ସରିଲା ରଜ: ଆମିଷ ପାଇଁ କଟକଣା ଭୁଲିଗଲେ, ବାଲିପାଟଣାରେ ଦେଶୀ ମାଛର ଚାହିଦା

ବାରଙ୍ଗ ମାଂସ ବଜାରରେ ଗୋଡ଼ କୁଦାକୁଦି

ଭୁବନେଶ୍ବର: କୁଆଁରୀ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ରଜ ପର୍ବରେ ସବୁ ବର୍ଗର ଲୋକେ ସାମିଲ୍ ହେବା ଏକ ପରମ୍ପରା। ବିଷେଶକରି ଚାଷୀ ଓ ଯୁବକମାନେ ଏଥିରେ ପ୍ରତ୍ୟେକ୍ଷ ଭାବେ ସାମିଲ୍ ହୁଅନ୍ତି। ତେଣୁ ଏହା ଏକ ଗଣପର୍ବ ଭାବେ ବେଶ୍ ଆନନ୍ଦଉଲ୍ଲାସରେ ପାଳିତ ହୋଇଥାଏ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ଏହି ପର୍ବକୁ ଫିକା କରି ଦେଇଛି। ଚଳିତ ବର୍ଷ ଗାଁଗଣ୍ଡାରେ କରୋନା ମୃତ୍ୟୁ ଭୟର ବାତାବରଣ ଖେଳାଇ ଦେଇଥିଲେ ବି ପରମ୍ପରା ଅନୁସାରେ ରଜ ପର୍ବ ପାଳିତ ହୋଇଛି। ଘରେ ଘରେ ପିଠାପଣା ହୋଇଛି। ଦୋକାନ ବଜାର ବନ୍ଦ ଥିଲେ ବି ଅନ୍‌ଲାଇନ୍‌ରେ ଝିଅମାନେ ନୂଆ ‌ପୋଷାକ ମଗାଇ ପିନ୍ଧିଛନ୍ତି। କିଛି କିଛି ସାମାଜିକ ଅନୁଷ୍ଠାନ ମଧ୍ୟ ଅନ୍‌ଲାଇନ୍‌ ଜରିଆରେ ବିଭିନ୍ନ ପ୍ରତିଯୋଗିତା କରିଛନ୍ତି। ଆଜି ‌ରଜର ଶେଷ ଦିନରେ ଘରେ ଘରେ ଖାଇବା ମାହୋଲ୍‌ ବେଶ୍ ଭଲ ହୋଇଥିବା ଜଣାପଡ଼ିଛି।

ବାଲିପାଟଣାରେ ଦେଶୀ ମାଛର ଚାହିଦା

ଆଜି ରଜ ପର୍ବର ଅନ୍ତିମ ଦିନରେ ବାଲିପାଟଣା ଅଞ୍ଚଳରେ ଆମିଷ ବଜାର ବେଶ୍ ଭିଡ଼ ହୋଇଥିଲା। ରାତି ପାହିବା ବେଳକୁ ଲୋକେ ମାଛ ଏବଂ ଖାସି ମାଂସ ଦୋକାନରେ ଲାଇନ୍ ଲଗାଇ ଦେଇଥିଲେ। ଖାସି ମାଂସ ଓ ଦେଶୀ ମାଛ ଲୋକଙ୍କ ଅଧିକ ପସନ୍ଦ ଥିଲା। ଖାସି ମାଂସ କିଲୋ ମାନ ଅନୁସାରେ ୬ ଶହ ରୁ ୭ଶହ ଟଙ୍କା ଥିଲା। ପାଣି ମିଶା ୬ ଶହ ଓ ଶୁଖିଲା ମାଂସ ୭ ଶହ ଥିଲା। ଗ୍ରାମାଞ୍ଚଳ ହୋଇଥିବାରୁ ଏଠାରେ ଭଲ ମାଂସ ମିଳୁଥିଲା। ଦେଶୀ ରୋହି ଓ ଭାକୁଡ଼ ମାଛ କିଲୋ ୧୮୦ ଟଙ୍କା, ଚିଙ୍ଗୁଡ଼ି ୨୪୦ ଟଙ୍କା, ଚୂନା ମାଛ ୧୪୦ ଟଙ୍କା ହୋଇଥିଲା। ଲୋକେ ଚୁନା ମାଛ ପ୍ରତି ଅଧିକ ଆକର୍ଷିତ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଅଞ୍ଚଳରରେ ଦେଶୀ ଓ କକ୍କଡ଼ନାଥ କୁକୁଡ଼ା ସମେତ ଗୁଣ୍ଡୁରି ଚଢ଼େଇ ମଧ୍ୟ ବେଶ୍ ଭଲ ବିକ୍ରି ହୋଇଥିଲା। ଦେଶୀ କୁକୁଡ଼ା କି‌ଲୋ ୩୫୦ ଟଙ୍କା, କକ୍କଡ଼ନାଥ କିଲୋ ୩୫୦ ରୁ ୪୦୦ ଟଙ୍କା ଏବଂ ଗୁଣ୍ଡୁରି ଚଢେଇ ଗୋଟା ୬୦ ଟଙ୍କାରେ ବିକ୍ରି ହୋଇଥିଲା। ତେବେ ବହୁ ଦୋକାନରେ ଗ୍ରାହକମାନେ କରୋନା କଟକଣା ମାନିନଥିବା ଦେଖ‌ାଯାଇଥିଲା।

ଆମିଷ ଖାଇବା ପାଇଁ ରାଜଧାନୀବାସୀ ଓ ଉପକଣ୍ଠ ଅଞ୍ଚଳର ଲୋକଙ୍କୁ ଭଲ ମଉକା ଜୁଟି ଯାଇଥିଲା। ବର୍ଷକୁ ଥରେ ଆସିଥିବା ରଜମଉଜରେ ଲୋକେ ଏହି ମଉକାକୁ ହାତଛଡ଼ା କରିବାକୁ ମନ କରିନଥିଲେ। କରୋନା କଟକଣାକୁ ଭୁଲି ଯାଇଥିଲେ। ଲକ୍‌ଡାଉନ୍‌ ପାଇଁ ବଜାର ୧୧ଟାରେ ବନ୍ଦ ହୋଇଯିବ ବୋଲି ଭୋର୍‌ରୁ ପହଞ୍ଚି ଯାଇଥିଲେ ଆମିଷ ବଜାରରେ। ବିଶେଷକରି ଖାସି ମାଂସ ଓ ମାଛ ବଜାରରେ ବେଶ୍ ଗହଳି ଦେଖିବାକୁ ମିଳିଥିଲା। ପୁଲିସ ବି କିଛିଟା କୋହଳ ମନୋଭାବ ପୋଷଣ କରିଥିବା ଦେଖିବାକୁ ମିଳିଥିଲା। ତେଣୁ ବହୁ ସ୍ଥାନରେ ୧୧ଟା ପରେ ବି ଆମିଷ ବଜାର ଖୋଲାଥିବା ଦେଖିବ‌ାକୁ ମିଳିଥିଲା। ବହୁ ଲୋକଙ୍କ ଘରେ ଆଜି ମଧ୍ୟାହ୍ନରେ ଚକୁଳି ସାଙ୍ଗକୁ ମାଂସ ଝୋଳ ଭୋଜନ ବ୍ୟବସ୍ଥା ଶେଷ ରଜକୁ ଅଧିକ ମଜା ଦେଇଥିଲା। ସୋମବାର ପହିଲି ରଜ ଓ ମଙ୍ଗଳବାର ରଜ ସଂକ୍ରାନ୍ତି ପଡ଼ିଥିଲା। ଆମିଷ ଭୋଜନ ବିଧି ଥିଲେ ବି ସୋମବାର ଲାଗି ପହିଲି ରଜ ଭୋଜନ ସେମିତି ମଜାଦାର୍ ହୋଇପାରିନଥିଲା। ତେଣୁ ବୁଧବାରକୁ ଲୋକେ ଅପେକ୍ଷା କରି ବସିଥିଲେ। ଆଜି ଭୋର୍ ପ୍ରାୟ ୫ ଟାରୁ ରାଜଧାନୀର ସବୁ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ୪ ନମ୍ବର ହାଟ, ଭିଏସ୍‌ଏସ୍‌ନଗର, ପଟିଆ, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, ୟୁନିଟ୍‌-୮, ଶିରିପୁର, ଖଣ୍ଡଗିରି, କଳିଙ୍ଗନଗର, ତମାଣ୍ଡୋ, ଭରତପୁର ଆଦି ଅଞ୍ଚଳରେ ମାଛମାଂସ ବଜାର ବେଶ୍ ଗହଳି ହୋଇଥିଲା। କିଛି କିଛି ସ୍ଥାନରେ ଲୋକେ ଲମ୍ବା ଲାଇନ୍‌ରେ ଠିଆ ହୋଇ କିଣାକିଣି କରିଥିଲେ। ମାତ୍ର ଅନେକ ସ୍ଥାନରେ କଟକଣା ଚୁଲିକୁ ଯାଇଥିଲା। ରାଜଧାନୀର ବିଭିନ୍ନ ହାଟରେ ଖାସି ମାଂସ କିଲୋ ପିଛ‌ା ୬୫୦ ଟଙ୍କା ଥିଲା। ଗ୍ରାହକମାନେ ଭଲ ମନ୍ଦ ପରଖି ନଥିଲେ। ତେଣୁ ବହୁ ସ୍ଥାନ‌ରେ ଦୋକାନୀମାନେ ମାଈଛେଳି ଓ ମେଣ୍ଢା କାଟି ବିକି ଦେଇଥିଲେ। ସେହିଭଳି ମାଛ ଦର କିଲୋ ପିଛା ୧୮୦ରୁ ୨୨୦ ଟଙ୍କା ପର୍ଯ୍ୟନ୍ତ ଥିଲା। ଆଜି ଚିକେନ୍ ବଜାର ସାମାନ୍ୟ ପଛରେ ପଡ଼ି ଯାଇଥିଲା। କିନ୍ତୁ ବାପୁଜୀନଗର, ନୂଆପଲ୍ଲୀ, ଶିରିପୁର ଓ ଆଇଗିଣିଆ ଛକରେ ଦେଶୀ ଓ ବନରାଜ୍‌ କୁକୁଡ଼ା ବି ଆଜି ବେଶ୍ ଭଲ ବିକ୍ରି ହୋଇଥିଲା।

ବାରଙ୍ଗ ମାଂସ ବଜାରରେ ଗୋଡ଼ କୁଦାକୁଦି
ଆଜି ସ୍ଥାନୀୟ ମାଂସ ବଜାରରେ କରୋନା କଟକଣା ହଜି ଯାଇଥିଲା। ଦାଢ଼ାପାଟଣାରୁ ଆରମ୍ଭ କରି ତ୍ରିଶୁଳିଆ ବଜାର ପର୍ଯ୍ୟନ୍ତ ସବୁ ମାଂସ ଦୋକାନରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। କହିବାକୁ ଗଲେ, ଲୋକେ ଗୋଡ଼ କୁଦାକୁଦି ହୋଇ ଆମିଷ କିଣୁଥିବା ଦେଖିବାକୁ ମିଳିଥିଲା। ସକାଳ ୬ଟା ହେବା ପୂର୍ବରୁ ପ୍ରାୟ ସବୁ ଦୋକାନରେ ଭିଡ଼ ଲାଗି ଥିଲା। ଲୋକେ ସାମାଜିକ ଦୂରତା କଥା ତ ଭୁଲି ଯାଇଥିଲେ, ଅନେକଙ୍କ ମୁହଁରେ ମାସ୍କ ବି ନଥିଲା। ବଜାରରୁ କରୋନା କଟକଣା ହଟି ଯାଇଥିବା ଭଳି ପ୍ରତୀୟମାନ ହେଉଥିଲା। ଗୋଷ୍ଠୀ ସଂକ୍ରମଣର ଭୟ ମୋଟେ ନଥିଲା। ବଡ଼ କଥା ହେଉଛି ଏଠାରେ ଗ୍ରାହକମାନେ ମାଂସ କିଣିବା ବେଳେ ଛେଳି କି ମେଣ୍ଢା କିଛି ବି ପଚାରୁନଥିଲେ। କିଲୋ ୬୫୦ ଟଙ୍କାରୁ ୭ ଶହ ଟଙ୍କା ହୋଇଥିଲେ ବି କେହି ଦର ନପଚାରି ଟଙ୍କା ବଢ଼ାଇ ଦେଉଥିଲେ।

ସମ୍ବନ୍ଧିତ ଖବର