ମଳିପଡ଼ା ମୌଜାରେ ଜମି ଜାଲିଆତି, ୧୦ ଏକରରୁ ଅଧିକ ଜମି ହଡ଼ପ

ଭୁବନେଶ୍ବର : ରାଜଧାନୀର ଚନ୍ଦକା ଥାନା ‌ମଳିପଡ଼ା ମୌଜାରେ ଜମି ଜାଲିଆତି ନଜରକୁ ଆସିଛି। ଚଞ୍ଚକତା କରି ମିଛ ଦଲିଲ ଓ ପଟ୍ଟାକୁ ନକଲ କରି ମୃତ ବ୍ୟକ୍ତିଙ୍କ ନାଁରେ ବିଭିନ୍ନ ଲୋକଙ୍କୁ ବିକ୍ରି କରାଯାଇଛି। ଜମି ହରାଇଥିବା ଲୋକମାନେ ଏ ସଂପର୍କରେ ଜାଣିବା ପରେ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ମାତ୍ର ଏହି ଘଟଣାରେ ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ହେଁ ମୁଖ୍ୟ ଅଭିଯୁକ୍ତ ଓ ଠକାମିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇ ନାହିଁ। ଫଳରେ ବେଶ୍ କିଛି ବ୍ୟବଧାନ ପରେ ରାଜଧାନୀରେ ପୁଣିଥରେ ଜମି ହଡ଼ପ ରୢାକେଟ ସକ୍ରିୟ ହୋଇଥିବା ସ୍ପଷ୍ଟ ହୋଇଛି।

ଆଜି ରାଜ୍ୟ ନାଗରିକ ସମାଜ ପକ୍ଷରୁ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ପ୍ରକାଶ ରଥ କହିଲେ, ଗିରଫ ହୋଇଥିବା ଦଲାଲମାନଙ୍କ ଘର ଓ କାର୍ଯ୍ୟାଳୟରୁ ପ୍ରାୟ ଦୁଇ ହଜାରରୁ ଅଧିକ ସରକାରୀ ଷ୍ଟାମ୍ପ ଓ ୫ହଜାରରୁ ଅଧିକ ନକଲି ଦଲିଲ ଜବତ କରାଯାଇଛି। ଜମି ମାଲିକଙ୍କ ପରିଚୟପତ୍ର, ଜମିର ଅସଲ ପଟ୍ଟା ଓ ଦଲିଲ ବଦଳରେ ଚଞ୍ଚକତା କରି କିଭଳି ଜମି ବିକ୍ରି କରାଗଲା ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ଏହି ଜମି ରୢାକେଟ୍‌ରେ ବହୁ ପ୍ରଭାବଶାଳୀ ବ୍ୟକ୍ତବିଶେଷଙ୍କ ସଂପୃକ୍ତି ରହିଥିବାରୁ ପୁଲିସ ତଦନ୍ତ ଆଗେଇ ପାରିନାହିଁ। ତେଣୁ ଜମି ଜାଲିଆତି ଘଟଣାର ତ୍ବରିତ ତଦନ୍ତ କରି ଉଭୟ ଦଲାଲ ଓ ଦୋଷୀ ସରକାରୀ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ରଥ ଦାବି କରିଛନ୍ତି। ଠକାମିର ଶିକାର ବ୍ୟକ୍ତିଙ୍କୁ ଯଦି ତୁରନ୍ତ ନ୍ୟାୟ ନ ମିଳିଲେ, ଠକାମିର ଶିକାର ହୋଇଥିବା ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ପ୍ରତାପ ସାହୁ ଓ ଜମି ଠକାମିର ଶିକାର ହୋଇଥିବା ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର