ଭୁବନେଶ୍ୱର: ଷ୍ଟାମ୍ପ-୩ କାର୍ଯ୍ୟକ୍ରମ ଅନ୍ତର୍ଗତ କଳାଭୂମିଠାରେ ଆଜିଠାରୁ ଭାସ୍କର୍ଯ୍ୟ କଳା ଶିବିର ଉଦ୍ଘାଟିତ ହୋଇଛି। ଓଡ଼ିଶା ଲଳିତ କଳା ଏକାଡେମି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଖଣିନିଗମ ଓ ବିଏମ୍ସିର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଶିବିର ୧୦ ଦିନ ଧରି ଚାଲିବ। ଏହାକୁ ଆଜି ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ, ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, କୃଷି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, ଓଡ଼ିଶା ଲଳିତ କଳା ଏକାଡେମି ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି।
ହକି ବିଶ୍ବକପ୍ ସମୟରେ ଦେଶବିଦେଶରୁ ଆସୁଥିବା ଖେଳାଳି ତଥା କ୍ରୀଡ଼ା ପ୍ରେମୀ ଓଡ଼ିଶାର କଳାକୃତି ପ୍ରତି ଆକୃଷ୍ଟ ହେବା ସହ ଶିଳ୍ପୀମାନଙ୍କର କଳା ନୈପୁଣ୍ୟତାର ପ୍ରମାଣ ପାଇବେ ବୋଲି ମେୟର ଶ୍ରୀମତୀ ଦାସ କହିଥିଲେ। ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ଅତିଥିଙ୍କୁ ସ୍ୱାଗତ କରିବା ସହ ଶିବିରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଭାସ୍କର୍ଯ୍ୟ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା, ଅଞ୍ଜନ କୁମାର ସାହୁ, ମାୟାଧର ସାହୁ, କବିତା ମହାନ୍ତି, ପ୍ରମୁଖଙ୍କ ସମେତ ୩୫ଜଣ ଶିଳ୍ପୀ ଓଡ଼ିଶାର କଳା, ସଂସ୍କୃତି ଓ କ୍ରୀଡ଼ାକୁ ଆଧାର କରି ଭାସ୍କର୍ଯ୍ୟ ପ୍ରସ୍ତୁତ କରିବେ। ଏକାଡେମି ସଚିବ ପଞ୍ଚାନନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।