ଟ୍ରାଫିକ ପୁଲିସଙ୍କୁ ଲସି

ଭୁବନେଶ୍ୱର: ପ୍ରବଳ ଖରାରେ ଶିଝୁଛି ରାଜଧାନୀ। ପୂର୍ବାହ୍ନ ୧୧ଟା ପରେ ପିଚୁ ରାସ୍ତା ଉପରେ ଆଉ ଛିଡ଼ା ହେବା ସମ୍ଭବ ହେଉନି। ଏଭଳି ପରିସ୍ଥିତିରେ ଟ୍ରାଫିକ୍‌ ପୁଲିସ ଗୋଟିଏ ଜାଗାରେ ଅବିଶ୍ରାନ୍ତ ଡ୍ୟୁଟି କରୁଛନ୍ତି। ଏଣୁ ସେମାନଙ୍କୁ ଲସି ଓ ପାଣି ବୋତଲ ବାଣ୍ଟିଛନ୍ତି ଚା’ ଦୋକାନୀ ଶିବ ଶଙ୍କର ଜେନା। ଭୁବନେଶ୍ବର ସହର ଭିତରେ ଥିବା ୫୧ଟି ଟ୍ରାଫିକ ପୋଷ୍ଟରେ ଆଗକୁ ୭ ଦିନ ଧରି ଏଭଳି ବାଣ୍ଟିବା ପ୍ରକ୍ରିୟା ଜାରି ରଖିବେ ବୋଲି ଶିବ ଶଙ୍କର କହିଛନ୍ତି। ଆଜି ଏଜି ଛକରୁ ଆରମ୍ଭ କରି ପଟିଆ, ମ୍ୟାଗ୍‌ନେଣ୍ଟ ଛକ, ଖଣ୍ଡଗିରି, ଜାଗମରା, ଶିରିପୁର, ରବି ଟକିଜ୍‌ ଛକ ଦେଇ ୫୧ଟି ଯାକ ପୋଷ୍ଟରେ ସେ ଲସି ଓ ପାଣି ବୋତଲ ବାଣ୍ଟିଛନ୍ତି। ତାଙ୍କ ସହିତ ଟ୍ରାଫିକ୍‌ ଡିସିପି ବିଜୟ ସାହୁ, ଏସିପି କିଶୋର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ‘ଉନ୍ନତିପଥେ’ର ସଂପାଦକ ପ୍ରଦ୍ୟୁମ୍ନ ମହାନ୍ତି, ଆକାଶବାଣୀଙ୍କ ଉପନିର୍ଦେଶକ ସୁଧାଂଶୁ ଶେଖର ଧଡ଼ା, କ୍ୟାପିଟାଲ୍‌ ପୋଷ୍ଟର ସଂପାଦକ ସୁରେନ୍ଦ୍ର ସାହୁଙ୍କ ସମେତ ଅନ୍ୟାନ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ଥି‌ଲେ। କେବଳ ଏହି କାର୍ଯ୍ୟ ନୁହେଁ, ପୂର୍ବରୁ କ୍ୟାପିଟାଲ ହସ୍‌ପିଟାଲରେ ଖରାପ ହୋଇପଡ଼ିଥିବା ସିଟି ସ୍କାନ୍‌ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଅର୍ଥ ପ୍ରଦାନ କରିବା, ବାହାର ରାଜ୍ୟରେ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ପାଣ୍ଠିକୁ ଅର୍ଥ ପ୍ରଦାନ ପ୍ରଭୃତି ସାମାଜିକ କାର୍ଯ୍ୟରେ ସାମିଲ ହୋଇ ଶିବ ଶଙ୍କର ଚର୍ଚ୍ଚାରେ ରହିଛନ୍ତି।

ସମ୍ବନ୍ଧିତ ଖବର