୍ର କ୍ଷେତ୍ର ଯୋଜନାରେ ରାଜ୍ୟ ସରକାର ଏକାମ୍ର କ୍ଷେତ୍ରରେ କେଉଁଠି କ’ଣ କରିବେ, ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ରୂପରେଖ କିପରି ହେବ ସେନେଇ ଯୋଜନା କରିଛନ୍ତି। ହେଲେ ଏହାର ଡିଜାଇନ୍ ଚୂଡ଼ାନ୍ତ କରିବା ଠାରୁ ଆରମ୍ଭ କରି ଖର୍ଚ୍ଚ ଅଟକଳ, ଟେଣ୍ଡର ପ୍ରକ୍ରିୟା କରିବା ଏବଂ ଐତିହ୍ୟ ଓ କୀର୍ତ୍ତିରାଜିର ଗୁରୁତ୍ବ ଯେପରି ନଷ୍ଟ ନହେବ ତାହାକୁ ନଜରରେ ରଖି ସମସ୍ତ କାମ କରିବାକୁ ପୂର୍ତ୍ତ ବିଭାଗ ଓ ଓବିସିସି ପକ୍ଷରୁ ଆଜି ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟି ଗଠନ କରିଛି। ଏଥିରେ ୯ଜଣ ରହିଛନ୍ତି। ଏହି କମିଟି ଭିତ୍ତିଭୂମି ନିର୍ମାଣ ସହ ଐତିହ୍ୟ ସଂରକ୍ଷଣ ନେଇ ବୈଷୟିକ ପରାମର୍ଶ ଦେବ।

ଏହି କମିଟିର ଅଧ୍ୟକ୍ଷ ଭାବେ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଧର୍ମପ୍ରସାଦ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଏହି କମିଟିରେ ସଦସ୍ୟ ଭାବେ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ବିନ୍ଦେଶ୍ବର ପାତ୍ର, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ପ୍ଲାନିଂ) ଏନ୍‌.ସି ପାଲ୍‌, ଏଏସ୍‌ଆଇର ଅବସରପ୍ରାପ୍ତ ନିର୍ଦ୍ଦେଶକ ଅଶୋକ କୁମାର ପଟେଲ, ଏଏସ୍‌ଆଇର ଅବସରପ୍ରାପ୍ତ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଜୀବନ ପଟ୍ଟନାୟକ, ରାଜ୍ୟ ଅଭିଲେଖାଗାରର କ୍ୟୁରେଟର ଅଶ୍ବିନୀ କୁମାର ଶତପଥୀ, ଏଏସ୍‌ଆଇର ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ, ଆଇଆଇଟି ଭୁବନେଶ୍ବରର ପ୍ରଫେସର ଦିନାକର ପାସଲା ରହିଛନ୍ତି। କମିଟିର ଆବାହକ ସଦସ୍ୟ ରହିଛନ୍ତି ଓବିସିସିର ପରିଚାଳନା ନିର୍ଦ୍ଦେଶକ ଜେ.କେ ଦାସ।

ଅପରପକ୍ଷେ ପରବର୍ତ୍ତୀ ସମୟରେ ଡ୍ରେନେଜ୍‌, ଉଦ୍ୟାନକୃଷି, ଜଳାଶୟର ଉନ୍ନତି, ପରିବହନ ବ୍ୟବସ୍ଥାର ଉନ୍ନତି ପାଇଁ ପରବର୍ତ୍ତୀ ସମୟରେ ସବ୍‌କମିଟି ଗଠନ ହୋଇପାରେ। ରାଜ୍ୟ ସରକାର ପୂର୍ବରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ‘ଏକାମ୍ର କ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କମିଟି’ ଗଠନ କରିଛନ୍ତି । ଏଥିରେ ଉନ୍ନୟନ କମିସନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ, ପର୍ଯ୍ୟଟନ ବିଭାଗ ସଚିବ, ବିଡିଏ ଉପାଧ୍ୟକ୍ଷ, ପୁଲିସ କମିସନର, କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ସଦସ୍ୟ ରହିଛନ୍ତି । ପୂର୍ତ୍ତ ସଚିବ ଏହାର ଆବାହକ ସଦସ୍ୟ ରହିଛନ୍ତି। ଏହି କମିଟିର ନିଷ୍ପତ୍ତି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

ସମ୍ବନ୍ଧିତ ଖବର