ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ କରି ଜଟିଳ ଥାଇରଏଡ୍ ଅସ୍ତ୍ରୋପଚାରକୁ ଲାପ୍ରୋ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ କରାଯାଇଛି। ପୂର୍ବରୁ ସାଧାରଣ ସର୍ଜରି ମାଧ୍ୟମରେ ଏହି ଥାଇରଏଡ୍ ସର୍ଜରି କରାଯାଉଥିବା ବେଳେ ରୋଗୀର ବେକରେ ଦାଗ ରହୁଥିଲା। ହେଲେ ଲାପ୍ରୋସ୍କୋପି ସର୍ଜରି ଦ୍ବାରା ଏହି ଦାଗ ରହିବ ନାହିଁ ବୋଲି ଜଣାପଡ଼ିଛି। ସୂଚନାନୁସାରେ ବାଣପୁର ଅଞ୍ଚଳର ୨୮ ବର୍ଷୀୟା ରଶ୍ମିତା ବିଶ୍ବାଳଙ୍କ ବେକରେ ମାଂସ ବଢ଼ୁଥିବାରୁ ସେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ପରୀକ୍ଷା ସମୟରେ ସେ ଥାଇରଏଡ୍ରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଏଥିପାଇଁ ଅପରେସନ କରାଗଲେ ରୋଗୀ ବେକରେ ଏକ ଲମ୍ବା କଟା ଦାଗ ରହିବ। ତେଣୁ ରୋଗୀ ଜଣେ ଯୁବତୀ ହୋଇଥିବାରୁ ଜଟିଳ ଲାପ୍ରୋସ୍କୋପିକ ମାଧ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଛି।
ଏହି ପ୍ରକ୍ରିୟାକୁ ଏକ୍ସଇଲୋ ବ୍ରେଷ୍ଟ ଅପ୍ପ୍ରୋଚ କୁହାଯାଏ। କ୍ୟାପିଟାଲ ହସ୍ପିଟାଲର ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ଏହି ଅସ୍ତ୍ରୋପଚାର କରାଯାଇଥିଲା। ରୋଗୀ କାଖ ତାଳେ ୫ ମିଲିମିଟର ଓ ୧୦ ମିଲିମିଟରର ଦୁଇଟି ଛୋଟ ଛିଦ୍ର କରାଯାଇ ବେକରୁ ଥାଇରଏଡ୍ ଗ୍ରନ୍ଥିକୁ ବାହାର କରାଯାଇଥିଲା। ବର୍ତ୍ତମାନ ରୋଗୀ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଅସ୍ତ୍ରୋପଚାରରେ ପିଜିଆଇଏମଇଆର ଓ କ୍ୟାପିଟାଲ ହସ୍ପିଟାଲର ସର୍ଜରି ବିଭାଗ ଆସୋସିଏଟ୍ ପ୍ରଫେସର ଶ୍ରୀକାନ୍ତ ପାତ୍ର, ଡାକ୍ତର ପ୍ରିୟମ୍ବଦ ସାହୁ, ଡା. ରାମପଦ ମହାପାତ୍ର, ନିଶ୍ଚେତକ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ରବି କୁମାର, ଡା. ଶ୍ରେୟନ ଦାସ ସାମିଲ ହୋଇଥିଲେ। ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ସୁଶିଲ କୁମାର ପଟ୍ଟନାୟକ, ନିଶ୍ଚେତକ ବିଭାଗ ପ୍ରଫେସର ନିବେଦିତା ପାଣି ଓ ପ୍ରଫେସର ନିହାର ନଳିନୀ ସେନାପତିଙ୍କ ତତ୍ତ୍ବାବଧାନରେ ଅସ୍ତ୍ରୋପଚାର ସମ୍ପାଦନା ହୋଇଥିଲା।