ଚନ୍ଦ୍ରଶେଖପୁର: ମଞ୍ଚ ପ୍ରସ୍ତୁତ ହୋଇ ରହିଥାଏ। ତଳେ ଅପେକ୍ଷାରେ ଥାଆନ୍ତି ହଜାର ହଜାର ଶ୍ରୋତା। ଉତ୍ସାହ, ଉନ୍ମାଦନା ମଧ୍ୟରେ ଶୁଭିଲା ଏ ମୋ ଦୀଲ୍‌...। ଏହାପରକୁ ପର ଲାଲ୍‌ ଟହ ଟହ... , ପତଲି କମର ଦେଖିରେ..., ସମ୍ବଲପୁରୀ ବାବୁ... ପରି ଗୋଟିଏ ପରେ ଗୋଟିଏ ଧୁମ୍‌ଧଡ଼କ ସଙ୍ଗୀତ ଭାସି ଆସୁଥିଲା। ଯାହାକି ସମ୍ପୂର୍ଣ୍ଣ ପରିବେଶକୁ ମତୁଆଲା କରି ଦେଇଥିଲା। ଲାଜ ଗୋରି ଲତା ମୋ ଲାଜେ ଲାଜେ ହସି ଦେଲା... ରସିଆ ଗୀତ ଶୁଣିବା ମାତ୍ରେ ହାଲୁକା ଶୀତରେ ନାଚି ଉଠିଥିଲେ ଶ୍ରୋତା। କଣ୍ଠଶିଳ୍ପୀଙ୍କ ତ‌ାଳରେ ତାଳ ଦେଇ ଧୂଳି ଉଡ଼ାଇଥିଲେ। ଚନ୍ଦ୍ରଶେଖପୁର କ୍ଲବ ଟାଉନ୍ ପଡ଼ିଆରେ ଚାଲିଥିବା ଭୁବନେଶ୍ବର ଉତ୍ତର ମହୋତ୍ସବର ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଆଜି ଏଭଳି ଏକ ପରିବେଶ ସୃଷ୍ଟି ହୋଇଥିଲା। କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ତାଙ୍କ ଗ୍ରୁପ୍‌ ଦ୍ବାରା ପରିବେଷିତ ଗୋଟିଏ ପରେ ଗୋଟିଏ ସମ୍ବଲପୁରୀ ଗୀତରେ ଝୁମିଥିଲେ ଶ୍ରୋତା। ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଭୁବନେଶ୍ବର ଉତ୍ତର ମହୋତ୍ସବ କମିଟି ଅଧ୍ୟକ୍ଷ କୁନାଲ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଦିନ ସନ୍ଧ୍ୟାର ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଅସ୍ମିତାର ମାହାର୍ଘ୍ୟ ସମ୍ମେଳନ ଓଡ଼ିଆ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଉତ୍ତର ଭୁବନେଶ୍ୱରର ସଂସ୍କୃତି ପ୍ରେମୀଙ୍କୁ ଏକାଠି କରିବାରେ ସହାୟକ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାନେତ୍ରୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର ଯୋଗଦେଇ ଉତ୍ତର ମହୋତ୍ସବ ଆୟୋଜନକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସମରେନ୍ଦ୍ର ସାହୁ, ସଂଯୋଜକ ସରୋଜକାନ୍ତ ମଲ୍ଲିକ, କୁନା ଜେନା ପ୍ରମୁଖ ଯୋଗଦେଇଥିଲେ। ସମ୍ପାଦକ ସ୍ବାକ୍ଷର ରଞନ ମହାନ୍ତି ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ଦିନରେ ମଧ୍ୟ ପ୍ରବଳ ଦର୍ଶକଙ୍କ ସମାଗମ ହୋଇଥିଲା। କିଏ ରାମଦୋଳିରେ ଝୁଲି ଥିଲେ ତ ଆଉ କିଏ ଚକ୍ରି ଦୋଳିର ମଜା ଉଠାଇଥିଲେ। ମୀନା ବଜାର, ଫୁଡ୍‌ଷ୍ଟଲରେ ବି ପ୍ରବଳ ଭିଡ଼ ଜମିଥିଲା।

Advertisment