ଲାପଟପ୍‌ ଚୋରିବେଳେ ଧରାପଡ଼ିଗଲା

ଖଣ୍ଡଗିରି: ଡୁମୁଡୁମା ହାଉସିଂବୋର୍ଡ କଲୋନିରେ ଶୁକ୍ରବାର ସନ୍ଧ୍ୟା ସମୟରେ ଘରେ ପଶି ଲାପଟପ୍ ନେଇ ପଳାଉଥିବା ଜଣେ ଯୁବକକୁ ଧରି ସ୍ଥାନୀୟ ଲୋକେ ପୁଲିସ ଜିମା ଦେଇଛନ୍ତି। ସ୍ଥାନୀୟ ବେଗୁନିଆବଡ଼ା ଅଞ୍ଚଳ‌ରେ ରହୁଥିବା ଏହି ଅଭିଯୁକ୍ତ ମହମ୍ମଦ କରିମ୍‌(୩୨)କୁ ଶନିବାର ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ସୂଚନାନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟାବେ‌ଳେ ଇଂଜିନିୟରିଂ ଛାତ୍ର ଜଗଦୀଶ ବୈଠାରୁ ନିଜ ରୁମ୍‌ରେ ତାଲା ନପକାଇ ତାଙ୍କ ଲେନ୍‌ ଛକରେ ଥିବା ଏକ ଦୋକାନକୁ ଯାଇଥିଲେ। ମାତ୍ର ‌କେଇ ମିନିଟ୍‌ ମଧ୍ୟରେ ସେ ଦୋକାନରୁ ଘରକୁ ଫେରିଥିଲେ। ସେ ଘର ନିକଟରେ ପହଞ୍ଚିବାବେଳକୁ ମହମ୍ମଦ ତାଙ୍କ ଘର ଭିତରୁ ବାହାରୁଥିଲା ଓ ଜଗଦୀଶଙ୍କୁ ଦେଖି ଦୌଡ଼ିବାକୁ ଲାଗିଲା। ଜଗଦୀଶ ଚୋର ଚୋର ବୋଲି ପାଟି କରି ତାକୁ ପିଛା କରିବାକୁ ଲାଗିଲେ ଓ ସ୍ଥାନୀୟ ଲୋକେ ତାଙ୍କ ପାଟି ଶୁଣି ମହମ୍ମଦକୁ ଚାରିପଟୁ ଘେରିଗଲେ। ମହମ୍ମଦ ପାଖରୁ ଜଗଦୀଶଙ୍କ ଲାପଟପ୍‌ଟି ମିଳିଥିଲା। ବହେ ଉତ୍ତମ ମଧ୍ୟମ ଦେବା ପରେ ତାକୁ ପୁଲିସ ଜିମା ଦିଆଯାଇଥିଲା। ସ୍ଥାନୀୟ ‌ଲୋକଙ୍କ ଅଭିଯୋଗ ଅନୁସାରେ ଜଗଦୀଶଙ୍କ ଲାପଟପ୍‌ ଚୋରି କିଛି ନୂଆ କଥା ନୁହେଁ। ଏଭଳି ଘଟଣା ଏହି ଅଞ୍ଚଳରେ ଏକ ସାଧାରଣ କଥା ପାଲଟିଗଲାଣି। ଏହି ଅଞ୍ଚଳରେ ମହମ୍ମଦ ଭଳି ବହୁ ଚୋର ମାତିଛନ୍ତି ଓ ଆଖିପିଛୁଳାକେ ଘରେ ପଶି ମୋବାଇଲ୍‌, ଲାପଟପ୍ ଓ ବାଇକ୍‌ ଆଦି ଚୋରି କରି ପାର୍ ହୋଇଯାଉଛନ୍ତି।

ସମ୍ବନ୍ଧିତ ଖବର