ଲ୍ୟାପ୍‌ଟପ୍‌, ମୋବାଇଲ, ଟଙ୍କା ଜବତ; ୫ ଗିରଫ

ଭୁବନେଶ୍ୱର : ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଥିବା ତିନୋଟି ବଡ଼ ଚୋରି ମାମଲାରେ ପୁଲିସକୁ ସଫଳତା ମିଳିଛି। ଏଥିରେ ୫ଜଣଙ୍କୁ ଗିରଫ କରାଯିବା ସହ ପୁଲିସ୍‌ ସେମାନଙ୍କଠାରୁ ଚୋରି ଲ୍ୟାପ୍‌ଟପ୍‌, ୧୮ଟି ମୋବାଇଲ, ନଗଦ ୧୫୦୦ ଟଙ୍କା, ଟ୍ରଲି ରିକ୍ସା, ହଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତମାନେ ହେଲେ, ଆଇଗିଣିଆ ସୁବାସନଗର ବସ୍ତିରେ ରହୁଥିବା ଗଞ୍ଜାମ ବୁଗୁଡ଼ା ଚିରିଙ୍ଗିପଡ଼ାର ରାଘବ ସାହୁ, ମସ୍‌ଜିଦ୍‌ କଲୋନିରେ ରହୁଥିବା ବିହାର ଲାଖି ସରାଇର ସେଖ୍‌ ସୂରଜ, ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ସେକ୍‌ ମବୁଦ୍‌, ଖଣ୍ଡଗିରି ସରକନ୍ତରାର ସୌମ୍ୟରଞ୍ଜନ ପରିଜା ଓ ବେଗୁନିଆ ଯଦୁପୁରର ତୌସିଫ୍‌ ମହମ୍ମଦ। ତିନିଜଣଙ୍କ ଅଭିଯୋଗକୁ ଆଧାର କରି ଖଣ୍ଡଗିରି ଥାନା ପୁଲିସ୍‌ ତଦନ୍ତ କଲା ବେ‌ଳେ ସମସ୍ତ ଘଟଣାର ଅଭିଯୁକ୍ତ ସମାନ ବୋଲି ଜାଣିବାକୁ ପାଇଥିଲା। ଚୋରି ମୋବାଇଲ ଫୋନ୍‌କୁ ଟ୍ରାକ୍‌ କରୁ କରୁ ପୁଲିସ ଏହି ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ଯାଇଥିଲା। ପୁଲିସ୍‌ ପ୍ରଥମେ ସୌମ୍ୟରଞ୍ଜନକୁ ଧରିବା ପରେ ତାକୁ ପଚରାଉଚରା କରି ଅନ୍ୟ ଅଭିଯୁକ୍ତଙ୍କ ଠିକଣା ପାଇଥିଲା। ୫ଜଣଙ୍କୁ ଗିରଫ କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି।

ସୌମ୍ୟରଞ୍ଜନ ଓ ତୌସିଫ୍‌ ପ୍ରଥମେ ଏକାଠି ହୋଇ ଚୋରି ସହ ଛିନ୍‌ତାଇ କରୁଥିଲେ। ପରେ ଅନ୍ୟ ତିନିଜଣ ତାଙ୍କ ସହ ମିଶିଥିଲେ। ପରେ ୫ଜଣ ଏକାଠି ହୋଇ ଚୋରି ଓ ଛିନ୍‌ତାଇ କରୁଥିଲେ। ଏଠାରୁ ଚୋରି ଜିନିଷ ନେଇ ଗଞ୍ଜାମ ଓ କୋଲକାତାରେ ବିକ୍ରି କରୁଥିଲେ। ରାଘବ ଓ ମବୁଦ୍‌ ଏହି ଚୋରି ଜିନିଷ ବିକ୍ରି କରିବାରେ ସାହାଯ୍ୟ କରୁଥିଲେ।

ସୂଚନା ମୁତାବକ, ଗତ ଜୁନ୍‌ ମାସ ୨୮ ତାରିଖରେ ପାତ୍ର କମ୍ପ୍ଲେକ୍ସରେ ରହୁଥିବା ସୁଧାକର ପ୍ରଧାନଙ୍କ ଘରୁ ଚୋରି ହୋଇଥିଲା। ଘରେ କେହି ନଥିବା ବେ‌ଳେ କବାଟ ତାଡ଼ି ଦୁର୍ବୃତ୍ତ ୩ଟି ମୋବାଇଲ ଓ ୧୫୦୦ ଟଙ୍କା ନେଇ ଯାଇଥିଲା। ଏ ନେଇ ସୁଧାକର ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସେହିଭଳି ଗତକାଲି ଦୁଇଟି ଘଟଣା ଘଟିଥିଲା। ଗଣ୍ଡମୁଣ୍ଡାର ଅନ୍ନପୂର୍ଣ୍ଣା ଆଚାର୍ଯ୍ୟଙ୍କ ଘରୁ ମୋବାଇଲ ଫୋନ୍‌ ଓ ଟଙ୍କା, ବାହାରେ ଥିବା ପୁରୁଣା ଟ୍ରଲି ରିକ୍ସା ସହ ରୋ‌ଷେଇ ପାଇଁ ବ୍ୟବହାର ହେଉଥିବା ବଡ଼ ବ୍ରାସ୍‌ ହଣ୍ଡା ମଧ୍ୟ ନେଇ ଯାଇଥିଲେ। ସେହିପରି ଡୁମୁଡ଼ୁମାର ଶତ୍ରୁଘ୍ନ ସାହୁଙ୍କ ଦୋକାନରୁ ୧୫ଟି ମୋବାଇଲ ଚୋରି ହୋଇଥିଲା। ଘରର ତାଲା ଭାଙ୍ଗି ଏମାନେ ଚୋରି କରିଥିଲେ। ଗତକାଲି ଦୁଇ ଦୁଇଟି ଅଭିଯୋଗ ହେବା ପରେ ପୁଲିସ ଗୁରୁତ୍ବର ସହ ନେଇ ଅନୁସନ୍ଧାନ ଆରମ୍ଭ କରିଥିଲା। ଅଭିଯୁକ୍ତ ଧରାପଡ଼ିବା ପରେ ଗତ ଜୁନ୍‌ ମାସ‌ରେ ହୋଇଥିବା ଚୋରି ମଧ୍ୟ ଏମାନେ କରିଥିବା ସ୍ବୀକାର କରିଥିଲେ। ତେବେ ଲ୍ୟାପ୍‌ଟପ୍‌ଟି କାହାର ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର