୩ ମାସ ପରେ ପ୍ରତିଶ୍ରୁତି ପୂରଣ କଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି : ବାଣୀବିହାରରେ ଉଡ଼ିବ ବିଶାଳ ତ୍ରିରଙ୍ଗା

ପତାକାର ଓସାର ୨୦ ଫୁଟ ଓ ଲମ୍ବ ୩୦ ଫୁଟ

ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କ ଦୀର୍ଘଦିନର ଦାବି ପୂରଣ କରିବାକୁ ଯାଉଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ। ତିନି ବର୍ଷ ହେଲା ଛାତ୍ରଛାତ୍ରୀଙ୍କୁ ଭୂଆଁ ବୁଲାଉଥିବା କୁଳପତି ପ୍ରଫେସର ପଟ୍ଟନାୟକ ଶେଷରେ ଛାତ୍ରଛାତ୍ରୀଙ୍କ ଜିଦି ଆଗରେ ମୁଣ୍ଡ ନୁଆଁଇଛନ୍ତି। ଆସନ୍ତା‌ ୨୬ ତାରିଖ ତଥା ସାଧାରଣତନ୍ତ୍ର ଦିବସ ଅବସରରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ସ୍ଥାୟୀ ଭାବେ ବିଶାଳ ଜାତୀୟ ପତାକା ଉଡ଼ିବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଜାନୁଆରି ୨୬ରେ ଏହି ବିଶାଳ ପତାକାକୁ ଉଡ଼ାଯିବ। ଏହାକୁ କିଏ ଉତ୍ତୋଳନ କରିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ତଥାପି ରାଜ୍ୟ କିମ୍ବା ଦେଶର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ କରକମଳରେ ଏହି ବଡ଼ ପତାକାକୁ ଉତ୍ତୋଳନ କରିବାକୁ ଯୋଜନା ହୋଇଛି। ଏହି ପତାକାର ଓସାର ୨୦ ଫୁଟ ଓ ଲମ୍ବ ୩୦ ଫୁଟ ରଖାଯାଇଛି। ୩୦.୫ ମିଟର ଅର୍ଥାତ୍‌ ୧୦୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ଖୁଣ୍ଟରେ ଏହି ପତାକା ଉଡ଼ିବ। ହାତରେ ଆଉ ଗୋଟିଏ ଦିନ ବାକି ଥିବାରୁ ପତାକା ଉଡ଼ାଇବା ପାଇଁ ଖୁଣ୍ଟ ପୋତା ସରିଛି। ଏହା ଚାରିପାଖ ଲୁହା ବାରିକେଡ୍‌ ଓ ଫୁଲ କୁଣ୍ଡରେ ସୁସଜ୍ଜିତ କରାଯାଇଛି।

ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପତାକା ରାଜଧାନୀର ଦ୍ବିତୀୟ ବୃହତ୍ତମ ପତାକା ହେବ। ପୂର୍ବରୁ କିଟ୍‌ ବିଶ୍ବବିଦ୍ୟାଳୟରେ ବିଶାଳ ଜାତୀୟ ପତାକା ସ୍ଥାୟୀ ଭାବେ ଉଡ଼ୁଛି। କିଟ୍‌ ପତାକାଠାରୁ ଏଠାକାର ପତାକାର ଲମ୍ବ ଓ ଓସାର କମ୍‌ ରହିଛି। ଗତ ୧୦ ଦିନ ହେଲା ଏଥିପାଇଁ କାମ ଚାଲିଛି। ଆଜି ପତାକାର ମାପଚୁପ ହୋଇଛି। ବିଦ୍ୟୁତ୍‌ କଟିଲେ ମଧ୍ୟ କୌଣସି ଅସୁବିଧା ହେବନି। କାରଣ ପତାକାକୁ ୨୪ ଘଣ୍ଟିଆ ଲାଇଟ୍‌ ଯୋଗାଣ ପାଇଁ ଚାରିପାଖରେ ହାଇମାକ୍ସ ଲାଇଟ୍‌ ଲଗାଯାଇଛି।

ସୂଚନାଯୋଗ୍ୟ ଯେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜାତୀୟ ପତାକା ଉଡ଼ାଇବା‌ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ତିନି ବର୍ଷ ହେଲା ଦାବି ହେଉଥିଲେ ମଧ୍ୟ କୁଳପତି ପ୍ରଫେସର ପଟ୍ଟନାୟକ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ। ତେବେ ଗତ ଅକ୍ଟୋବର ମାସରେ ଜାତୀୟ ପତାକା ଉଡ଼ାଇବା ଦାବିରେ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେତେବେଳେ କୁଳପତି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ ଅକ୍ଟୋବର ଶେଷ ସୁଦ୍ଧା ପତାକା ଉଡ଼ିବ। ତେବେ ତାହା ହୋଇପାରି ନଥିଲା।

ସମ୍ବନ୍ଧିତ ଖବର