ବିଏମ୍‌ସି କର୍ପୋରେସନର ଶେଷ ବୈଠକ: ଅନୁଭୂତି ବାଣ୍ଟିଲେ

ଭୁବନେଶ୍ବର: ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ କର୍ପୋରେଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା, ଏମିତି ମେୟର, କମିସନର ମିଳିବେନି। ଯେତେବେଳେ ଯାହା ଦାବି କରିଛୁ କି ଅନୁରୋଧ କରିଛୁ ତାହା ପୂରଣ ହୋଇଛି। ୱାର୍ଡର ବିକାଶଠାରୁ ଆରମ୍ଭ କରି ଭୁବନେଶ୍ବରକୁ ସାରା ବିଶ୍ବରେ ପରିଚିତ କରାଇଛନ୍ତି। ରାତି ଅଧରେ ବି ଆମ ସମସ୍ୟା ସମାଧାନ କରିବାକୁ ଆମ ପାଖରେ ଛିଡ଼ା ହୋଇଛନ୍ତି। ରାଜ୍ୟ ଅନ୍ୟ କର୍ପୋରେସନଗୁଡ଼ିକରେ କର୍ପୋରେଟରମାନେ ବାଡ଼ିଆପିଟା ହେଉଥିବାବେଳେ ଏଠାରେ ଶାନ୍ତିଶୃଙ୍ଖଳାର ସହ ସବୁ ବୈଠକ ହୋଇଛି। ଆଜି ପର୍ଯ୍ୟନ୍ତ ତିନିଟି କର୍ପୋରେସନ୍ ଗଠନ ହୋଇଥିଲେ ହେଁ ଏହା ସବୁଠି ଭଲ କର୍ପୋରେସନ୍ ଥିଲା। ଏହା ଥିଲା ବିଏମ୍‌ସିର କର୍ପୋରେସନ୍‌ର (୨୦୧୪-୨୦୧୯) ଶେଷ ବୈଠକରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସମସ୍ତ କର୍ପୋରେଟରମାନଙ୍କର ମନର କଥା। ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଏବଂ ବିଏମ୍‌ସିରେ ଦୀର୍ଘ ୪ବର୍ଷ ୧୦ମାସ କମିସନର ଭାବେ କାର୍ଯ୍ୟ କରି ନିକଟରେ ବଦଳି ହୋଇଥିବା କ୍ରିଷନ କୁମାରଙ୍କ ସହ ଅନୁଭୂତିକୁ ସମସ୍ତେ ଏପରି ବର୍ଣ୍ଣନା କରିଥିଲେ। କେବଳ ମେୟର ଓ ପୂର୍ବତନ କମିସନରଙ୍କ ଗୁଣଗାନ ହୋଇନଥିଲା। ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦୁଇ ବିଧାୟକ ବିଜୟ ମହାନନ୍ତି ଓ ପ୍ରିୟଦର୍ଶୀ ମିଶ୍ର, ଡେପୁଟି ମେୟର କେ.ଶାନ୍ତି, ବର୍ତ୍ତମାନର କମିସନର ଶୁଭମ୍‌ ସାକସେନା, ସିଏଫ୍ଓ ଲାବଣ୍ୟ ଶବର, ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କ ସ‌େମତ କିପରି କର୍ପୋରେଟରମାନଙ୍କୁ ସହଯୋଗ କରିଛନ୍ତି ତାହା ସେମାନେ କହିଥିଲେ। ଏହାସହ ଯଦି ବାହାର ବ୍ୟବହାର ଓ କାର୍ଯ୍ୟଶୈଳୀ କାହାକୁ କଷ୍ଟ ଦେଇଛି ସେଥିପାଇଁ ବି କ୍ଷମା ମାଗିଥିଲେ।
୨୦୧୪ରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କର ବୁଧବାର କାର୍ଯ୍ୟକାଳ ସରିବ। ଏହା ପୂର୍ବରୁ ଆଜି ବସିଥିଲା ଶେଷ ବୈଠକ। ବୈଠକ ଆରମ୍ଭରେ ମେୟର ସମସ୍ତଙ୍କୁ ସ୍ବାଗତ କରିବା ସହ ନିଜର ଅନୁଭୂତି କହିଥିଲେ। ସମସ୍ତଙ୍କ ସହଯୋଗରେ ଭୁବନେଶ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଭୁବନେଶ୍ବରର ତିନି ବିଧାୟକ, ପୂର୍ବତନ କମିସନର ଏବଂ କର୍ପୋରେଟରମାନଙ୍କ ସହଯୋଗ ଯୋଗୁଁ ଆଜି ବିଏମ୍‌ସିକୁ ସବୁ ସଫଳତା ମିଳିଛି ଓ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିଛି ବୋଲି କହିଥିଲେ। ମନ୍ତ୍ରୀ, ବିଧାୟକ, ମେୟର, ପୂର୍ବତନ କମିସନର ତଥା ବିଡିଏ ଉପାଧ୍ୟକ୍ଷ, ବିଏମ୍‌ସି କମିସନର ଓ କର୍ପୋରେଟରଙ୍କ ଅନୁଭୂତି କହିବାରେ ଆଜିର ବୈଠକ ଶେଷ ହୋଇଥିଲା। କର୍ପୋରେସନର ସମସ୍ତ ପ୍ରସ୍ତାବ ଆଜି ବିନା ଆଲୋଚନାରେ ବି ଗୃହୀତ ହୋଇ ଯାଇଥିଲା।

କାନ୍ଦିଲେ କର୍ପୋରେଟର
କର୍ପୋରେଟରମାନେ କର୍ପୋରେସନ୍ ବୈଠକରେ ନିଜର ଗତ ୫ବର୍ଷର ଅନୁଭୂତି କହିବା ସମୟରେ ଭାବବିହ୍ବଳ ହୋଇଯାଉଥିଲେ। ବହୁତ କାମ ହୋଇଛି ବୋଲି କହି ଅଧିକାରୀମାନଙ୍କୁ ପ୍ରଶଂସା କରୁଥିଲେ। ପ୍ରାୟ ୧୦ଜଣ କର୍ପୋରେଟର କହିବା ପରେ ପାଳି ପଡ଼ିଥିଲା ୱାର୍ଡ-୨୬ର କର୍ପୋରେଟର ଝୁନିବାଳା ଦେଇଙ୍କର। ସାଲିଆ‌ ସାହି ଅଞ୍ଚଳରେ ଆଜି ଯାହା ବିକାଶମୂଳକ କାର୍ଯ୍ୟ ହୋଇଛି ତାହା ପୂବର୍ତନ କମିସନର କ୍ରିଷନ କୁମାରଙ୍କୁ ଯୋଗୁଁ ହୋଇପାରିଛି ବୋଲି କହିଥିଲେ। ଏତିକି କହିବା ପରେ କାନ୍ଦି ପକାଇଥିଲେ। ଏହାପରେ ବାଷ୍ପରୁଦ୍ଧ କଣ୍ଠରେ ନିଜ ଅଞ୍ଚଳର ବିକାଶ କଥା କହିଚାଲିଥିଲେ। ବିଏମ୍‌ସି ଅଧିକାରୀଙ୍କ ସହଯୋଗକୁ ମନେପକାଇ କହୁଥିଲେ। ଆସନ୍ତା ନିର୍ବାଚନରେ ଟିକେଟ୍ ପାଇବା କି ନାହିଁ, ପୁଣି ଆମେ ଏକାଠି ବସି ପାରିବା କି ନାହିଁ ଝୁନିବାଳା ବାଷ୍ପରୁଦ୍ଧ କଣ୍ଠରେ କହୁଥିଲେ ଆଉ ସମସ୍ତ ମହିଳାଙ୍କ ଆଖିରୁ ଠପ୍ ଠପ୍ ଲୁହ ଝରୁଥିଲା। କିଏ ଶାଢ଼ି କାନିରେ ଲୁହ ପୋଛୁଥିଲେ ତ କିଏ ଟିସ୍ୟୁ ପେପରରେ। ଏପରିକି ମେୟର ଏବଂ ପୁୁରୁଷ କର୍ପୋରେଟରମାନଙ୍କ ଆଖି କିଛି ସମୟ ପାଇଁ ଲୁହ ଛଳଛଳ ହୋଇ ଯାଇଥିଲା।

ଅଭିଯୋଗ ଥିଲା କିନ୍ତୁ ସେ ଦମ୍ଭ ନଥିଲା
ନିଜ ନିଜ ୱାର୍ଡରେ ରହିଯାଇଥିବା ସମସ୍ୟାର ତୁରନ୍ତ କିପରି ସମାଧାନ ହୋଇପାରିବ ସେଥିପାଇଁ ଆଜି କିଛି କର୍ପୋରେଟର କର୍ପୋରେସନ ବୈଠକରେ କହିଥିଲେ। କିନ୍ତୁ ପୂର୍ବ ବୈଠକଗୁଡ଼ିକରେ ଯେଉଁ ଦମ୍ଭରେ ଅଭିଯୋଗ କାହିଁକି ସମାଧାନ ହେଲା ବୋଲି ଜାବବ୍ ମାଗୁଥିଲେ ଆଜି ସେ ଦମ୍ଭ ନଥିଲା। ଅଭିଯୋଗ ସମାଧାନ କରିବାକୁ ଅନୁରୋଧ କରି କହୁଥିଲେ। ଆଉ କହୁଥିଲେ ଆମେ ଅଭିଯୋଗ ଆଣି ଆସିଲେ ଆମ କଥା ବୁଝିବେ। ଅପରପକ୍ଷେ କିଛି କର୍ପୋରେଟର ବୈଠକ ଆରମ୍ଭ ହେବା ପୂବର୍ରୁ କମିସନର ଓ ଡେପୁଟି କମିସନରମାନଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଜଣାଉଥିଲେ। ଅଧିକାଂଶ କହୁଥିଲେ ବୁଧବାର ପରେ ଆମେ ପୂର୍ବତନ କର୍ପୋରେଟର ହୋଇଯିବୁ। ଏହାପରେ କହିଲେ ଆପଣ ଶୁଣିବେନି। ତେଣୁ ଏବେ ପ୍ରତିଶ୍ରୁତି ଦିଅନ୍ତୁ ଯେ କେବେ ଆମ ସମସ୍ୟାର ସମାଧାନ ହେବ। ଯଦି ଏବେ ନକରିବ ତେବେ ଆସନ୍ତା ନିର୍ବାଚନରେ ଛିଡ଼ା ହେଲେ ଆମକୁ ଭୋଟ୍ ମିଳିବନି। ଅଧିକାରୀମାନେ ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ଦେଇ କର୍ପୋରେଟରମାନଙ୍କୁ ବିଦା କରୁଥିଲେ।

ପରାମର୍ଶ ଦେବାକୁ ଅନୁରୋଧ କଲେ କମିସନର
ପୂର୍ବତନ କମିସନର କ୍ରିଷନ କୁମାର ତାଙ୍କ ଅନୁଭୂତି କହିବା ସମୟରେ କହିଥିଲେ ଯେ, ଗତ ବ‌ର୍ଷେ ହେଲା ବିଏମ୍‌ସିରେ ବହୁତ କାର୍ଯ୍ୟ ହୋଇଛି। ବହୁ ସମସ୍ୟାର ସମାଧାନ ହୋଇଛି। ଏଥିରେ ମୋ ମେରୁଦଣ୍ଡ ଭଳି ବର୍ତ୍ତମାନର କମିସନର ଶୁଭମ୍‌ ସାକ୍‌‌େସନା କାର୍ଯ୍ୟ କରିଥିଲେ। ଏହାପରେ ଯେତେବେଳେ କମିସନର ତାଙ୍କ ଅନୁଭୂତି କହିଲେ ସେତେବେଳେ ସେ ପୂର୍ବତନ କମିସନରଙ୍କଠାରୁ ବହୁତ କିଛି ଶିଖିଛନ୍ତି ବୋଲି କହିଲେ। ଏହାସହିତ କହିଲେ ଯେ, କ୍ରିଷନ କୁମାର ସାର୍‌ ଏବେ ବହୁତ ବ୍ୟସ୍ତ ରହୁଥିବାରୁ ମୋତେ ପରାମର୍ଶ ଦେଇପାରୁନାହାନ୍ତି। ଏପରିକି ୧୦ଟି ମେସେଜ୍ ପଠାଇଲେ ଗୋଟିଏ ମେସେଜ୍ ପଠାଇପାରୁଛନ୍ତି। ମୁଁ ଅନୁରୋଧ କରିବି ବିଡିଏ ଉପାଧ୍ୟକ୍ଷ ସାର୍‌ ମଝିରେ ମଝିରେ ମୋତେ ସମୟ ଦେଇ ଆବଶ୍ୟକୀୟ ପରାମର୍ଶ ଦେବେ। କମିସନରଙ୍କର ବରିଷ୍ଠ ଅଧିକାରୀଙ୍କ ପ୍ରତି ଏହିଭଳି ସମ୍ମାନ ଦେଖି ସମସ୍ତେ ପ୍ରଶଂସା କରିଥିଲେ।

ସିଏଫ୍‌ଓଙ୍କୁ ସମସ୍ତଙ୍କର ପ୍ରଶଂସା‌
କ୍ରିଷନ କୁମାର କହିଥିଲେ ଯେ, ଯେତେବେଳେ ତାଙ୍କୁ କୌଣସି ଫାଇଲ୍‌ରେ ଦସ୍ତଖତ କରିବାକୁ ଅଡ଼ୁଆ ଲାଗେ ସେ ସିଏଫ୍‌ଓ ଲାବଣ୍ୟ ଶବରଙ୍କ ନିକଟକୁ ପଠାଇ ଦିଅନ୍ତି। ସିଏଫ୍‌ଓ ଫାଇଲ୍‌ ଠିକ୍ ଅଛି କହି ପଠାଇଲେ ନପଢ଼ିକି ବି ଏହାକୁ ଦସ୍ତଖତ କରିଦିଏ। ଏହି ସିଏଫ୍‌ଓଙ୍କ ସମୟରେ ବିଏମ୍‌ସିରେ ବହୁ ଆର୍ଥିକ ସଂସ୍କାର ଆସିପାରିଛି।
‌େକବ‌ଳ ପୂର୍ବତନ କମିସନର ସିଏଫ୍‌ଓଙ୍କ ପ୍ରଶଂସା କରିନଥିଲେ। ମେୟର ଓ କର୍ପୋରେଟରମାନେ ବି ଖୁବ୍ ପ୍ରଶଂସା କରିଥିଲେ। ସେମାନେ ବି କିଛି ସମସ୍ୟାରେ ପଡ଼ିଲେ ସିଏଫ୍‌ଓଙ୍କ ପରାମର୍ଶ ନିଅନ୍ତି ବୋଲି କହିଥିଲେ। ଏପରିକି ବର୍ତ୍ତମାନର ସିଏଫ୍‌ଓଙ୍କ ଅବସର ପର୍ଯ୍ୟନ୍ତ ଏଠାରେ ରଖିବାକୁ କର୍ପୋରେଟରମାନେ କହିଥିଲେ। ଅବସର ପରେ ତାଙ୍କୁ ବିଏମ୍‌ସିର ଆର୍ଥିକ ପରାମର୍ଶଦାତା କରିବାକୁ ପ୍ରସ୍ତାବ ଦେଇଥି‌େଲ।

‌ଆଜି ଶେଷ ଦେଖା
ଆଜି ‌ବିଏମ୍‌ସିର ଚଳିତ କର୍ପୋରେସନର ଶେଷ ବୈଠକ ବସିଥିଲା। ବୈଠକ ଅପରାହ୍‌ଣ ୩ଟାରେ ଆରମ୍ଭ ହେବାକୁ ଥିବାରୁ କର୍ପୋରେଟରମାନେ ଅପରାହ୍ଣ ୨ଟା ୩୦ ବେଳକୁ ବିଏମ୍‌ସି କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ। କେହି କେହି ଦୁଇଟା ବେଳୁ ଆସି ଯାଇଥିଲେ। କିଛି କର୍ପୋରେଟର ବିଏମ୍‌ସି ଅଫିସ ବାହାରେ ମେଳି ହୋଇ କଥା ହେଉଥିଲେ। ଆସନ୍ତା ନିର୍ବାଚନରେ ଟିକେଟ ମିଳିବ କି ନାହିଁ ସେ ବିଷୟରେ ଆଲୋଚନା କରୁଥିଲେ। କେତେକ ମହିଳା କର୍ପୋରେଟର କହୁଥିଲେ ଯେ, ଆରଥର ସିନା ମହିଳା ସିଟ୍ ସଂରକ୍ଷଣ ହେଲା ବୋଲି ଆମେ କର୍ପୋରେଟର ହେଲୁ। ଏହାପରେ ପୁଣି ସ୍ବାମୀ ଛିଡ଼ା ହେବେ। ଆଉ କେଉଁ ଆମର ଦେଖା ହେବ। ଆଜି ଶେଷ ଦେଖା। ଏମିତି କହି ପରସ୍ପରକୁ ଆଲିଙ୍ଗନ କରୁଥିଲେ। ଯେଉଁମାନଙ୍କର ଭେଟଘାଟ କର୍ପୋରେସନ ବୈଠକ ପୂର୍ବରୁ ହୋଇପାରିନଥିଲା ସେମାନେ ବୈଠକ ସରିବା ପରେ ପରସ୍ପରକୁ ଆଲିଙ୍ଗନ କରି ଘରକୁ ଯାଇଥିଲେ।

ସବୁ ଶ୍ରେୟ ମେୟର, କର୍ପୋରେଟର ଓ ଅଧିକାରୀଙ୍କୁ ଦେଲେ
ଭୁବନେଶ୍ବର ଆଜି ସ୍ମାର୍ଟ ସିଟି ହୋଇଛି ମେୟର, କର୍ପୋରେଟର ଓ ଅଧିକାରୀମାନଙ୍କ କାର୍ଯ୍ୟଶୈଳୀ ଯୋଗୁଁ। ଆଜି ଭୁବନେଶ୍ବରକୁ ସାରା ବିଶ୍ବ ଚିହ୍ନିଛି ଏଇମାନଙ୍କ ପାଇଁ। ବର୍ଷା ବିତ୍ପାତ ଭଳି ସମସ୍ୟାର ମୁକାବିଲା ବିଏମ୍‌ସି କରିପାରିଛି ଏଇମାନଙ୍କ ପାଇଁ। ରାତି ୧୨ଟା ହେଉ କି ଭୋର୍ ୪ଟା। ଯେତେବେଳେ ଯାହାର ସହଯୋଗ ଆବଶ୍ୟକ ପଡ଼ିଛି ସମସ୍ତେ ସହଯୋଗ କରିଛନ୍ତି। ଡେପୁଟି ମେୟର କେ.ଶାନ୍ତିଙ୍କ ଯୋଗୁଁ ବିଡିଏ ମହିଷାଖାଲରେ ରାଜୀବ ଆବାସ ଗୃହ ପ୍ରକଳ୍ପ କରିପାରିଛି। ବିଏମ୍‌ସି ଉପରେ ଯେତେବେଳେ ବିପଦ ଆସିଛି ମେୟର ସାମ୍ନାକୁ ବାହାରି ମୁକାବିଲା କରିଛନ୍ତି। ଭୁବନେଶ୍ବର ମଧ୍ୟ ବିଧାୟକ ତ କେବେ କୌଣସି କାମ କରିବାକୁ ଅନୁରୋଧ କରିନାହାନ୍ତି କି ଦାବି ବି କରିନାହାନ୍ତି। ଭୁବନେଶ୍ବର ଉତ୍ତର ବିଧାୟକ ତ ବିଏମ୍‌ସି ଉପରେ ଖରାପ ପ୍ରଭାବ ପଡ଼ିବା ଭଳି କାର୍ଯ୍ୟ କରିବାକୁ କେବେ କହିନାହାନ୍ତି। ଏକାମ୍ର ବିଧାୟକ ତଥା ସଂସ୍କୃତି ମନ୍ତ୍ରୀ ବିଏମ୍‌ସିକୁ ସବୁବେଳେ ସହଯୋଗର ହାତ ବଢ଼ାଇଛନ୍ତି। ସବୁ ଶ୍ରେୟ ଆପଣମାନଙ୍କର। ଆପଣମାନଙ୍କ ଯୋଗୁଁ ଭୁବନେଶ୍ବରରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇପାରିଛି। ଏମିତି ଢଙ୍ଗରେ ବିଏମ୍‌ସିର ପୂର୍ବତନ କମିସନର ତଥା ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ଆଜି ସଂସ୍କୃତି ମନ୍ତ୍ରୀ, ବିଧାୟକ, ମେୟର, ଡେପୁଟି ମେୟର ଓ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ବିଏମ୍‌ସିରେ ଯୋଗଦେ‌ବାବେଳେ ମେ‌ାତେ କିଛି ଲୋକ ବହୁତ କଥା କହିଥିଲେ। ରାଜନୈତିକ ହସ୍ତକ୍ଷେପ ଅଧିକ ହେବ, ସହଯୋଗ ମିଳିବନି ଏମିତି ଅନେକ । ମୁଁ ୫୦% ସହଯୋଗ ମିଳିବ ବୋଲି ଆଶା କରି କାମ କରିଥିଲି। କିନ୍ତୁ ମୋତେ ଏଠାରେ ୫୦୦% ସହଯୋଗ ମିଳିଲା। ମେୟର ଓ କର୍ପୋରେଟରଙ୍କ ସହଯୋଗ ଅତୁଳନୀୟ।

ଡାଏରି ବାଣ୍ଟିଲେ ନିଜାମୁଦ୍ଦିନ୍
ବୈଠକ ମଝିରେ ବିଏମ୍‌ସି ପକ୍ଷରୁ ସମସ୍ତ କର୍ପୋରେଟର୍‌ଙ୍କୁ ଡଏରି ଯୋଗାଇ ଦିଆଯାଇଥିଲା। ମେୟର ମଞ୍ଚରେ ବସିଥିବା ମନ୍ତ୍ରୀ, ବିଧାୟକ ଏବଂ ପୂର୍ବତନ ଓ ବର୍ତ୍ତମାନର କମିସନରଙ୍କୁ ଡାଏରି ଦେଇଥିଲେ। ଏହାପରେ ମେୟରଙ୍କ ଅନୁରୋଧ କ୍ରମେ ବିଏମ୍‌ସିର ବରିଷ୍ଠ କର୍ପୋରେଟର ସେଖ୍ ନିଜାମୁଦ୍ଦିନ୍ ଅନ୍ୟ କର୍ପୋରେଟରମାନଙ୍କୁ ଡାଏରି ବାଣ୍ଟିଥିଲେ।

ଡ୍ରେନ୍ ପାଇଁ ୧୦୦୦ କୋଟିର ପ୍ଲାନ୍ ହେବ
ବିଏମ୍‌ସିର ମୁଖ୍ୟ ଡ୍ରେନ୍‌ଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ଖୁବ୍ ଶୀଘ୍ର ୩୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମେୟର କହିଥିଲେ। କିନ୍ତୁ ଆଜିର ବୈଠକରେ ୱାର୍ଡ ୩୭ କର୍ପୋରେଟର ନବ କିଶୋର ବେହେରାଙ୍କ ସମେତ ବହୁ କର୍ପୋରେଟର ଡ୍ରେନ୍ ସମସ୍ୟା ସୁଧାରିବାକୁ ଅନୁରୋଧ କରିଥିଲେ। କର୍ପୋରେଟର ଶ୍ରୀ ବେହେରା କହିଥିଲେ ଯେ, ଏବେ ବିଏମ୍‌ସି କିଛି କରୁ କି ନକରୁ ଡ୍ରେନ୍ ବ୍ୟବସ୍ଥା ସଜାଡ଼ୁ। ଏହାପରେ ମେୟର କହିଥିଲେ ଯେ, ବିଏମ୍‌ସି ପକ୍ଷରୁ ଡ୍ରେନ୍ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ୩୦୦କୋଟି ନୁହେଁ ହଜାରେ କୋଟିର ପ୍ରସ୍ତାବ ଦିଆଯିବ। ଏହି ଅର୍ଥ ମିଳିବାରେ କିଛି ସମସ୍ୟା ନାହିଁ।

ସମ୍ବନ୍ଧିତ ଖବର