‘ସମ୍ବାଦ’ ପ୍ରଭାବ : କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ଲାପରସ୍କୋପି ଅସ୍ତ୍ରୋପଚାର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ଲାପରୋସ୍କୋପି ଅସ୍ତ୍ରୋପଚାରକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ ରଖାଯିବା ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ହସ୍ପିଟାଲ କର୍ତୃପକ୍ଷଙ୍କ ଚେତା ପଶିଛି। ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ ଲାପରୋସ୍କୋପି ଅସ୍ତ୍ରୋପଚାର ଆରମ୍ଭ ହୋଇଛି। କାକଟପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଆଜି ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଅସ୍ତ୍ରୋପଚାର ଦୀର୍ଘ ସ୍ଥାୟୀ ହେବ ନା ଚକ୍ରାନ୍ତ କରି ଏହାକୁ ପୁଣି ବନ୍ଦ କରି ଦିଆଯିବ, ସେ ନେଇ ଆଶଙ୍କା ପ୍ରକାଶ ପାଇଛି।

କ୍ୟାପିଟାଲ ହସ୍ପିଟାଲରେ ଗତ ୭ବର୍ଷରୁ ଅଧିକ ସମୟ ଧରି ଲାପରୋସ୍କୋପି ଅସ୍ତ୍ରୋପଚାର ବନ୍ଦ ରହିଥିଲା। ତାଲିମ୍‌ପ୍ରାପ୍ତ ଡାକ୍ତର ଓ ଅତ୍ୟାଧୁନିକ ଯନ୍ତ୍ରପାତିର ଅଭାବ ଯୋଗୁଁ ତାହା ବନ୍ଦ ରହିଥିଲା। ତେବେ ଏହାକୁ ନେଇ ଏକାଧିକବାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଗତବର୍ଷ ରାଜ୍ୟ ଔଷଧ ନିଗମ ପକ୍ଷରୁ ଏଥିପାଇଁ ‌ସ୍ବତନ୍ତ୍ର ଭାବେ ‌ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା। ମାସେ ହେବ ଏହାର ଇନଷ୍ଟଲେସନ୍‌ ମଧ୍ୟ ହୋଇଥିଲା। ତେବେ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନ ଥିଲା। ଲାପରୋସ୍କୋପି ଅସ୍ତ୍ରୋପଚାର ଆରମ୍ଭ ହେଲେ ଅନ୍ୟମାନଙ୍କ ହାତ ଚିକ୍କଣ ବନ୍ଦ ହୋଇଯିବା ଆଶଙ୍କା କରି ଉଦ୍ଦେଶ୍ୟମୂଳକ ଭାବେ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନ ଥିଲା। ଏନେଇ ଗତ ଜାନୁଆରି ୩୦ ତାରିଖରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ରି ପୋର୍ଟ ପ୍ରକାଶ ପାଇବା ପରେ ହସ୍ପିଟାଲ କର୍ତୃପକ୍ଷ ଆଜିଠାରୁ ଲାପରୋସ୍କୋପି ଅସ୍ତ୍ରୋପଚାର ସେବା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର